ETV Bharat / state

ପୋଲିସ ଉପସ୍ଥିତିରେ ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ମାମଲା, 2 ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର - YOUTH Died FALLING FROM TRAIN

author img

By ETV Bharat Odisha Team

Published : Apr 16, 2024, 12:24 PM IST

ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ମାମଲା
ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ମାମଲା

Orissa HC Order: ଚଳନ୍ତା ଟ୍ରେନରୁ ପଡି ଯୁବକ ମୃତ୍ୟୁ ଘଟଣାରେ ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

କଟକ: ପୋଲିସ ଉପସ୍ଥିତିରେ ଟ୍ରେନରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା । ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ହେପାଜତରେ ଥିବା ବ୍ୟକ୍ତିକୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରଥମ ଦାୟିତ୍ବ । ଏହା ଏକ ହେପାଜତ ମୃତ୍ୟୁ ଘଟଣା, ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ବୋଲି ହାଇକୋର୍ଟ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣାର ତଦନ୍ତ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନଥିବା ପ୍ରସଙ୍ଗକୁ ହାଇକୋର୍ଟ ବିଚାରକୁ ନେଇ ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ରାଜ୍ୟ ସରକାର ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ୧୦ ସପ୍ତାହ ଭିତରେ ଏହି ରାଶି ହାଇକୋର୍ଟରେ ରାଜ୍ୟ ସରକାର ଜମା କରିବେ । ଡକ୍ଟର ଜ‌ଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ପୁହାଣଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ଆବେଦନକାରୀଙ୍କ ପୁଅ ଅମ୍ରିତ କଲେଜରେ +୩ ପଢୁଥିବା ବେଳେ ତାଙ୍କର ଭଦ୍ରକ ସହରର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ଯୁବତୀ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାରେ ଅମ୍ରିତଙ୍କ ସଂପୃକ୍ତି ନେଇ ଅଭିଯୋଗ ରହିଥିଲା । ଘଟଣାର ପ୍ରାୟ ଦେଢ ମାସ ପରେ ପୋଲିସ ସଂପୃକ୍ତ ଯୁବତୀଙ୍କ ପରିବାର ସଦସ୍ୟଙ୍କ ସହିତ ଗୋଆ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯୁବତୀ, ତାଙ୍କ ପରିବାର ସଦସ୍ୟ ଓ ଅମ୍ରିତଙ୍କ ସହିତ ବିମାନ ଯୋଗେ କୋଲକାତା ଯାଇ ସେଠାରୁ ୨୦୧୮, ଏପ୍ରିଲ ୧୬ରେ ଟ୍ରେନ୍ ଯୋଗେ ଭଦ୍ରକ ଫେରୁଥିଲେ । ସେହି ସମୟରେ ସନ୍ଦେହଜନକ ଅବସ୍ଥାରେ ଅମ୍ରିତଙ୍କ ମୃତ୍ୟୁ ହୋଇଥିଲା ।

ପଶ୍ଚିମବଙ୍ଗର ବେଲଦାରେ ଟ୍ରେନ୍‌ ଲାଇନ ନିକଟରୁ ଅମ୍ରିତଙ୍କ ମୃତଦେହ ମିଳିଥିଲା । ଏହାପରେ ଟ୍ରେନ୍‌ରୁ ପଡ଼ି ଅମ୍ରିତଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଥିଲା । ଅମ୍ରିତଙ୍କୁ ଗିରଫ କରାଯାଇ ନଥିବା ବେଳେ ସେ କେବଳ ସାଙ୍ଗରେ ଆସୁଥିଲେ । ଟ୍ରେନ୍‌ରେ ଆସିବା ବେଳେ ତାଙ୍କୁ ବାନ୍ତି ଲାଗିବାରୁ ସେ ଫାଟକ ନିକଟକୁ ଯାଇଥିଲେ । ଏହାପରେ ସେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ ବୋଲି ପୋଲିସ ଦର୍ଶାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରେନରୁ ଖସି ପଡିଲେ ମହିଳା; ମରଣ ମୁହଁରୁ ଟାଣି ଆଣିଲେ କନେଷ୍ଟବଳ

ଅନ୍ୟପକ୍ଷରେ ଅମ୍ରିତଙ୍କୁ ଚଳନ୍ତା ଟ୍ରେନରୁ ଠେଲି ହତ୍ୟା କରାଯାଇଥିଲା ବୋଲି ମୃତକଙ୍କ ମାଆ ତଥା ଆବେଦନକାରୀ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ କର୍ମଚାରୀ, ଅଧିକାରୀଙ୍କ ସହିତ ସଂପୃକ୍ତ ଯୁବତୀଙ୍କ ପରିବାର ସଦସ୍ୟଙ୍କ ହାତ ଥିବା ଆବେଦନକାରୀ ଦର୍ଶାଇଥିଲେ । ଅମ୍ରିତ ଚଳନ୍ତା ଟ୍ରେନ୍‌ରୁ ପଡ଼ିଯିବା ପରେ ଭିତରେ ଥିବା ପୋଲିସ ଅଧିକାରୀ ସଙ୍ଗେ ସଙ୍ଗେ ଚେନ୍ ଟାଣି ଟ୍ରେନ୍ ଅଟକାଇ ପାରିଥାନ୍ତେ । କିନ୍ତୁ ପୋଲିସ ଅଧିକାରୀ ଏପରି କରିନଥିଲେ । ତେଣୁ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବାବେଳେ ଅମ୍ରିତଙ୍କୁ ହତ୍ୟା କରାଯାଇଥିଲା ବୋଲି ଦର୍ଶାଇ ଆବେଦନକାରୀ ଦେଇଥିବା ଏତଲା ଗ୍ରହଣ କରାଯାଇନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ କରିନଥିବା ଅଭିଯୋଗ ହୋଇଥିଲା । ତେବେ ଅମ୍ରିତ ପୋଲିସ ହେପାଜତରେ ଥିବାବେଳେ ସ‌ନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାରୁ ଏଥିପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.