ETV Bharat / state

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

author img

By ETV Bharat Odisha Team

Published : Feb 22, 2024, 7:08 PM IST

Updated : Feb 23, 2024, 7:10 AM IST

Nata Mandap repair work
Nata Mandap repair work

Nata Mandap repair work: ଆଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ପକ୍ଷରୁ କରାଯିବ ମରାମତି କାମ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଆଜି (ଶୁକ୍ରବାର)ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ନାଟମଣ୍ଡପ ବିମରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ନାଟମଣ୍ଡପ ବିମ୍‌ ତଳେ ଏକ ଷ୍ଟେନଲେସ ବିମ୍‌ର ଭାରା ସପୋର୍ଟ ଭାବେ ଲଗାଯିବ । ଫଳରେ ନାଟମଣ୍ଡପ ବିମ୍ ଉପରେ ଆଉ କୌଣସି ବିପଦ ରହିବ ନାହିଁ । ତେବେ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ସହ ବିଭିନ୍ନ ନୀତିକାନ୍ତି କରାଯାଇ ରାତ୍ର ୧୧ଟାରେ ପହୁଡ଼ ହେବ। ନାଟମଣ୍ଡପର ମରାମତି ପାଇଁ ଗରୁଡ଼ ସ୍ତମ୍ଭ ନିକଟରେ ଲୁହା ଭାରା ଲାଗିବାକୁ ଥିବାରୁ ଭକ୍ତଙ୍କ ଦର୍ଶନରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ ସେ ନେଇ ସାତପାହାଚରୁ ଗରୁଡ଼ ସ୍ତମ୍ଭ ପଛପଟେ ଭକ୍ତଙ୍କୁ ଛଡ଼ା ନଯାଇ ସାତପାହାଚ ଡାହାଣ ପାର୍ଶ୍ଵରେ ଥିବା ଗାରଦ ସମ୍ମୁଖ ରାସ୍ତାରେ ସ୍ବତନ୍ତ୍ର ଲାଇନ୍ କରାଯାଇ ଜୟବିଜୟ ଦ୍ଵାର ଯାଏଁ ଭକ୍ତଙ୍କୁ ଛଡାଯିବ । ସେହିପରି ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ସେନେଇ ଛତିଶା ନିଯୋଗ ସହିତ ସମନ୍ବୟ ରଖାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ନୀତି ପ୍ରଶାସକ କହିଛନ୍ତି।

ଏହା ବି ପଢନ୍ତୁ- ୨୩ରୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଫେବୃଆରୀ ୨୩ (ଆଜି)ରୁ ମାର୍ଚ୍ଚ ୧୯ ତାରିଖ ଭିତରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ କରିବ ଏଏସଆଇ । ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଏଏସଆଇ ପକ୍ଷରୁ ଏହି ମରାମତି କାର୍ଯ୍ୟ ଜାରି ରହିବ । ତେବେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଏଏସଆଇର ଅବହେଳାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ କାର୍ତ୍ତିକ ମାସରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ମରାମତି କାର୍ଯ୍ୟ ଆଖିଦୃଶିଆ ଆଗେଇ ପାରିନଥିଲା ।

ଏବେ ବର୍ତ୍ତମାନ ସେଭଳି ମହାପ୍ରଭୁଙ୍କ କୌଣସି ପର୍ବପର୍ବାଣି ନଥିବା ବେଳେ ଭକ୍ତଙ୍କ ଆଗମନ ମଧ୍ୟ କମ ରହିଛି । ତେଣୁ ଏହି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଫାଟ ଥିବା ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ସେପଟେ ଗତ କିଛିଦିନ ତଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ମଧ୍ୟ ଫାଟ ଥିବା ନେଇ ଏଏସଆଇର କାର୍ଯ୍ୟଧାରା ପ୍ରତି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଶ୍ରୀମନ୍ଦିର ଭଳି ଏକ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ଏଏସଆଇ ଗୁରୁତର ସହ କାର୍ଯ୍ୟ କରିବାକୁ ଭକ୍ତ ଓ ସେବାୟତ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated :Feb 23, 2024, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.