ETV Bharat / politics

୨୦୨୪ ନିର୍ବାଚନରେ କାହାର ହେବ ନିଆଳି ? ତ୍ରିମୁଖୀ ଲଢେଇ ପାଇଁ ଦଳର ଅଙ୍କକଷା, ଆଶାୟୀଙ୍କ ଲମ୍ବା ଲାଇନ

author img

By ETV Bharat Odisha Team

Published : Mar 4, 2024, 9:24 PM IST

Updated : Mar 5, 2024, 7:14 AM IST

Assembly Election 2024: କଟକ ଜିଲ୍ଲାର ନିଆଳି ସଂରକ୍ଷିତ ଆସନ ପାଇଁ ବର୍ତ୍ତମାନ ବିଭିନ୍ନ ଦଳ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।

Assembly Election 2024
Assembly Election 2024

Assembly Election 2024

ନିଆଳି: କଟକ ଜିଲ୍ଲାର ନିଆଳି ସଂରକ୍ଷିତ ଆସନ । ୨୦୦୯ରେ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀକୁ ପରିବର୍ତ୍ତନ କରାଯାଇ ନିଆଳି ନିର୍ବାଚନ ମଣ୍ଡଳୀ ଗଠନ ହୋଇଛି । ଏହି ଆସନ ପାଇଁ ବର୍ତ୍ତମାନ ବିଭିନ୍ନ ଦଳ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଜାରି ରହିଛି ସସପେନ୍ସ । ୧୯୯୦ରେ କଂଗ୍ରେସ ଟିକେଟରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢି ୪୪ ହଜାର ୭୫୧ ଖଣ୍ତ ଭୋଟରେ ବିଜୟୀ ହୋଇଥିଲେ ରବିନ୍ଦ୍ର କୁମାର ମଲ୍ଲିକ । ପରବର୍ତ୍ତୀ ସମୟରେ ନିଜ ଦଳ କଂଗ୍ରେସକୁ ଫେରିଥିଲେ। ଜନତା ଦଳରୁ ସ୍ବର୍ଗତ ତ୍ରିଲୋଚନ କାନୁନଗୋ ନିର୍ବାଚନ ଲଢି ୪୨ ହଜାର ୪୬୬ ଖଣ୍ତ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ଦାସଙ୍କ ୩ ହଜାର ୨୮୩ ଭୋଟରେ ଶୋଚନୀୟ ପରାଜୟ ହୋଇଥିଲା ।

୧୯୯୫ ରେ ଜନତା ଦଳରୁ ଲଢି ୫୬ହଜାର ୦୨୧ ଭୋଟରେ ବାଜିମାତ କରି ବିଧାୟକ ହୋଇଥିଲେ ପଞ୍ଚାନନ କାନୁନଗୋ । କଂଗ୍ରେସର ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ୫୫ହଜାର ୯୩୬ ଖଣ୍ତ ଭୋଟ ମିଳିଥିଲା । କେବଳ ୮୫ ଖଣ୍ତ ଭୋଟରେ ପରାସ୍ତ ହୋଇଥିଲା କଂଗ୍ରେସ।‌ ବିଜେପିରୁ ଲଲାଟେନ୍ଦୁ ବଡୁଙ୍କୁ ୧ ହଜାର ୪୭୩ ଖଣ୍ତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।‌ ୨୦୦୦ରେ ପୁଣି ଥରେ ବିଜେଡି ଟିକେଟରୁ ଲଢି ନିର୍ବାଚିତ ହୋଇଥିଲେ ପଞ୍ଚାନନ । ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲ୍ଲିକ ୫୪ହଜାର ୬୬୯ ଖଣ୍ତ ଭୋଟ ପାଇଥିବାବେଳେ ୧ହଜାର ୨୩୫ ଖଣ୍ତ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା କଂଗ୍ରେସ।‌ କିନ୍ତୁ ୨୦୦୪ରେ ଗୋବିନ୍ଦପୁର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ୨୦୦୯ରେ ନିଆଳି ଆସନ ଅକ୍ତିଆର କଲେ ପ୍ରମୋଦ ମଲ୍ଲିକ । ୨୦୨୪ରେ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଦଳ ରିପିଟ୍ କରିବ ନା ନୂଆ ଚେହେରାକୁ ପ୍ରାଧାନ୍ୟ ଦେବ ତାହା ଅସ୍ପଷ୍ଟ ରହିଛି । ତେବେ ଆଥଲେଟ ଅମିୟ ମଲ୍ଲିକ, ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଚଷା ପୁଅ ଭାବେ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଥିବା ତୃପ୍ତି ରଞ୍ଜନ ବେହେରା, ପ୍ରସନ୍ନ କୁମାର ମଲ୍ଲିକ, ସୁବାଷ ମଲ୍ଲିକ ଓ ବିପିନ ବେହେରା ବର୍ତ୍ତମାନ ଟିକେଟ୍ ରେସରେ ଥିବା ଚର୍ଚ୍ଚା ହେଉଛି ।

Assembly Election 2024
Assembly Election 2024

ସୂଚନା ଅନୁସାରେ, ୨୦୧୯ ନିର୍ବାଚନ ସମୟରେ ଶେଷ ମୂହୁର୍ତ୍ତରେ ବିଜେଡିରୁ ଟିକେଟ୍ ହାତେଇ ନିର୍ବାଚନ ଲଢିଥିଲେ ପ୍ରମୋଦ କୁମାର ମଲ୍ଲିକ । ସେ ୯୪ହଜାର ୦୧୩ ଖଣ୍ତ ଭୋଟ୍ ପାଇ ଦଳର ଆସ୍ଥା ଭାଜନ ହୋଇଥିଲେ।‌ କଂଗ୍ରେସରୁ ପୂର୍ବରୁ ଲଢ଼ୁଥିବା ଛବି ମଲ୍ଲିକ ବିଜେପି ଟିକେଟରୁ ଲଢି ୬୬ହଜାର ୩୧୦ ଖଣ୍ତ ଭୋଟ୍ ପାଇ ପରାଜୟର ସମ୍ମୁଖନ ହୋଇଥିଲେ। କଂଗ୍ରେସ କଡା ଟକ୍କର ଦେଉଥିବା ସମୟରେ ପୁରୁଖା ନେତାଙ୍କ ମନମାନି ଯୋଗୁଁ ଦଳ ଏଠାରେ ଶୋଚନୀୟ ପରାଜୟ ବରଣ କରିଥିବା କୁହାଯାଉଛି । ଶେଷ ମୂହୁର୍ତ୍ତରେ ମମତା ଭୋଇଙ୍କୁ ଟିକେଟ ଦିଆଯାଇଥିବାବେଳେ ନିଆଳି ଭୋଟର କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ସହିତ ୧୨ହଜାର ୬୫୯ ଖଣ୍ତ ଭୋଟ୍ ଦେଇଥିଲେ ।

ଆଥଲେଟ୍ ଅମିୟ ମଲ୍ଲିକ ଯୁବ ନେତୃତ୍ବ ଭାବେ ନିଜକୁ ଦାବିଦାର ବୋଲି କହିଛନ୍ତି। ସେ କହିଛନ୍ତି, "ମୋ ପରିବାର ରାଜନୀତିରେ ସକ୍ରିୟ । ଏହାସହ ସମାଜସେବା ମଧ୍ୟ କରିଆସୁଛୁ । ଅଞ୍ଚଳବାସୀଙ୍କ ଭଲ ପାଇବା ମୋ ପ୍ରତି ରହିଛି । ଦଳ ସୁଯୋଗ ଦେଲେ ନିର୍ବାଚନ ଲଢିବି ।" ସେହିପରି ଆଉ ଜଣେ ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ମଧ୍ୟ ବିଜେଡି ଟିକେଟ୍ ରେସରେ ଅଛନ୍ତି । ସେହିପରି ଚଷା ପୁଅ ବୋଲି ଦାବି କରୁଥିବା ତୃପ୍ତି ରଞ୍ଜନ ବେହେରା ମଧ୍ୟ ୨୦୧୯ ଠାରୁ ବିଜେଡି ଟିକେଟ ରେସରେ ଅଛନ୍ତି । ସେ କହିଛନ୍ତି, "ଗତ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିଲୁ । ବିଜେଡିର ଶୃଙ୍ଖଳିତ କର୍ମୀ ହୋଇଥିବାରୁ ଦଳ ଟିକେଟ୍ ଦେବ ବୋଲି ଆଶା ରହିଛି ।"

ଏହା ମଧ୍ୟ ପଢନ୍ତୁ...ବିଧାନସଭା ନିର୍ବାଚନ 2024; କାହାର ହେବ ବ୍ରହ୍ମଗିରି, କିଏ ମାରିବେ ବାଜି ?

ନାଲକୋ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ସୁବାଷ ମଲ୍ଲିକ, ବିପିନ ବେହେରାଙ୍କ ସମେତ କିଛି ମହିଳାଙ୍କ ନାଁ ମଧ୍ୟ ବିଜେଡି ଟିକେଟ ରେସରେ ଥିବା ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ଛବି ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବେଣୁଧର ବେହେରା ପରି ଅନେକ ଆଶାୟୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।

ଅଭିମନ୍ୟୁ ମଲ୍ଲିକ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିକାଶକୁ ମୁଦ୍ଦା କରି ନିର୍ବାଚନ ଲଢିବୁ । ନିଆଳିରେ ପଦ୍ମ ଫୁଟିବ ।" ନିଆଳି ବ୍ଳକ ନୂଆଗାଁ ସରପଞ୍ଚ ତଥା ପୂର୍ବତନ କଂଗ୍ରେସ ନେତା ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ ଜ୍ୟୋତି ରଞ୍ଜନ ମଲ୍ଲିକ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବା ଏକରକମ ଫାଇନାଲ ବୋଲି କଂଗ୍ରେସ ଦଳ କହିସାରିଛି ।

ଜ୍ୟୋତି ରଞ୍ଜନ କହିଛନ୍ତି, "ଏଠାକାର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ ।" ପଞ୍ଚାନନ କାନୁନଗୋ ଓ ରବିନ୍ଦ୍ର କୁମାର ମଲ୍ଲିକ ପୂର୍ବରୁ ଦୁଇ ପ୍ରତିଦ୍ବନ୍ଦି ଥିବାବେଳେ ଏବେ କଂଗ୍ରେସ ପାଇଁ ସେମାନେ ସଞ୍ଜିବନୀ ସାଜିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Mar 5, 2024, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.