ETV Bharat / state

କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 3, 2024, 8:17 PM IST

PM Narendra Modi
PM Narendra Modi

PM Narendra Modi Addresses Public Meeting: ଓଡିଶାର ମାନ ସମ୍ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ସବୁ କାମ କରିଛନ୍ତି । ଜି-20ର ଏକାଧିକ ବୈଠକ ଓଡିଶାରେ ଆୟୋଜିତ ହୋଇଥିଲା । ଜି20 ଭଳି ବିଶ୍ବସ୍ତର ମହାମଞ୍ଚରେ ଓଡିଶାକୁ ଉଚିତ ସମ୍ମାନ ମିଳିଥିଲା । ଜି20 ସମିଟରେ ବିଶ୍ବନେତାଙ୍କ ସ୍ବାଗତ ସ୍ଥାନରେ ଓଡିଶାର କୋଣାର୍କଚକ୍ର ସ୍ଥାନ ପାଇଥିଲା। ଅଧିକ ପଢନ୍ତୁ

କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ଭଗବାନ ଜଗନ୍ନାଥ ଯେଉଁ ମାଟିରେ ବିରାଜମାନ ସେହି ମାଟିର ବିକାଶ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କୌଣସି ସୁଯୋଗ ଛାଡିନାହିଁ। ପୁରା ଓଡିଶାର ବିକାଶ ପାଇଁ ଆମ ସରକାର ବଦ୍ଧପରିକର । ବିକାଶ କ୍ଷେତ୍ରରେ ଆଜିର ଦିନଟି ଓଡିଶା ପାଇଁ ଐତିହାସିକ । ରାଜ୍ୟବାସୀଙ୍କ ପାଇଁ ଆଜି 68 ହାଜର କୋଟି ମୁଲ୍ୟର ଏକାଧିକ ପ୍ରକଳ୍ପର ଉଦଘାନ ଓ ଶିଳାନ୍ୟାସ ହୋଇଛି । ସମ୍ବଲପୁର ରେମେଡ ପଡିଆରେ ଆଯୋଜିତ ମୋଦି ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ- ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ଜୟ ଜଗନ୍ନାଥ ଓ ମା’ ସମଲେଶ୍ବରୀଙ୍କ ଉଦଘୋଷରୁ ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବରପୁତ୍ର ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେର ସନ୍ଥକବି ଭୀମ ଭୋଇଙ୍କ ଭଳି ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ଏହାସହ ପଦ୍ମ ସମ୍ମାନ ପାଇଁ ଚଳିତ ବର୍ଷ ଘୋଷଣା ହୋଇଥିବା ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ଭାଗବତ ପ୍ରଧାନ ଓ ବିନୋଦ କୁମାର ପଶାୟତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ ।

ଏହା ପରେ ମୋଦି ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆଜି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଗର୍ବ ଗୌରବର ଦିନ। ଆଜି ଭାରତୀୟ ରାଜନୀତିର ଅନ୍ୟତମ ଜନନାୟକ ପ୍ରବୀଣ ରାଜନେତା ଆମଦଳର ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀଙ୍କୁ ଭାରତ ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମାନ ପାଇଁ ଆଜି ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତା ଆନନ୍ଦିତ । ଓଡିଶା ମାଟିର ବିକାଶ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କୌଣସି ସୁଯୋଗ ଛାଡିନାହିଁ। ପୁରା ଓଡିଶାର ବିକାଶ ପାଇଁ ଆମ ସରକାର ବଦ୍ଧପରିକର । ବିକାଶ କ୍ଷେତ୍ରରେ ଆଜିର ଦିନଟି ଓଡିଶା ପାଇଁ ଐତିହାସିକ । ରାଜ୍ୟବାସୀଙ୍କ ପାଇଁ ଆଜି 68 ହାଜର କୋଟି ମୁଲ୍ୟର ଏକାଧିକ ପ୍ରକଳ୍ପର ଉଦଘାନ ଓ ଶିଳାନ୍ୟାସ ହୋଇଛି । ଦେଶର ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ କାମ କରୁଛନ୍ତି । ଏକାଧିକ ଯୋଜନା ପ୍ରଣୟନ କରିଛନ୍ତି। ଦେଶର ଗରିବଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନ୍ତରୀଣ ବଜେଟରେ ଗ୍ୟାରେଣ୍ଟି ରହିଛି । ମୋଦି ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୁରା ହେବାର ଗ୍ୟାରେଣ୍ଟି ।’’

ସେହିପରି ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ସମାବେଶରେ ସମ୍ବୋଧିତ କରି କହିଥିଲେ ଆଜି ଓଡିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଦେଶର କୌଣସି ଗରିବ ଲୋକ କଚ୍ଚା ଘରେ ରହିବ ନାହିଁ । ଆହୁରି 2 କୋଟି ପକ୍କା ଘର ନିର୍ମାଣ ପାଇଁ ବଜେଟରେ ଘୋଷଣା ହୋଇଛି । ଏହା ହେଉଛି ମୋଦି ଗ୍ୟାରେଣ୍ଟି । ପିଏମ କିଷାନ ଯୋଜନାରେ ଓଡିଶାର ୪୦ ଲକ୍ଷ ଚାଷୀ ଲାଭାନ୍ବିତ ହେଉଛନ୍ତି । ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି। ଆଗତ ହୋଇଥିବା ଅନ୍ତରୀଣ ବଜେଟରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ବ୍ୟବସ୍ଥ ହୋଇଛି। ସରକାର ଚାଷୀମାନଙ୍କ ପାଇଁ ‌ନାନା-ଡିଏପି ଉତ୍ପାଦନ କରୁଛନ୍ତି । ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ବିଜେପି ସରକାରର ପ୍ରାଥମିକତା। କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି ଦଶ ପୂର୍ବେ ଦେଶରେ ଯେଉଁ ସରକାର ଥିଲା ଓଡିଶାରୁ ୩୬ ହଜାର କୋଟିର ଧାନ କିଣିଥିଲା । ବର୍ତ୍ତମାନ ଆମ ସରକାର 1 ଲକ୍ଷ 10 ହଜାର କୋଟିର ଧାନ କିଣିଲାଣି । ଦେଶର ଗରିବ, ମଧ୍ୟବିତ ଲୋକଙ୍କୁ ସଶକ୍ତ ସମୃଦ୍ଧ କରିବା ପାଇଁ ବିଜେପି ସରକାର ଲଗାତାର ଭାବେ କାମ କରୁଛନ୍ତି । ଗରିବଙ୍କ ରୋଜଗାର ବଢିଲେ ଆର୍ଥିକ ଭାବେ ସଶକ୍ତ ହେବେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶବାସୀଙ୍କ ବିଜୁଳି ବିଲ ଶୂନ୍ୟ କରିବା ଆମର ଲକ୍ଷ୍ୟ ରହିଛି । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ରୁଫଟପ ସୋଲାର ଯୋଜନା । ଏହି ଯୋଜନା ଦ୍ବାରା ରୋଜଗାର ସମ୍ଭାବନା ବଢିବ । ଓଡିଶା ହେଉଛି ଭଗବାନ ସୂର୍ଯ୍ୟଙ୍କ ରାଜ୍ୟ । ଏଠି ସୋଲାର ଲାଇଟ ଜଳିବ ।

ଅଧିକ ପଢନ୍ତୁ- ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

ସେହିଭଳି ଓଡିଶାର ବିକାଶ ନେଇ ପ୍ରଧାନମନ୍ତ୍ରୀ ହିସାବ ଦେଇ କହିଛନ୍ତି ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପିଇବା ପାଣି ପାଇପ ଯୋଗେ ଯୋଗାଇ ଦିଆଯାଉଛି । ଓଡିଶାର ଏସଏଚଜି ମା’ମାନଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳିବାକୁ ଯାଉଛି । ଓଡିଶାର ସାଢେ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡିଶାକୁ ତାର ହକ ମଧ୍ୟ ମିଳୁନଥିଲା । କିନ୍ତୁ ସମୟ ସହ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଓଡିଶାର ବିକାଶ ପାଇଁ କୌଣସି ଅର୍ଥ ଅଭାବ ରହିନାହିଁ । ପୂର୍ବ ସରକାର ଓଡିଶାର ଗରିବୀକୁ ନେଇ ପ୍ରଚାର କରୁଥିଲା। ସମୃଦ୍ଧ ଓଡିଶାକୁ ବିକାଶରୁ ବଞ୍ଚିତ କରିଥିଲେ । ଦେଶରେ ଆଜି ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି । ଆହୁରି 2 କୋଟି ଲକ୍ଷ ପତି ଦିଦି ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଉଥିବା ଆମର ଆଶା, ଅଙ୍ଗନବାଡି କର୍ମୀଙ୍କୁ ଆୟୁଷ୍ମାନ ଭାରତର ଯୋଜନାରେ ସାମିଲ କରାଯିବ । ପୂର୍ବ ସରକାରରେ ଭାରତୀୟ ଯୁବବର୍ଗ ନିରାଶାରେ ଥିଲେ । ଏବେ ଯୁବକଙ୍କ ପଛରେ ବିଶ୍ବସ୍ତ ବିଜେପି ସରକାର ରହିଛି । ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁନାହିଁ। କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି। ଯାହା ପାଖରେ କାହାର ସାହାରା ନାହିଁ, ତା ପାଖରେ ମୋଦିର ଗ୍ୟାରେଣ୍ଟି ରହିଛି ।

ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରସରକାରଙ୍କ ଉଦ୍ୟମରେ ଓଡିଶାରେ ନୂଆ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି । ମୁଁ ଯେଉଁ ସମ୍ବଲପୁରୀ ପୋଷାକ ପିନ୍ଧିଛି ଏହା ମୋ ପାଇଁ ପ୍ରସାଦ ସଦୃସ। ଯେଉଁ ପରିବାର ଏହାକୁ ବୁଣିଛନ୍ତି ତାଙ୍କୁ ନେଇ ମୁଁ ଗର୍ବ କରୁଛି। ସେମାନଙ୍କ ପରିଶ୍ରମକୁ ସଲାମ କରୁଛି। ଓଡିଶାରେ ବହୃତ ସଂଖ୍ୟାରେ ଆମର ଆଦିବାସୀ ଜନଜାତି ଭାଇଭଉଣୀ ବସବାସ କରୁଛନ୍ତି। କିନ୍ତୁ ଦଶନ୍ଧୀ ଦଶନ୍ଧୀ ଧରି ଶାସନରେ ଥିବା ଦଳ ଆଦିବାସୀଙ୍କ ବିକାଶ ପାଇଁ କିଛି କରିନାହାଁନ୍ତି। ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରିଛନ୍ତି। ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଓଡିଶାର ମାନ ସମ୍ମାନ ବୃଦ୍ଧି ପାଇଁ ମଧ୍ୟ କେନ୍ଦ୍ର ସରକାର ସବୁ କାମ କରିଛନ୍ତି । ଜି-20ର ଏକାଧିକ ବୈଠକ ଓଡିଶାରେ ଆୟୋଜିତ ହୋଇଥିଲା । ଜି20 ଭଳି ବିଶ୍ବସ୍ତର ମହାମଞ୍ଚରେ ଓଡିଶାକୁ ଉଚିତ ସମ୍ମାନ ମିଳିଥିଲା । ଜି20 ସମିଟରେ ବିଶ୍ବନେତାଙ୍କ ସ୍ବାଗତ ସ୍ଥାନରେ ଓଡିଶାର କୋଣାର୍କଚକ୍ର ସ୍ଥାନ ପାଇଥିଲା। ଆଜି ବିଶ୍ବନେତାଙ୍କ ଫଟୋ ଓଡିଶାର କୋଣାର୍କଚକ୍ର ସହିତ ସାରା ବିଶ୍ବରେ ଝଲସୁଛି । ଆଜି ଓଡିଶା ମାଟିର ଝିଅ, ଆଦିବାସୀ ଝିଅ ଆମ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ । ବିଜେପି ସରକାର ଓଡିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛନ୍ତି । ହେଲେ କଂଗ୍ରେସ ଓ କଂଗ୍ରେସର ସହଯୋଗୀ ଦଳ ମାନେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ପାଇଁ ସବୁ ଶକ୍ତି ଲଗାଇଦେଇଥିଲେ ।

ଅଧିକ ପଢନ୍ତୁ- ସମ୍ବଲପୁର IIM ନୂଆ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ସମ୍ବଲପୁର ରେମେଡ ପଡିଆରେ ଆୟୋଜିତ ହୋଇଥିବା ବିଜେପିର ଏହି ମୋଦି ଗ୍ୟାରେଣ୍ଟି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ, ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାୟକ, ବରିଷ୍ଠ ନେତା ରବି ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.