ETV Bharat / state

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ - HEATWAVE CONDITION IN ODISHA

author img

By ETV Bharat Odisha Team

Published : Mar 30, 2024, 10:45 PM IST

Odisha SRC Directs For Tackling Heatwave: ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟଜଳର ବ୍ୟବସ୍ଥା କରିବା ସହ ପବ୍ଲିକ ଟ୍ରାନସପୋର୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ଆଦି ଉପରେ ନିର୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ଏହାର ପ୍ରତିକାର ଓ ମୁକାବିଲା କରାଯିବ । ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳବେଳା ଖୋଲା ରହିବ ।ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବେ । ଏହା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବେ । ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦେବେ । ବଜାର ଘାଟ, ବସଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବେ ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟ ପାଳନ ଓ ପଶୁ ସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ, ଗୋରୁଗାଈଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଅଚଳ ନଳକୂପ ସଜଡା ଯିବ । ପ୍ରଚୁର ପରିମାଣର ଓଆରଏସ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning Classes In Odisha

ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳବେଳା ଖୋଲା ରହିବ । ପାନୀୟ ଜଳ ବ୍ୟବସ୍ଥା ଓ ଓଆରଏସ ପ୍ୟାକେଟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା ହେବ । ଏହା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ ଓ ଓଆରଏସ ମହଜୁଦ ରଖାଯିବ । ଲୋକଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା ହେବ । ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ ଚଳାଚଳ ସମୟ ପରିବର୍ତ୍ତନ ହେବ । ଏହା ସହ ବସଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିିକିତ୍ସା ବାକ୍ସର ବ୍ୟବସ୍ଥା କରାଯିବ । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା ହେବ । ଖରା ସମୟରେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନି ଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.