ETV Bharat / state

ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା; ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

author img

By ETV Bharat Odisha Team

Published : Feb 14, 2024, 7:44 PM IST

Weaver Handicrafts Assistance: ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା । ଆରମ୍ଭ ହୋଇଛି 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା' । ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ପସିବେ ୨୦୦୦ ଟଙ୍କା ଲେଖାଏ ସହାୟତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ମାସକୁ ମିଳିବ ୨୫୦୦ ଟଙ୍କା ସହାୟତା । ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik

ଭୁବନେଶ୍ବର: ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା । ଆରମ୍ଭ ହୋଇଛି 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା' । ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ମାସକୁ ମିଳିବ ୨୫୦୦ ଟଙ୍କା ସହାୟତା । ପୂର୍ବରୁ ବରିଷ୍ଠ ବୁଣାକାର ମାସକୁ ୫୦୦ ଟଙ୍କା ସହାୟତା ପାଉଥିବା ବେଳେ ବରିଷ୍ଠ ହସ୍ତଶିଳ୍ପ କାରିଗରଙ୍କ ପାଇଁ ନଥିଲା ସହାୟତା । ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା ।

ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରଙ୍କ ପାଇଁ ଖୁସି ଖବର । ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା' ଆରମ୍ଭ । ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଅଧିକ ପଢନ୍ତୁ- କଳାକାର ସହାୟତା ରାଶିରେ ବୃଦ୍ଧି: ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

୮୦ ବର୍ଷରୁ ଊର୍ଦ୍ଧ୍ବ ଉଭୟ ମହିଳା ଓ ପୁରୁଷ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରଙ୍କୁ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ବରିଷ୍ଠ ବୁଣାକାର ସହାୟତା ଯୋଜନାର ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ମାସ ୨୦ରୁ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ ।

ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟରେ ୧୨୫୦୦୦ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବାବେଳେ ୧୫୦୦୦୦ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି । ତେବେ ପରିଣତ ବୟସରେ ବୁଣାକାରଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ “ବରିଷ୍ଠ ବୁଣାକାର ସହାୟତା ଯୋଜନା“ ଥିବାବେଳେ ବରିଷ୍ଠ ହସ୍ତଶିଳ୍ପ କାରିଗରଙ୍କ ପାଇଁ କୌଣସି ଯୋଜନା ନାହିଁ ।

ବୁଣାକାର ୬୦ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରଙ୍କର କଲ୍ୟାଣ ନିମନ୍ତେ “ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା“ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତା

କ- ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକାରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।

ଖ) ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇନଥିବ ।

ଗ) ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ ।

ଘ) ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନ ଭୋଗୀ ହୋଇନଥିବେ ।

ଙ) ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ ।

ଚ) ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରଙ୍କ ଆଧାର ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧାସଳଖ DBT ଦ୍ଵାରା ପ୍ରଦାନ କରାଯିବ ।

ଛ) ଏହି ଯୋଜନା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ । ଏଥି ନିମନ୍ତେ ଆବଶ୍ୟକୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଜାରି କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.