ETV Bharat / state

ଖୋର୍ଦ୍ଧାରେ ଭାରତବନ୍ଦର ଆଶିଂକ ପ୍ରଭାବ

author img

By ETV Bharat Odisha Team

Published : Feb 16, 2024, 4:42 PM IST

ଖୋର୍ଦ୍ଧାରେ ପଡ଼ିନି ଭାରତ ବନ୍ଦର ପ୍ରଭାବ
ଖୋର୍ଦ୍ଧାରେ ପଡ଼ିନି ଭାରତ ବନ୍ଦର ପ୍ରଭାବ

Bharat Band Impact in Khordha: ବିଭିନ୍ନ ସଂଗଠନ ତରଫରୁ ଖୋର୍ଦ୍ଧା ସହରରେ ଦୃଢ଼ ପ୍ରତିବାଦ କରାଯାଇଛି । ଆନ୍ଦୋଳନର ପ୍ରଭାବ ସହରର କୌଣସି ସ୍ଥାନରେ ପଡିନାହିଁ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ପଡ଼ିନି ଭାରତ ବନ୍ଦର ପ୍ରଭାବ

ଖୋର୍ଦ୍ଧା: ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ଏବଂ କର୍ମଚାରୀ ଫେଡେରେସନ ତରଫରୁ ଖୋର୍ଦ୍ଧା ସହରରେ ଦୃଢ଼ ପ୍ରତିବାଦ କରାଯାଇଛି । ଆନ୍ଦୋଳନର ପ୍ରଭାବ ସହରର କୌଣସି ସ୍ଥାନରେ ପଡିନଥିବା ବେଳେ ଦୋକାନ ବଜାର ଖୋଲାଥିବା ଦେଖାଯାଇଛି । ତେବେ ବିଭିନ୍ନ ସଂଗଠନ ପକ୍ଷରୁ ସହର ପରିକ୍ରମା କରାଯାଇଛି । ଖୋର୍ଦ୍ଧା ବ୍ୟାଙ୍କ ଛକରେ ପ୍ରତିବାଦ ସଭା କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇଛନ୍ତି ଆନ୍ଦୋଳନକାରୀ ।

ବିଜେପି ନେତୃତ୍ୱରେ କେନ୍ଦ୍ର ସରକାର କରୁଥିବା ଜନ ଶୋଷଣ ବିରୋଧରେ ମୁଣ୍ଡ ଟୋକି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଖୋର୍ଦ୍ଧା ସହରର ବିଭିନ୍ନ ସଂଗଠନ । କର୍ପୋରେଟ ଏବଂ ସାଂପ୍ରଦାୟିକ ଶକ୍ତିଙ୍କ ଜରିଆରେ ଦେଶର ଅମୂଲ୍ୟ ସମ୍ପତି, ପୁଞ୍ଜି ଏବଂ ପ୍ରାକୃତିକ ସଂପଦ ଗୁଡିକୁ କିଛି ପୁଞ୍ଜିପତିଙ୍କ ହାତରେ ଟେକି ଦେଉଥିବା ଅଭିଯୋଗ କରାଯାଇଛି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ସମସ୍ତ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକୁ ଅକ୍ତିଆର କରି ଅଚଳ କରି ଦିଆଯାଉଛି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏସବୁର ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ, ବେସରକାରୀ ବସ୍ ଚଳାଚଳ ବନ୍ଦ

ମିଳିତ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଦାବି ଯଥା ଶ୍ରମିକ ସ୍ବାର୍ଥ ବିରୋଧୀ 4ଟି ଶ୍ରମକୋଡ ବାତିଲ, ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡଯନ୍ତ୍ରରେ ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ସହ ତାଙ୍କ ଉପରେ ମାମଲା ରୁଜୁ କରିବା, ଶ୍ରମିକମାନଙ୍କୁ ମାସକୁ ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା, ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ 600 ଟଙ୍କା ଏବଂ ବାର୍ଷିକ 200 ଦିନ କାମ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ସହ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା, ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ କୃଷକ ମାନଙ୍କୁ ଋଣରୁ ମୁକ୍ତ କରିବା, ଚାଷୀକୁ ଜମିର ଅଧିକାର, ସମସ୍ତ ବାସହୀନଙ୍କୁ ବାସଗୃହ, ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଜମି ଅଧିକାର ଆଇନ 2006କୁ କଡାକଡି ଭାବରେ ଲାଗୁ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନ୍ୟାସନାଲ ପେନସନ ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହିତ ସବୁ କ୍ଷେତ୍ର ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବା, ନିଯୁକ୍ତିର ଆଉଟ ସୋରସିଙ୍ଗ ବନ୍ଦ କରିବା ଭଳି ଅନେକ ଦାବି ନେଇ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.