ETV Bharat / state

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ, ଫାଟ ହୋଇଥିବା ବିମ୍‌ ତଳେ ଲାଗିବ ଷ୍ଟେନଲେସ୍‌ ଷ୍ଟିଲ୍‌ ବିମ୍‌

author img

By ETV Bharat Odisha Team

Published : Feb 23, 2024, 5:58 PM IST

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

Nata Mandap Repair Work: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ । ନିର୍ମାଣ ହେଉଛି ଲୁହା ଭାରା । ଏହାରି ଉପରେ ରହି ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବେ ଏଏସ୍‌ଆଇ ଓ କାରିଗର । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ନିକଟ ନାଟମଣ୍ଡପ ବିମ୍‌ରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମରାମତି ପାଇଁ ସ୍ବତନ୍ତ୍ର ଭାବେ ଏକ ଲୁହା ଭାରା ନିର୍ମାଣ କରାଯାଉଛି । ଏହି ଲୁହା ଭାରା ଉପରେ ଏଏସ୍‌ଆଇ ଅଧିକାରୀ ଓ କାରିଗରମାନେ ଉପସ୍ଥିତ ରହି ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବେ । ନାଟମଣ୍ଡପ ବିମ୍‌ରେ ଫାଟ ସୃଷ୍ଟି ହୋଇଥିବାବେଳେ ଏହାର ସୁରକ୍ଷା ପାଇଁ ଏହି ବିମ୍‌ ତଳେ ଚାରୋଟି ଷ୍ଟେନଲେସ୍‌ ଷ୍ଟିଲ୍‌ ବିମ୍‌ ଖଞ୍ଜାଯିବ । ଫଳରେ ଆଗାମୀ ଦିନରେ ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଅଧିକ କ୍ଷତିଗ୍ରସ୍ତ ହେବନାହିଁ । ଆସନ୍ତା ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହାର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‌ଆଇ ଲକ୍ଷ୍ୟ ରଖିଛି । ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ମରାମତି କାର୍ଯ୍ୟ ଜାରି ରହିବ ।

ତେବେ ନାଟମଣ୍ଡପ ବିମ୍‌ ମରାମତି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ଯେଭଳି ବାଧା ନଉପୁଜେ, ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ନାଟମଣ୍ଡପ ବିମ୍‌ ମରାମତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇପାରିବ ସେନେଇ ମହାପ୍ରଭୁଙ୍କ ନୀତିକାନ୍ତିକୁ ସଅଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ନାଟମଣ୍ଡପ ବିମ୍‌ର ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖାଯାଇ ଆସନ୍ତା ମାର୍ଚ୍ଚ ୧୯ ତାରିଖ ଯାଏଁ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସହ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ନାଟମଣ୍ଡପର ମରାମତି କରାଯିବ । ତେବେ ନାଟମଣ୍ଡପ ମରାମତି ସମୟରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନକରିବାକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ମରାମତି କାର୍ଯ୍ୟ ସନ୍ଧ୍ୟା ୭ଟାରେ ଶେଷ ହେବା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କୁ ଗରୁଡ଼ ସ୍ତମ୍ଭ ପଛପଟେ ଛଡ଼ା ନଯାଇ ସାତପାହାଚର ଡାହାଣ ପାର୍ଶ୍ଵରେ ସ୍ବତନ୍ତ୍ର ଲାଇନ୍ କରାଯାଇ ଜୟବିଜୟ ଦ୍ଵାର ଯାଏଁ ଭକ୍ତଙ୍କୁ ଛଡାଯାଉଛି । ତେବେ କିଭଳି ନାଟମଣ୍ଡପ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହୋଇପାରିବ, ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ସେବାୟତ କହିଛନ୍ତି । ଆଜିଠାରୁ ନାଟମଣ୍ଡପ ବିମ୍‌ର ମରାମତି କାର୍ଯ୍ୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ଅନୁଧ୍ୟାନ କରିବା ପାଇଁ ଏଏସ୍‌ଆଇର ଏକ ଏକ୍ସପର୍ଟ ଟିମ୍‌ ଶ୍ରୀମନ୍ଦିରକୁ ଆସିବ । ଏହି ଏକ୍ସପର୍ଟ ଟିମ୍‌ର ମତାମତ ଆଧାରରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଏଏସ୍‌ଆଇ ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.