ETV Bharat / state

ଲକ୍ଷ୍ୟ ଅପରାଜୟ; ଭଣ୍ଡାର ଖୋଲିଛନ୍ତି ସରକାର, ୯ଦିନରେ ୧୩ ବଡ ଘୋଷଣା

author img

By ETV Bharat Odisha Team

Published : Feb 21, 2024, 5:36 PM IST

Govt Announced Welfare Schemes: ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ନିର୍ବାଚନ ତାରିଖ ଘୋଷଣା ହେବାମାତ୍ରେ ଲାଗିବ ଆଦର୍ଶ ଆଚରଣ ବିଧି । ହେଲେ ଏହା ପୂର୍ବରୁ କ୍ଷମତା ପାଇଁ ଅର୍ଥ ଓ ଯୋଜନା ଭଣ୍ଡାର ଖୋଲି ଦେଇଛନ୍ତି ଓଡିଶା ସରକାର । ମାତ୍ର ୯ ଦିନରେ ୧୩ ଟି ବଡ଼ ଘୋଷଣା କରିଛନ୍ତି ନବୀନ ସରକାର । ଅଧିକ ପଢନ୍ତୁ

govt announced 13 big welfare schemes
govt announced 13 big welfare schemes

ଲକ୍ଷ୍ୟ ଅପରାଜୟ ; ଭଣ୍ଡାର ଖୋଲିଛନ୍ତି ସରକାର, ୯ ଦିନରେ ୧୩ ବଡ ଘୋଷଣା

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 10 ପରେ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ନିର୍ବାଚନ ତାରିଖ ଘୋଷଣା ହେବାମାତ୍ରେ ଲାଗିବ ଆଦର୍ଶ ଆଚରଣ ବିଧି । ହେଲେ ଏହା ପୂର୍ବରୁ କ୍ଷମତା ପାଇଁ ଅର୍ଥ ଓ ଯୋଜନା ଭଣ୍ଡାର ଖୋଲି ଦେଇଛନ୍ତି ଓଡିଶା ସରକାର । ୧୦ ରୁ ୧୯ ତାରିଖ, ମାତ୍ର ୯ ଦିନରେ ୧୩ ଟି ବଡ଼ ଘୋଷଣା କରିଛନ୍ତି ନବୀନ ସରକାର । ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ପ୍ରୟାସ କରିଥିବାବେଳେ ନିର୍ବାଚନରେ ଫାଇଦା ମିଳିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ସେପଟେ ଶାସକ - ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ଏବେ ପଢନ୍ତୁ ଗତ 9 ଦିନରେ ରାଜ୍ୟ ସରକାର କେଉଁ ବଡ ଯୋଜନା ଘୋଷଣା କରିଛନ୍ତି ।

ଲକ୍ଷ୍ୟ ଅପରାଜୟ ; ଭଣ୍ଡାର ଖୋଲିଛନ୍ତି ସରକାର, ୯ ଦିନରେ ୧୩ ବଡ ଘୋଷଣା
ଲକ୍ଷ୍ୟ ଅପରାଜୟ ; ଭଣ୍ଡାର ଖୋଲିଛନ୍ତି ସରକାର, ୯ ଦିନରେ ୧୩ ବଡ ଘୋଷଣା

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି, ଚଳିତ ମାସରୁ ହେବ ଲାଗୁ

  • ଫେବୃଆରୀ ୧୦ -ରେ ମଧୁବାବୁ ପେନସନ ହିତାଧିକାରୀ ମାସିକ ପେନସନ ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୪୦ ଲକ୍ଷରୁ ଉର୍ଦ୍ଧ୍ବ ଉପକୃତ ହେବାବେଳେ ବାର୍ଷିକ ୩୬୮୩ କୋଟି ଖର୍ଚ୍ଚ କରିବେ ସରକାର ।
  • ଫେବୃଆରୀ ୧୧ - କେନ୍ଦୁପତ୍ର ତୋଳାଳୀଙ୍କୁ ଚଳିତ ଋତୁ ପାଇଁ ୫୦ ପ୍ରତିଶତ ବୋନସ ସହ ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ incentiveର ବ୍ୟବସ୍ଥା । ପ୍ରତି ବିଡା ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି ଓ ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି । ସାମୟିକ କର୍ମଚାରୀଙ୍କ T.A ଓ Cycle Allowance ୫୦ ପ୍ରତିଶତ ବୃଦ୍ଧି । ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ୨୫ ହଜାର ଲେଖାଏଁ ସହାୟତା । ପ୍ରାୟ ୯ ଲକ୍ଷ ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ । ଖର୍ଚ୍ଚ ହେବ ପ୍ରାୟ ୧୫୦ କୋଟି ।
  • ଫେବ୍ରୁଆରୀ ୧୨ - ଯୁବ ଭୋଟରଙ୍କୁ ନଜରରେ ରଖି ଆସିଲା ନୂଆ ସ୍କିମ ‘ସ୍ବୟମ’ । ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ । ଖର୍ଚ୍ଚ ହେବ ୪୪୮ କୋଟି ଓ ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୧ ଲକ୍ଷ ଯୁବକ ଯୁବତୀ । ସେହିପରି ଖାଦ୍ୟ ସୁରକ୍ଷା ହିତାଧିକାରୀ ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା ମିଳିବ । ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଖର୍ଚ୍ଚ ହେ ୯୫୯.୫ କୋଟି ।
  • ଫେବୃଆରୀ ୧୩ - ଛାତ୍ରଛାତ୍ରୀ ବୃତ୍ତି ଘୋଷଣା କଲେ ସରକାର । ସାଧାରଣ ବର୍ଗ ଛାତ୍ରଙ୍କୁ ୯ ହଜାର, ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି । ସେହିପରି ଏସସି/ଏସଟି, ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ବୃତ୍ତି । ଆସନ୍ତା ଶିକ୍ଷାବର୍ଷରୁ ୩୦୦ କୋଟି କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ ହେବ । ସ୍ନାତକର ୪.୫ ଲକ୍ଷ ଓ ସ୍ନାତକୋତ୍ତରର ୩୨ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ।
  • ଫେବୃଆରୀ ୧୩ - ଚଳିତ ଆର୍ଥିକ ବର୍ଷରେ ବିଜୁଳି ଦର ନବଢ଼େଇବାକୁ ଘୋଷଣା କରିଛନ୍ତି ସରକାର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ୧୦ ପଇସା ଓ ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକେ ଉପକୃତ ହେବେ ।
  • ଫେବୃଆରୀ ୧୩ - ମମତା ଯୋଜନା ସହାୟତା ରାଶି ୨ ଗୁଣ ହୋଇଛି । ନୂଆ ନିଷ୍ପତ୍ତି ଅନୁସାରେ ୨ଟି କିସ୍ତିରେ ୫ ହଜାର ବଦଳରେ ୧୦ ହଜାର ସହାୟତା ମିଳିବ । ଯୋଜନା ଆରମ୍ଭରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତି ଉପକୃତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ୨୯୦୦ କୋଟି ହିତାଧିକାରୀଙ୍କ ଖାତାକୁ ଯାଇଛି ।
  • ଫେବୃଆରୀ ୧୪ - ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସହାୟତା ରାଶି ବୃଦ୍ଧି । ହିତାଧିକାରୀ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ । ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ପାଇବେ । ୮୦ ହଜାର କଳାକାର ଉପକୃତ ହେବାକୁ ଥିବାବେଳେ ବର୍ଷକୁ ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର ।
  • ସେହିଦିନ ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରଙ୍କ ପାଇଁ ଖୁସି ଖବର ଦେଇଥିଲେ ସରକାର । ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା । ବୁଣାକାର, ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା । ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦ ଟଙ୍କା । ରାଜ୍ୟରେ ୧୨୫୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧୫୦୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି ।
  • ଫେବୃଆରୀ ୧୬ - ୟୁନିଫର୍ମ ବାବଦରେ ଏସଏଚଜି ସଦସ୍ୟାଙ୍କୁ ମିଳିବ ୧ ହଜାର ଲେଖାଏଁ ଟଙ୍କା । ଏହା ସହିତ ପ୍ରାୟ ୧.୫ ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟଙ୍କୁ ବ୍ଲେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ମିଳିବ । ଉପକୃତ ହେବେ ପ୍ରାୟ ୭୦ ଲକ୍ଷ । ସରକାର ଖର୍ଚ୍ଚ କରିବେ ୭୩୦ କୋଟି ।
  • ଫେବୃୟାରୀ ୧୭ - ବିଦ୍ୟାଳୟରେ ପାଚିକା ତଥା ସହାୟିକାଙ୍କ ପାରିଶ୍ରମିକ ରାଶି ୧୪୦୦ ରୁ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଯଦି ପାଚିକା ଏବଂ ସହାୟିକା କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି, ସେମାନଙ୍କ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କା ସହାୟତା । ୫୫ ହଜାର ବିଦ୍ୟାଳୟରେ କାମ କରୁଥିବା ୧ ଲକ୍ଷ ୧୦ ହାଜର ପାଚିକା ଓ ସହାୟିକା ଉପକୃତ ହେବେ । ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ।
  • ଫେବୃଆରୀ ୧୭ - କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ବାର୍ଷିକ ୧୨ ହଜାରୁ ୧୮ ହଜାରକୁ ବୃଦ୍ଧି ହୋଇଛି । ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ । ଉପକୃତ ହେବେ ୧୩,୬୦୦ କୃଷକ ସାଥି ।
  • ଜନଜାତି ଛାତ୍ରୀ ନିବାସରେ କର୍ଯ୍ୟରତ ମାଟ୍ରନଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । କାର୍ଯ୍ୟରତ ମାଟ୍ରନ ମୃତ୍ୟୁଙ୍କ କ୍ଷେତ୍ରରେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ୨ ଲକ୍ଷ ସହାୟତା ରାଶି ମିଳିବ । ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ସମୟରେ ଏକକାଳୀନ ୧ ଲକ୍ଷ ସହାୟତା ମିଳିବ । ସରକାର ବାର୍ଷିକ ପ୍ରାୟ ୧୫ କୋଟି ଖର୍ଚ୍ଚ କରିବେ ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା; ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

ରାଜ୍ୟ ସରକାରଙ୍କ ଘୋଷଣା ବର୍ଷାକୁ ନେଇ ରାଜନୈତିକ ସମୀକ୍ଷକ କେ ରବି କହିଛନ୍ତି, "ନିର୍ବାଚନ ପୂର୍ବରୁ ପ୍ରାୟ ସବୁ ସରକାର ଏପରି କରନ୍ତି । ଭୋଟକୁ ଆଖି ଆଗରେ ରଖି ଟାର୍ଗେଟ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି ସରକାର । ସେହିପରି ନବୀନ ସରକାର କିଛି ଦିନ ହେଲା ଠିକ ସେହିପରି କରିଛନ୍ତି । ଯୁବ ବର୍ଗ, ମହିଳା, ଆଦିବାସୀ, ବୁଣାକାର ଓ କଳାକାରଙ୍କୁ ନଜରରେ ରଖି ଘୋଷଣା କରିଛନ୍ତି ।"

ସେପଟେ ସରକାରଙ୍କ ଯୋଜନା ବର୍ଷାକୁ ନେଇ ଶାସକ ଦଳ ବିଜେଡିକୁ ଘେରିଛନ୍ତି ବିରୋଧୀ । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି ଯେ, ନିର୍ବାଚନ ଆସିଲେ ସରକାରଙ୍କୁ ରାଜ୍ୟରେ ଥିବା ମହିଳା ଓ ଏସଏଚଜିଙ୍କ କଥା ମନେପଡେ । ଭୟଭୀତ ଥିବାରୁ ମହିଳା ଓ ଯୋଜନା ଘୋଷଣାଙ୍କୁ ଅସ୍ତ୍ର କରି ନିର୍ବାଚନ ଜିତିବାକୁ ବିଜେଡି ଚାଲ କରିଛି ।

ସେହିପରି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ଵାଳ କହିଛନ୍ତି, ମହିଳା କିମ୍ବା କୌଣସି ବର୍ଗଙ୍କୁ ଟଙ୍କା ଦେଇ ସ୍ବାବଲମ୍ବୀ କରି ପାରିବେନାହିଁ ସରକାର । ଟଙ୍କା ସହ ମାର୍କେଟ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ସେପଟେ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଭୋଟ ପାଇଁ ନୁହେଁ ମହିଳା ସଶକ୍ତିକରଣ ପାଇଁ ଦେଶରେ ଅନ୍ୟାନ୍ୟ ସ୍ଥାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର ଲଗାତାର ଭାବେ କାର୍ଯ୍ୟ କରିଚାଲିଛନ୍ତି ।

ସାଧାରଣ ନିର୍ବାଚନ ପାଇଁ କୌଣସି ମୁହୂର୍ତ୍ତରେ ବି ଲାଗିପାରେ ଆଦର୍ଶ ଆଚରଣ ବିଧି । ତା ପୂର୍ବରୁ ଭୋଟ ଗୋଟାଇବା ଲାଗି ବିଭିନ୍ନ ବର୍ଗଙ୍କୁ ଲକ୍ଷ୍ୟ କରି ଯୋଜନା ଥୋପ ପକାଇ ଚାଲିଛନ୍ତି ରାଜ୍ୟ ସରକାର । ଯୋଜନା ବର୍ଷା ପାଇଁ କେତେ ସଫଳତା ବିଜେଡିକୁ ମିଳୁଛି ଆଗାମୀ ନିର୍ବାଚନ ଫଳାଫଳ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.