ETV Bharat / state

ସମସ୍ୟାରେ ସନ୍ତୁଳି ହେଉଛନ୍ତି ଚାଷୀ; ପ୍ରତିଶ୍ରୁତି ପାଳିଲେନି ଜନ ପ୍ରତିନିଧି, ଭୋଟରେ ଜବାବ ଦେବେ ଜନତା !

author img

By ETV Bharat Odisha Team

Published : Mar 16, 2024, 12:50 PM IST

Etv Bharat
Etv Bharat

Farmers problem, Election and Vote Bank: ମାଳ ମାଳ ସମସ୍ୟା ଘେରରେ ନିଆଳି ଚାଷୀ । ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା । ଆଗକୁ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏଥର କାହାକୁ ବାଛିବେ ନିଆଳି ଜନତା ?

ସମସ୍ୟା ଘେରରେ ନିଆଳି ଚାଷୀ

ନିଆଳି: ମୁଣ୍ଡ ଉପରେ ୨୦୨୪ ବିଧାନସଭା ନିର୍ବାଚନ । ଗାଁଠୁ ସହର ସବୁଠି ଜମିଲାଣି ରାଜନୀତି ଖଟି । ୨୦୨୪ କିଏ ଗଢିବ ସରକାର, ଆଉ ଚାଷ ଓ ଚାଷୀଙ୍କର ଉନ୍ନତି ଦିଗରେ କିଏ ଦେବ ସାଥ୍ ଏମିତି ଅନେକ ଆଲୋଚନା ଓ ପର୍ଯ୍ଯାଲୋଚନା ଆରମ୍ଭ ହୋଇଗଲାଣି । ରାଜଧାନୀ ଉପକଣ୍ଠ ତଥା କଟକ ଜିଲ୍ଲା ଏବଂ ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ଣତା ବଢିଲାଣି । ଏହି ନିର୍ବାଚନ ମଣ୍ଡଳୀ ଏବେ ବିଜେଡି ଦଖଲରେ ଅଛି । ଏଠାକାର ଅଧିବାସୀମାନଙ୍କ ମୁଖ୍ୟ ବେଉସା କହିଲେ ଧାନ, ପନିପରିବା, ପାନ ଚାଷ, ଦୁଗ୍ଧ ଏବଂ ଛେନା । ଓଡ଼ିଶା ତଥା ଓଡ଼ିଶା ବାହାରେ ଏକଦା ପ୍ରସିଦ୍ଧି ଲାଭ କରିସାରିଛି ନିଆଳି ପାନ ଓ ଛେନା । ଏଥିସହ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ ହଜାର ହଜାର ଚାଷୀ ବିଭିନ୍ନ ପନିପରିବା ଚାଷ କରି କଟକ ଭୁବନେଶ୍ବର ସମେତ ଲୋକାଲ ବଜାର ଗ୍ରାହକଙ୍କ ଚାହିଦା ମେଣ୍ଟାଇଥାନ୍ତି ।‌ କିନ୍ତୁ ଏହି ଅଞ୍ଚଳରେ ଚାଷୀମାନେ ମାଳ ମାଳ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ଲାଗି ସରକାର ସ୍ତରରେ ଏ ପର୍ଯ୍ୟନ୍ତ ସେଭଳି କିଛି ଆଖି ଦୃଶିଆ କାର୍ଯ୍ୟ ହେଉନଥିବା କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀ ।

ଚାଷୀଙ୍କ କହିବା କଥା, ' କେନାଲ ଅଛି ସତ ହେଲେ ପାଣି ଆସୁନାହିଁ । କେନାଲ ବର୍ଷକୁ ଦୁଇ ଥର ମରାମତି ହେଉଛି । ଟଙ୍କା ବି ଖର୍ଚ୍ଚ ହେଉଛି । କିନ୍ତୁ ବର୍ଷା ଦିନରେ କେବଳ କେନାଲରେ ପାଣି ଆସିଥିବା ବେଳେ ମହାବାତ୍ୟା ପରଠାରୁ ଖରା ଦିନିଆ ପାଣି ଚାଷୀମାନଙ୍କ ପାଇଁ ସାତ ସପନ ହୋଇଛି । ବାହାର ରାଜ୍ୟର ପନିପରିବା ଚଢା ଦରରେ ବିକ୍ରି ହେଉଥିବା ବେଳେ ଶୀତଳ ଭଣ୍ଡାର ନଥିବା ହେତୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି । ଏ ଦିଗରେ ରାଜ୍ଯ ସରକାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିିନିଧିମାନଙ୍କ ଆନ୍ତରିକତା ନଥିବା ଭଳି ମନେ ହେଉଛି ।' ନିର୍ବାଚନ ଆସେ ଆଉ ଯାଏ କିନ୍ତୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଏ ବୋଲି କହିଛନ୍ତି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ୨୦୨୪ ନିର୍ବାଚନରେ କାହାର ହେବ ନିଆଳି ? ତ୍ରିମୁଖୀ ଲଢେଇ ପାଇଁ ଦଳର ଅଙ୍କକଷା, ଆଶାୟୀଙ୍କ ଲମ୍ବା ଲାଇନ

ସେହିପରି ଦୁଗ୍ଧ କ୍ଷେତ୍ରରେ ନିଆଳିର ରହିଛି ସ୍ବତନ୍ତ୍ର ସ୍ଥାନ । ପ୍ରତିଦିନ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ଅଞ୍ଚଳରୁ ଲକ୍ଷାଧିକ ଲିଟର ଦୁଗ୍ଧ ଆମଦାନୀ ହେଉଛି ସତ, ହେଲେ ଚାଷୀ ତାର ଉଚିତ ମୂଲ୍ଯ ପାଉନଥିବା ଅଭିଯୋଗ ହୋଇଛି । ଚୋକଡ ଦାନାର ବଜାର ମୂଲ୍ଯ ବୃଦ୍ଧି ଯୋଗୁଁ ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଦୁଗ୍ଧଜାତ ଦ୍ରବ୍ୟରୁ ଛେନା ପାଇଁ ମଧ୍ୟ ନିଆଳି ରହିଛି ସ୍ବତନ୍ତ୍ର ପରିଚୟ ।

ପାନ ଚାଷୀ ଅବସ୍ଥା ନ କହିଲେ ଭଲ । ମହାବାତ୍ୟା ପୂର୍ବରୁ ପ୍ରତି ପରିବାର ଗୋଟିଏ କିମ୍ବା ଦୁଇଟି ପାନବରଜ କରି ପରିବାର ପୋଷଣ କରୁଥିଲେ । ମହାବାତ୍ୟା ପରଠାରୁ ବାଉଁଶ, ପାଖୁଡି, ପିଡିଆ, ସାର, କତା ଏବଂ ମୂଲ ମଜୁରୀ ବୃଦ୍ଧି ଯୋଗୁଁ ନିଆଳି ଅଞ୍ଚଳରେ ପାନ ଚାଷ ଧିରେ ଧିରେ କମିବାରେ ଲାଗିଛି । ପାନ ଚାଷ ପାଇଁ ରାଜ୍ୟ ସରକାର କୌଣସି ସୁବ୍ୟବସ୍ଥା କରିନଥିବା କାରଣରୁ ପାନ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି । ପାନ ବିକ୍ରି ପାଇଁ ନା ଅଛି ବଜାର ବ୍ୟବସ୍ଥା ନା ଅଛି ମୋଳିକ ସୁବିଧା । ତଥାପି ବହୁ ପାନ ଚାଷୀ ନିଜର କୋଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ବିଧାନସଭା ନିର୍ବାଚନକୁ ଦିନ କେଇଟା ଥିବାବେଳେ ନିଆଳି ଭୋଟର ଚାଷକୁ ନେଇ ନିଜର ମୁଦ୍ଦା ରଖିବା ସହିତ ସମାଧାନ ପାଇଁ ଦାବି କରିଛନ୍ତି ।


ସେହିପରି ନିଆଳିର ଅନେକ ସ୍ଥାନରେ ରାସ୍ତାଘାଟ ଓ ବ୍ରିଜର ସମସ୍ୟା ରହିଛି । ନିଆଳି ବ୍ଳକର ବିଳାଶୁଣି ପଞ୍ଚାୟତସ୍ଥିତ କନ୍ଦଳ ନଦୀର କୁଣ୍ଢି ମୁହଁ ନିକଟରେ ଦୀର୍ଘ ୧୫ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିରହିଛି ବ୍ରିଜ । ଫଳରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯିବା ସହିତ ବହୁ ଅକର୍ମଣ୍ୟ ହୋଇଛନ୍ତି । ଅନ୍ୟପଟେ କୃଷ୍ଣପ୍ରସାଦ ପଞ୍ଚାୟତସ୍ଥିତ ନୂଆ ବେତଣ୍ତା ନିକଟରେ ବ୍ରିଜ ନଥିବା ଯୋଗୁଁ ସେଠାକାର ଅଧିବାସୀମାନେ କେନାଲ ପାଣିରେ ଯିବା ଆସିବା କରୁଥିବା ଦୃଶ୍ୟ ମଧ୍ୟ ନଜିର ରହିଛି । ନିଆଳି ବିଧାନସଭା ଆସନରେ ଅନେକ ସମସ୍ୟା ସମାଧାନ ହୋଇଥିଲେ ସୁଦ୍ଧା ଆହୁରି ଅନେକ ସମସ୍ୟା ଲାଗି ରହିଛି । ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବି ନିଆଳି ପଛୁଆ ଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ତେବେ ଆଗକୁ ୨୦୨୪ ବିଧାନସଭା ନିର୍ବାଚନ ଥିବାବେଳେ ଏହି ମାଳ ମାଳ ସମସ୍ୟା ଭୋଟ ବ୍ୟାଙ୍କ ଉପରେ କି ପ୍ରଭାବ ପକାଇବ ଏବଂ ବିରୋଧୀ ଓ ଶାସକ ଦଳ କିଭଳି ରାଜନୀତି ଗୋଟି ଚାଳନା କରି ନିଆଳିବାସୀଙ୍କ ମନ ଜିଣୁଛନ୍ତି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.