ଚଳନ୍ତା ଟ୍ରେନରୁ ଖସି ପଡିଲେ ମହିଳା; ମରଣ ମୁହଁରୁ ଟାଣି ଆଣିଲେ କନେଷ୍ଟବଳ

By ETV Bharat Odisha Team

Published : Jan 9, 2024, 7:15 AM IST

thumbnail


Railway police saves woman life: ଭଦ୍ରକ: ଚଳନ୍ତା ଟ୍ରେନରୁ ଖସିପଡି ନିଶ୍ଚିତ ମୃତ୍ୟୁ ମୁଖରେ ପଡିଥିବା ଜଣେ ମହିଳାଙ୍କୁ ବଞ୍ଚାଇ ସାହାସିକତାର ପରିଚୟ ଦେଖାଇଛନ୍ତି ଜଣେ ରେଳବାଇ କନେଷ୍ଟବଳ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଅଞ୍ଚଳର ଜଣେ ମହିଳା ବାଲେଶ୍ୱର ଯିବା ପାଇଁ ମେମୁ ଟ୍ରେନକୁ ଅପେକ୍ଷା କରି ଭଦ୍ରକ ରେଳ ଷ୍ଟେସନରେ ବସିଥିଲେ । ହେଲେ ଭୁଲବଶତଃ ସେ ଯାଜପୁର ଆଡକୁ ଯାଉଥିବା ଯାଜପୁର ପାସେଞ୍ଜର ଟ୍ରେନରେ ବସି ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ... ଦଶପଲ୍ଲାକୁ ଗଡ଼ିଲା ଟ୍ରେନ: ଉଦଘାଟନ କଲେ ରେଳମନ୍ତ୍ରୀ

ତେବେ ଏହି ଟ୍ରେନଟି କେଉଁଆଡେ ଯାଉଛି ବୋଲି ଟ୍ରେନରେ ବସିଥିବା ଯାତ୍ରୀମାନଙ୍କୁ ମହିଳା ଜଣକ ପଚାରିବାରୁ, ଏହି ଟ୍ରେନଟି ଯାଜପୁର ଅଭିମୁଖେ ଯାଉଥିବା କହିଥିଲେ ଅନ୍ୟ ପାସେଞ୍ଜର । ଯାହାକୁ ଶୁଣି ମହିଳା ଜଣକ ହଡବଡେଇ ଯାଇ ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ । ହେଲେ ଭାରସାମ୍ୟ ହରାଇ ସେ ଚଳନ୍ତା ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଥିବା ବିପଦପୂର୍ଣ୍ଣ ସ୍ଥାନରେ ପଡି ଯାଇଥିଲେ । ଏହି ସମୟରେ ଟ୍ରେନ ଚାଲୁଥିବା ବେଳେ ତାଙ୍କ ଶରୀରର କିଛି ଅଙ୍ଗ ଚଳନ୍ତା ଟ୍ରେନରେ ଘସି ହେଉଥିଲେ ମଧ୍ୟ ସେ ସେଠାରୁ ବାହାରି ଆସି ପାରୁନଥିଲେ । 

କୌଣସି ମୁହୂର୍ତ୍ତରେ ସେ ଟାଣି ହୋଇ ଟ୍ରେନ ତଳକୁ ପଳାଇ ଯିବାର ଆଶଙ୍କା ଥିଲା । ଏଭଳି ବଡ଼ ଅଘଟଣ ଘଟିବା ପୂର୍ବରୁ ସେଠାରେ କାର୍ଯ୍ୟରତ କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି ସାହାସିକତା ଦେଖାଇ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ଫଳରେ ମହିଳାଙ୍କ ଜୀବନ ରକ୍ଷା ପାଇଯାଇଥିଲା । କନେଷ୍ଟବଳଙ୍କ ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଷ୍ଟେସନ ପରିସରରେ ଥିବା ଯାତ୍ରୀମାନେ ତାଜୁବ ହେବା ସହ ତାଙ୍କୁ ସାବାସୀ ଦେଇଥିଲେ । ଏ ସମସ୍ତ ଘଟଣା ଭଦ୍ରକ ଷ୍ଟେସନ ପରିସରରେ ଥିବା ସିସିଟିଭିରେ କଏଦ ହୋଇଛି ।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.