ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି, ଚଳିତ ମାସରୁ ହେବ ଲାଗୁ

author img

By ETV Bharat Odisha Team

Published : Feb 10, 2024, 5:26 PM IST

Chief Minister Naveen Patnaik
Chief Minister Naveen Patnaik

Madhu Babu Pension Yojana: ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ରହିଛି । ଚଳିତ ଫେବ୍ରୁଆରୀରୁ ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ବାର୍ଷିକ ଖର୍ଚ୍ଚ ହେବ ୩୬୮୩ କୋଟି ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ରହିଛି । ଚଳିତ ଫେବ୍ରୁଆରୀରୁ ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ବାର୍ଷିକ ଖର୍ଚ୍ଚ ହେବ ୩୬୮୩ କୋଟି ଟଙ୍କା । ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ ପ୍ରମାଣିତ ହେବ ।

ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ ହିତାଧିକାରୀ ଚଳିତ ଫେବୃଆରୀ ମାସରୁ ପାଇବେ । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅଧିକ ପଢନ୍ତୁ- ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ । ଗତବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା । ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି ।

ଅଧିକ ପଢନ୍ତୁ- ଖୁବଶୀଘ୍ର ବଢିବାକୁ ଯାଉଛି ମଧୁବାବୁ ପେନସନ ଭତ୍ତା ରାଶି !

ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡସ ସେଲ ଦ୍ବାରା ଚିହ୍ନଟକୃତ ଏଡସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଦ୍ବାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି । ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଉଥିଲେ । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ । ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.