ETV Bharat / state

ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

author img

By ETV Bharat Odisha Team

Published : Feb 23, 2024, 4:54 PM IST

ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ
ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ

Shootout between Police and Maoists: ପାଇକମାଲ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ବିପୁଳ ଗୁଳି ବିନିମୟ ଦେଖିବାକୁ ମିଳିଥିଲା । ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବାବେଳେ ମାଓ କ୍ୟାମ୍ପରୁ ବିପୁଳ ସାମଗ୍ରୀ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବରଗଡ଼: ପାଇକମାଲ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ । ଆଜି (ଶୁକ୍ରବାର) ସକାଳ ୧୦ ଘଣ୍ଟା ସମୟରେ କୁମ୍ବିଂ ଅପରେସନ ବେଳେ ବ୍ୟାପକ ଗୁଳିବିନିମୟ । ପୋଲିସର ଘନ ଘନ ଗୁଳି ବର୍ଷାରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ତେବେ ସର୍ଚ୍ଚ ଅପରେସନରେ ମାଓ କ୍ୟାମ୍ପରୁ ବହୁ ପରିମାଣର ମାଓ ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ ପାଇକମାଲ ଜଙ୍ଗଲ ଭିତରେ ମାଓବାଦୀଙ୍କ କ୍ୟାମ୍ପ ରହିଥିବା ବରଗଡ଼ ଜିଲ୍ଲା ପୋଲିସ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଆଜି ସକାଳେ ବଲାଙ୍ଗୀର ପୋଲିସ ସହାୟତାରେ ବରଗଡ଼ ପୋଲିସ ପକ୍ଷରୁ ପାଇକମାଲ ଜଙ୍ଗଲ ଭିତରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ବ୍ୟାପକ ଗୁଳିବିନିମୟ ମଧ୍ୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ପୋଲିସର ଘନ ଘନ ଗୁଳି ବର୍ଷାରେ ମାଓବାଦୀ ମାନେ ମାଓ କ୍ୟାମ୍ପ୍‌ ଛାଡ଼ି ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ । ତେବେ ସର୍ଚ୍ଚ ଅପରେସନ ପରେ ପୋଲିସ ମାଓ କ୍ୟାମ୍ପରୁ ବହୁ ପରିମାଣର ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ମାଓବାଦୀଙ୍କ କ୍ୟାମ୍ପରେ ପୋଲିସକୁ ମାଓ ପୋଷାକ, ଜୋତା ଓ ଚପଲ, ଖାଦ୍ୟ ସାମଗ୍ରୀ, ଟିଫିନ, ପଲିଥିନ, ପାଣି କେନ୍‌, ବ୍ୟାଟେରୀ, ରେଡ଼ିଓ ପରି ଅନେକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ବରଗଡ଼ ଜିଲ୍ଲାରେ ମାଓବାଦୀଙ୍କ ବରଗଡ଼- ବଲାଙ୍ଗୀର- ମହାସମୁନ୍ଦ ଡିଭିଜନ ଟିମ ସକ୍ରିୟ ଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ । ମଝିରେ ମଝିରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ବ୍ୟାନର ଓ ପୋଷ୍ଟର ଆଦି ଲଗାଇଥାନ୍ତି ଏବଂ ସହିଦ ସପ୍ତାହ ପାଳନ କରିବାକୁ ଲୋକଙ୍କୁ ଆହ୍ବାନ କରିଥାନ୍ତି । ତେବେ ପାଇକମାଲ ଜଙ୍ଗଲ ଛତିଶଗଡ଼ର ଘଞ୍ଚ ଜଙ୍ଗଲ ସହିତ ସଂଲଗ୍ନ ଥିବାରୁ ଏହି ଅଞ୍ଚଳରେ ମହାସମୁନ୍ଦ ଡିଭିଜନ ମାଓବାଦୀଙ୍କ କ୍ୟାମ୍ପ ଲାଗିରହିଥାଏ । ତେବେ ଆଜି ସର୍ଚ୍ଚ ଅପରେସନରେ ମାଓ କ୍ୟାମ୍ପରୁ ମିଳିଥିବା ବ୍ୟାପକ ସାମଗ୍ରୀ ପ୍ରମାଣିତ କରିଦେଇଛି ଯେ ଏବେ ମଧ୍ୟ ପାଇକମାଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଅଛନ୍ତି ଏବଂ ତାଙ୍କର ଯୋଜନା ଚଳାଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.