ETV Bharat / technology

ଆଦିତ୍ୟ ଏଲ-1 ଲଞ୍ଚିଂ; ସୋମନାଥଙ୍କ ପାଇଁ ଥିଲା କଠିନ ସମୟ, ଚିହ୍ନଟ ହୋଇଥିଲା କ୍ୟାନ୍ସର

author img

By ETV Bharat Odisha Team

Published : Mar 4, 2024, 4:47 PM IST

ISRO Chief Cancer
ISRO Chief Cancer

ISRO Chief diagnosed with Cancer: ଆଦିତ୍ୟ ଏଲ-1 ଲଞ୍ଚିଂ ସମୟରେ କାର୍ଯ୍ୟର ପରୀକ୍ଷା ସହିତ ଧୌର୍ଯ୍ୟର ପରୀକ୍ଷା ଦେଉଥିଲେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । କ୍ୟାନ୍ସର ଚିହ୍ନଟ ହେବା ସତ୍ତ୍ବେ ମଧ୍ୟ ସେ ଏହାକୁ ଅଣଦେଖା କରି ଆଦିତ୍ୟ ଏଲ-1 ସଫଳତା ଦେଖିଥିଲେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥଙ୍କ ଅବଦାନ ବିଶ୍ବବିଦିତ । ପରଦା ପ୍ରଚ୍ଛଦପଟର ସାରଥି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥଙ୍କ ଅବଦାନ କାହାକୁ ବା ଅଜଣା । ସେ ଚନ୍ଦ୍ରଯାନ-3 ହେଉ କିମ୍ବା ଆଦିତ୍ୟ ଏଲ-1, ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ସ୍ଥାନକୁ ଶୀର୍ଷରେ ପହଞ୍ଚାଇବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାରି ଭିତରେ ଭାରତୀୟ ଗବେଷଣା ଅନୁସନ୍ଧାନ ସଂସ୍ଥା(ଇସ୍ରୋ) ମୁଖ୍ୟ ଏସ ସୋମନାଥଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ।

ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ଲଞ୍ଚିଂ କରିବା ସମୟରେ କ୍ୟାନ୍ସର ସହ ସଂଘର୍ଷ କରୁଥିଲେ ସୋମନାଥ । ଏକଥା ଆମେ କହୁନାହିଁ ବରଂ ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଆଦିତ୍ୟ ଏଲ-1 ଲଞ୍ଚିଂ ସମୟରେ ଅନ୍ୟକୁ ସାହାସ ଧୌର୍ଯ୍ୟ କଥା ଶିଖାଉଥିବା ସୌମନାଥ ଏହି ଖବର ଶୁଣି ନିଜେ ଭାଙ୍ଗି ପଡିଥିଲେ । କିନ୍ତୁ ସଫଳତା ଦିଗରେ ଆଗଉଥିବା ଭାରତକୁ ଦୃଷ୍ଟିରେ ରଖି ନିଜକୁ ଜଳାଞ୍ଜଳି ଦେଇ ଦେଶବାସୀଙ୍କ ସହ ଖୁସି ହୋଇଥିଲେ । ଜଣେ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ଅଟେ ।

ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ସ୍କାନିଂ କରିବା ସମୟରେ କ୍ୟାନ୍ସର ବିଷୟରେ ଜାଣିବାକୁ ପାଇଥିଲି । ଚନ୍ଦ୍ରଯାନ-3ର ଲଞ୍ଚିଂ ସମୟରେ ହିଁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । କିନ୍ତୁ ସେହି ସମୟରେ କିଛି ସ୍ପଷ୍ଟ ହୋଇନଥିଲା । କିନ୍ତୁ ଆଦିତ୍ୟ ଏଲ-1 ମିଶନର ଲଞ୍ଚିଂ ସମୟରେ ହିଁ କ୍ୟାନ୍ସର ନେଇ ସ୍ପଷ୍ଟ ହୋଇଥିଲା । ଏହି ଖବର ମୋତେ ଏବଂ ମୋ ପରିବାରକୁ ବିଚଳିତ କରିଥିଲା ।"

ଏହା ମଧ୍ୟ ପଢନ୍ତୁ:ISRO Chairman Pens Autobiography: ଦିନେ ସାଇନ୍ସକୁ ନେଇ ଦ୍ବନ୍ଦ୍ବରେ ଥିଲେ, ଆଜି ସଫଳ ସାଇଣ୍ଟିଷ୍ଟ

ଏହି ଖବର ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସମସ୍ତ କର୍ମଚାରୀଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା । କିନ୍ତୁ ଆହ୍ବାନପୂର୍ଣ୍ଣ ସମୟରେ ସେ ନିଜକୁ ସମ୍ଭାଳିଥିଲେ । ପରିବାର ସହିତ ଇସ୍ରୋ କର୍ମଚାରୀଙ୍କୁ ଧୌର୍ଯ୍ୟ ରଖିବା ଶିଖାଇଥିଲେ । ତେବେ ଆଦିତ୍ୟ ଏଲ-1 ଲଞ୍ଚିଂ ପରେ ସେ ଚେନ୍ନାଇ ଯାଇ ଅଧିକ ଯାଞ୍ଚ କରିଥିଲେ । ତେବେ ଏହାର କାରଣ ଜେନେଟିକ ବୋଲି ଜଣାପଡିଥିଲା । ପେଟ କ୍ୟାନ୍ସରରେ ପୀଡିତ ଇସ୍ରୋ ମୁଖ୍ୟ ଏସ ସୋମନାଥ । ତେବେ କ୍ୟାନ୍ସର ଚିହ୍ନଟ ହେବା ପରେ ସୋମନାଥ ସର୍ଜରୀ ମଧ୍ୟ କରିଥିଲେ । ଏହାସହ କେମୋ ଥେରାପୀ ମଧ୍ୟ ନେଇଥିଲେ । ତେବେ ବର୍ତ୍ତମାନ ସ୍ବାସ୍ଥ୍ୟରେ କୌଣସି ଜଟିଳତା ନଥିବା ବେଳେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି ।

ଏନେଇ ସୋମନାଥ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଗରୁ ଜାଣିଥିଲି ଏହି ରୋଗର ଚିକିତ୍ସା ପାଇଁ ଅଧିକ ସମୟ ଲାଗିବ । ଏହା ଏକ ଲମ୍ବା ପ୍ରକ୍ରିୟା । କିନ୍ତୁ ମୁଁ ଲଢିବି । ବର୍ତ୍ତମାନ ମୁଁ ସମ୍ପୁର୍ଣ୍ଣ ସୁସ୍ଥ ରହିଛି । ମୁଁ କେବଳ 4 ଦିନ ହସ୍ପିଟାଲରେ ରହିଥିଲି । କିନ୍ତୁ କୌଣସି ଯନ୍ତ୍ରଣା ବିନା ମୁଁ ପଞ୍ଚମ ଦିନରେ ଇସ୍ରୋ ଅଫିସରେ ପୁଣି ଯୋଗ ଦେଇଥିଲି । କିନ୍ତୁ ମୁଁ ଏବେ ମଧ୍ୟ ମେଡିକାଲ ସ୍କାନିଂ ଏବଂ ଚେକଅପ କରାଉଛି । କିନ୍ତୁ ମୋର ଧ୍ୟାନ ବର୍ତ୍ତମାନ ମିଶନ ଏବଂ ଲଞ୍ଚିଂ ଉପରେ ରହିଛି ।"

ପେଟରେ କର୍କଟ ସେତେବେଳେ ହୁଏ ଯେତେବେଳେ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢିବା ଆରମ୍ଭ କରେ । ଏହା ପେଟର ଯେକୌଣସି ଅଂଶରେ ହୋଇପାରେ ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ, ଏହା ଟ୍ୟୁମର ଆକାର ନେଇ ଯକୃତ ଏବଂ ଅଗ୍ନାଶୟକୁ ବ୍ୟାପିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.