ETV Bharat / state

ରାମ ନାମରେ ଗୁଞ୍ଜରିତ ଗଗନ ପବନ, ସବୁଠାରେ ଭକ୍ତିମୟ ପରିବେଶ - Ram Navami

author img

By ETV Bharat Odisha Team

Published : Apr 17, 2024, 9:59 PM IST

ଶ୍ରୀରାମ ନବମୀ
ଶ୍ରୀରାମ ନବମୀ

Ram Navami Celebration in Odisha: ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ପବିତ୍ର ଶ୍ରୀରାମ ନବମୀ । ରାମଙ୍କ ପୂଜା ସାଙ୍ଗକୁ ହୋମ ଯଜ୍ଞ ସହ ରାମ ଚରିତ ପାଠ କରାଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀରାମ ନବମୀ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ପ୍ରଭୁ ଶ୍ରୀରାମ ନାମ ଧ୍ୱନୀରେ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ତେବେ ରାମଲାଲା ତାଙ୍କ ମନ୍ଦିରରେ ପ୍ରତିଷ୍ଠା ହେବା ପରେ ମନ୍ଦିରରେ ପ୍ରଥମ ଥର ରାମ ନବମୀ ଅନୁଷ୍ଠିତ ହୋଇଛି । ଏହି ରାମ ଜନ୍ମ ଅବସରରେ ଓଡ଼ିଶା ମଧ୍ୟ ଚଳଚଞ୍ଚଳ ହୋଇ ରାମମୟ ହୋଇଉଠିଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାଜ୍ୟରେ ଥିବା ରାମ ମନ୍ଦିରରେ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ ସହ ରାମ ଚରିତ ପାଠ ପରି ଅନେକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା ।

ରାମ ନବମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଥିଲା । ସଂପୂର୍ଣ୍ଣ ସହର ଆଜି ଗେରୁଆମୟ ହୋଇ ଉଠିଥିଲା । ଯୁବ ବର୍ଗଙ୍କ ଜୟ ଶ୍ରୀରାମ ଧ୍ବନୀରେ କମ୍ପି ଉଠିଥିଲା ଖୋର୍ଦ୍ଧା ସହର । ଅନ୍ୟପଟେ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଶାଖା ପକ୍ଷରୁ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଗୁରୁଜଙ୍ଗ ମେଲଣ ପଡିଆ ଠାରୁ ଜରିପୁଟ ଶ୍ରୀସଙ୍କଟ ମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ତେବେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖାଯାଇଥିଲା ।

ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ ପାଇଁ ସପ୍ତଶଯ୍ୟାକୁ ଭକ୍ତ ଓ ଶ୍ରଢାଳୁଙ୍କ ସୁଅ ଛୁଟିଥିଲା । ଆଜି ସକାଳୁ ସ୍ୱତନ୍ତ୍ର ରୀତିନୀତିରେ ପ୍ରଭୁଙ୍କର ପୂଜାର୍ଚନା ପରେ ସପ୍ତର୍ଷିଙ୍କ ଯଜ୍ଞ ମଣ୍ଡପରେ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ଉତ୍କଳ ସତ୍ୟ ସମାଜ ପକ୍ଷରୁ ଯଜ୍ଞ ଉତ୍ସବ ଆୟୋଜନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପାଦ ଦେଶରେ ଗାଡି ପାର୍କିଂ ବ୍ୟବସ୍ଥା ସହ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା । ସେପଟେ ପ୍ରଭୁଙ୍କ ପୀଠରେ ସମୂହ ପ୍ରସାଦ ସେବନ କରି ସପ୍ତଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ମୁକ୍ତ ସୁଯୋଗ ପାଇଥିଲେ ଭକ୍ତ ।

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ବେଶ ଧୁମଧାମରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ହୋଇଛି । ରାମ ନବମୀ ମହୋତ୍ସବ ସମିତି ପକ୍ଷରୁ କାସାକେନ୍ଦୁ ହନୁମାନ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାମ ସ୍ଵାମୀ ମନ୍ଦିରରେ ପହଞ୍ଚି ଥିଲା ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ଓ ଘୁମୁରା ସହ ବନାବାଡ଼ି, ଘୁଡ଼କା, ବଜାଶାଲ ଆଦି ପାରମ୍ପାରିକ ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକ ଯୁବତୀ ସାମିଲ ହୋଇଥିଲେ । ସେପଟେ ବିଭିନ୍ନ ସଂଗଠନ ପକ୍ଷରୁ ଛକ ମାନଙ୍କରେ ପାଣିର ବ୍ୟବସ୍ଥା କରାଯାଇଥିବା ବେଳେ ଭୋଜନ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ସେପଟେ ସମିତି ପକ୍ଷରୁ ରାମ ନବମୀ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭବାନୀପାଟଣା ସହରର ସମସ୍ତ ରାମ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ରାଜନୀତି ଭୁଲି ଏକାଠି ହେଲେ ନେତା, ଜୟ ଶୀରାମ ଧ୍ବନୀରେ ପ୍ରକମ୍ପିତ କୋରାପୁଟ - RAM NAVAMI

ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଚାନ୍ଦୁଆ ନଗରୀ । ପବିତ୍ର ରାମ ନବମୀ ଅବସରରେ ପିପିଲିରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଯେଉଁଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ପିପିଲିର ସଙ୍ଗଠିତ ହିନ୍ଦୁ ପରିବାର, ବିଶ୍ଵ ହିନ୍ଦୁ ପରିଷଦ, ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ମିଳିତ ଆନୁକୂଲ୍ୟରେ ଏହି ଶୋଭାଯାତ୍ରା କରାଯାଇଥିଲା । ରାମପ୍ରେମୀ ଯୁବ ଶ୍ରଦ୍ଧାଳୁ ମାନେ ଶ୍ରୀରାମ ରଥ ସହ ବିଶାଳ ବାଇକ ଶୋଭାଯାତ୍ରା କରି ଶିଉଳା ଛକ ଜାଗେଶ୍ବରୀ ମନ୍ଦିର ଠାରୁ ବାହାରି ପିପିଲି ନଗର ଓ ଦାଣ୍ଡମୁକୁନ୍ଦପୁର ବଜାର ପରିକ୍ରମା କରିଥିଲେ । ତେବେ ଏହି ଶୋଭାଯାତ୍ରା ଯିବା ବାଟରେ ପିପିଲି ପତିତପାବନ ମନ୍ଦିର, ସଙ୍କଟ ମୋଚନ ହନୁମାନ ମନ୍ଦିର, ପୋଡେଇଶୁଣୀ ମନ୍ଦିର, ଦାଣ୍ଡମୁକୁନ୍ଦପୁର ଗୋପାଳ ଜୀୟୁ ମନ୍ଦିର ଠାରେ ଶ୍ରୀରାମ ରଥର ଭବ୍ୟ ସ୍ଵାଗତ କରାଯାଇଥିଲା ।

ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମ ତିଥି ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ପରମିଟ୍ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା । ଜୟ ଶ୍ରୀରାମ ଧ୍ୱନୀ ଏବଂ ବାଦ୍ୟ-ନୃତ୍ୟର ତାଳେ ତାଳେ ସମଗ୍ର ବାଲେଶ୍ୱର ସହର ରାମମୟ ହୋଇଉଠିଥିଲା । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଫାଟିପଡୁଥିଲା ସହରର ରାସ୍ତାଘାଟ । ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୩୦ ହଜାର ରାମଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଶ୍ରୀରାମ ଚେତନା ସହ ରାଷ୍ଟ୍ରୀୟ ଭକ୍ତି ସେମାନଙ୍କୁ ଟାଣିଆଣିଥିଲା ଏହି ଶୋଭାଯାତ୍ରାକୁ । ପରମିଟ ପଡ଼ିଆରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାପାଠ ଓ ସାମୂହିକ ହନୁମାନ ଚାଳିଶା ପାଠ ପରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା । ଜିଲ୍ଲା ସ୍କୁଲ ସାମନା ଦେଇ ଏଡିଏମ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ଗୋଳାପୋଖରୀ ଛକ, ଟାଉନଥାନା ଓ ସିନେମାଛକ ଦେଇ ଏହି ଶୋଭାଯାତ୍ରା ପୁନର୍ବାର ପରମିଟ ପଡିଆରେ ପହଞ୍ଚିଥିଲା ।

ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ତଥା ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲାରେ ପ୍ରଭୁ ଶ୍ରୀରାମଲାଲାଙ୍କ ନବମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ସହରର ସଦର ମହକୁମାଠାରେ ଥିବା ରଘୁନାଥ ଜୀଉ ମନ୍ଦିରରେ ଆଜି ଠାରୁ ଅଠର ଦିନ ଧରି ଉନ୍ମୁକ୍ତ ରଙ୍ଗମଞ୍ଚରେ ପାରମ୍ପରିକ ଶୈଳୀରେ ଲୀଳା ମହୋତ୍ସବ ଅନୁଷ୍ଠିତ ହେବ । ଏହି ପୀଠରେ ଶହେ ଦଶ ବର୍ଷ ହେଲା ପାରମ୍ପରିକ ଶୈଳୀରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କଥାବସ୍ତୁକୁ ନେଇ ଲୀଳା ନାଟକ ଅନୁଷ୍ଠିତ ହୋଇ ଆସୁଛି । ଗଡ଼ଜାତ ରାଜ୍ୟ ବୌଦ୍ଧ ଅଞ୍ଚଳରେ ପ୍ରାଚୀନ କାଳରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପାସନା ପ୍ରଚଳିତ ହୋଇ ଆସୁଛି ।

ଇଟିଭି ଭାରତ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି, ନିମାପଡ଼ା, ବାଲେଶ୍ବର, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.