ETV Bharat / state

ଖୁବଶୀଘ୍ର ବଢିବାକୁ ଯାଉଛି ମଧୁବାବୁ ପେନସନ ଭତ୍ତା ରାଶି !

author img

By

Published : Aug 9, 2023, 6:53 AM IST

Updated : Aug 9, 2023, 1:05 PM IST

ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନରେ ଗଡ଼ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ପୁଣି ଥରେ କ୍ଷମତାକୁ ଫେରିବା ଲାଗି ବିଭିନ୍ନ ଯୋଜନାକୁ ହାତକୁ ନେଇଛନ୍ତି ସରକାର । ସେହିପରି ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

19215987ଖୁବଶୀଘ୍ର ବଢିବାକୁ ଯାଉଛି  ମଧୁବାବୁ ପେନସନ  ଭତ୍ତା ରାଶି !
19215987ଖୁବଶୀଘ୍ର ବଢିବାକୁ ଯାଉଛି ମଧୁବାବୁ ପେନସନ ଭତ୍ତା ରାଶି !

ମଧୁବାବୁ ପେନସନ ଭତ୍ତା ରାଶି

ଭୁବନେଶ୍ବର: ଖୁବଶୀଘ୍ର ବଢିବାକୁ ଯାଉଛି ମଧୁବାବୁ ପେନସନ ଉପଭୋକ୍ତାଙ୍କ ଆର୍ଥିକ ରାଶି । ଆର୍ଥିକ ରାଶି ବୃଦ୍ଧି କରିବା ଲାଗି ଆସିଥିବା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଯୋଜନା ବାବଦରେ ଅତିରିକ୍ତ ଖର୍ଚ୍ଚକୁ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ପଠା ଯାଇଛି ।

ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନରେ ଗଡ଼ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ପୁଣି ଥରେ କ୍ଷମତାକୁ ଫେରିବା ଲାଗି ବିଭିନ୍ନ ଯୋଜନାକୁ ହାତକୁ ନେଇଛନ୍ତି ସରକାର । ସେହିପରି ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ । ହେଲେ ଏହି ଯୋଜନାର ଆର୍ଥିକ ରାଶି ବୃଦ୍ଧି କରିବା ଲାଗି ଦାବି ହୋଇଆସୁଛି । ଗତ କିଛି ବର୍ଷ ମଧ୍ୟରେ ଦରଦାମ ଅହେତୁକ ଭାବେ ବୃଦ୍ଧି ଘଟିଛି । ଆର୍ଥିକ ରାଶି ବୃଦ୍ଧି କରିବାରେ ଯଥାର୍ଥତା ରହିଛି । ନିର୍ବାଚନ ଓ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରହି ରାଶି ବୃଦ୍ଧିର ଆବଶ୍ୟକତା ରହିଛି ।

ଏହାବି ପଢନ୍ତୁ- ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ନୂଆ 4.13 ଲକ୍ଷ ହିତାଧିକାରୀ

ମଧୁବାବୁ ପେନସନ ଯୋଜନା ବୃଦ୍ଧି ଲାଗି ଗତ କିଛି ବର୍ଷ ହେଲା ଦାବି ହୋଇଆସୁଛି । ଅନ୍ୟ ରାଜ୍ୟ ତୁଳନାରେ ଏହି ରାଶି ବହୁତ କମ ରହିଛି । ତେଣୁ ଏହି ରାଶି ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି । ତେବେ ରାଜ୍ୟର ଆର୍ଥିକ ପରିଚାଳନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ରାଶି ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ଅର୍ଥ ବିଭାଗ ଅତିରିକ୍ତ ଖର୍ଚ୍ଚ ବାବଦରେ ଆକଳନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଛି । ସରକାର ଆସନ୍ତା କ୍ୟାବିନେଟ କିମ୍ବା ସେପ୍ଟେମ୍ବର ମାସ ପ୍ରାରମ୍ଭରେ ବସିବାକୁ ଯାଉଥିବା ବିଧାନସଭା ଅଧିବେଶନରେ ଏନେଇ ଘୋଷଣା ହେବ ବୋଲି ସୂଚନା ମିଳିଛି ।

ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି ଯେ, ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯୋଜନାରେ ସାମିଲ ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ । ଏହା ଏକ ଭଲ କାର୍ଯ୍ୟକ୍ରମ । ଭତ୍ତା ରାଶି ବୃଦ୍ଧି ଦାବି ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ସେହିପରି ରାଜନୀତି ସମୀକ୍ଷକ ରବି ଦାସଙ୍କ କହିବା କଥା ହେଉଛି ଯେ, ଓଡିଶା ସରକାରଙ୍କ ଆର୍ଥିକ ସ୍ଥିତି ଭଲ । ଯେହେତୁ ନିର୍ବାଚନ ବର୍ଷ, ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଯୋଜନା କରିଛନ୍ତି । ମଧୁବାବୁ ପେନସନ ଅକାରକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବଂ ଆଗାମୀ ଦିନରେ ପେନସନ ପରିମାଣକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପେନସନ ରାଶି ପାଇଁ ଅନେକ ବୟସ୍କ ବିଜେଡିକୁ ସମର୍ଥନ କରୁଛନ୍ତି । ଏହାର ପରିସର ବଢ଼ିଥିବାବେଳେ ଟଙ୍କା ବଢିଗଲେ ବିଜେଡିର ଭୋଟ ବ୍ୟାଙ୍କ ଭଳି କାର୍ଯ୍ୟ କରିବ ।

ସେହିପରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ଯେ, ବିଜେଡିର ସଲିଡ଼ ଭୋଟ ବ୍ୟାଙ୍କ ହେଉଛନ୍ତି ମହିଳା, ଶ୍ରମିକ ଗୋଷ୍ଠୀ, ମଧୁବାବୁ ପେନସନ ଉପଭୋକ୍ତା । ମଧୁବାବୁ ପେନସନ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଏହାକୁ ରୁଦ୍ଧିମନ୍ତ କରିବ । ପ୍ରାୟ ସାଢ଼େ ୪ ଲକ୍ଷ ଭୋଟ ସିଧାସଳଖ ବିଜେଡି ଖାତାକୁ ଯିବ । ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ କହିବାରେ ଭୁଲ ହେବନାହିଁ । ରାଶି ବୃଦ୍ଧି ପାଇଁ ବହୁ ଦିନରୁ ଦାବି ହୋଇଆସୁଛି । ନିର୍ବାଚନ ଆସୁଛି, ଅନେକ ଦାବି ପୂରଣ ହେବ । ଏହି ଦାବି ଅନ୍ୟତମ । ରାଜ୍ୟ ସରକାର ଟଙ୍କା ଗାଦି ଉପରେ ବସିଥିବାରୁ ଏଥିରେ ସମସ୍ୟା ହେବନାହିଁ । ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ଯେ, ନୂତନ ଭତ୍ତା ସଂଖ୍ୟା ବୃଦ୍ଧି ହୋଇଛି । ଭତ୍ତା ପରିମାଣ ବୃଦ୍ଧି ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଆର୍ଥିକ ପରିସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ବର୍ତ୍ତମାନ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଆଗକୁ ହୋଇପାରେ ।

ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବର୍ତ୍ତମାନ ୨୮ ଲକ୍ଷ ୬୧ ହଜାରରୁ ୩୨ ଲକ୍ଷ ୭୫ ହଜାରକୁ ହୋଇଛି । ବୟସ୍କ, ବିଧବା, ଦିବ୍ୟାଙ୍ଗ, ଏଡ୍ସ ରୋଗୀ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲାଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ ଦିଆଯାଉଛି । ୭୯ ବର୍ଷ କିମ୍ବା ତାଠୁ କମ ହିତାଧିକାରୀଙ୍କୁ ମାସିକ ୫ ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ ଶହ ଟଙ୍କା ମିଳୁଛି । ସେହିପରି ୪୦ ରୁ ୫୯ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ ଶହ, ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ ବର୍ଷରୁ ଅଧିକଙ୍କୁ ମାସିକ ୯ ଶହ ଟଙ୍କା ପେନସନ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି ରାଶି ଆଗାମୀ ଦିନରେ ବୃଦ୍ଧି ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 9, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.