ETV Bharat / state

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନକୁ ମାସେ, ବାହାରୁନି ସମାଧାନ ବାଟ

author img

By ETV Bharat Odisha Team

Published : Feb 16, 2024, 3:57 PM IST

ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଆଗରେ ଧାରଣା
ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଆଗରେ ଧାରଣା

Veterinary Doctors Protest: ଆଜକୁ ଏକମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ସମୂହ ଛୁଟିରେ ରହିଛନ୍ତି ପ୍ରାଣୀ ଚିକିତ୍ସକ । ନିଜ 4 ଦଫା ଦାବିରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି । ଅଧିକ ପଢ଼ନ୍ତୁ

ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଆଗରେ ଧାରଣା

କଟକ: ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ କଟକ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରହିଛି । ଆଜି ବିଭିନ୍ନ ଜିଲ୍ଲାର ଶହଶହ ପ୍ରାଣୀ ଚିକିତ୍ସକ ନିଜ 4 ଦଫା ଦାବିରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ଆଜକୁ ଏକମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ସମୂହ ଛୁଟିରେ ରହିଛନ୍ତି ପ୍ରାଣୀ ଚିକିତ୍ସକ ମାନେ । ପୂର୍ବରୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସମାଧାନ କରାଯାଇନାହିଁ । ଏଦିଗ ପ୍ରତି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟପନ୍ଥା ଗ୍ରହଣ ନକରାଗଲେ ଆଗମୀ ଦିନରେ ଆମରଣ ଅନଶନର ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସକ ସଂଘ ।

ପ୍ରାଣୀସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ । ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ ଅଣିଛନ୍ତି ଚିକିତ୍ସକ । ଡିଏସିପି ବ୍ୟବସ୍ଥା, ପ୍ରାଣୀ ମାନଙ୍କ ନିଶୁଳ୍କ ଚିକିତ୍ସା ସେବା ସହ ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଆବଶ୍ୟକ ଡାକ୍ତର ପଦବୀ ସୃଷ୍ଟି ସହ ନିଯୁକ୍ତି ଏବଂ କ୍ୟାଡର ପୁନର୍ଗଠନ ଆଦି ଦାବି ନେଇ ଗତ 18 ଜାନୁଆରୀରୁ ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଜାରୀ ରଖିଛନ୍ତି । ଗତ 2 ଫେବୃଆରୀରେ ସେମାନେ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ଭିକ୍ଷା କରି ଦାବିପତ୍ର ଦେଇଥିଲେ । ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ପ୍ରକାରର ପଦକ୍ଷେପ ନିଆ ଯିବାରୁ ଚିକିତ୍ସକମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ, ଗାଈ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଗୋପାଳକ

ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥ‌ିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥ‌ିବା ସେମାନଙ୍କୁ ହତୋତ୍ସାହିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି 40 ପ୍ରତିଶତ ଅଧସ୍ଥନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀଚିକିତ୍ସକ ମାନଙ୍କୁ ଅଧିକ ଚାପଗ୍ରସ୍ତ କରୁଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯାଉଛି । କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକ ମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ଆସିଛି । ସେଥିପାଇଁ ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ସେଥିପାଇଁ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.