ETV Bharat / state

ମାଓ ଇଲାକାରେ ଅପହଞ୍ଚ ସରକାରୀ ଯୋଜନା, ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ !

author img

By ETV Bharat Odisha Team

Published : Mar 10, 2024, 8:21 PM IST

Lack Of Basic Facilities
Lack Of Basic Facilities

Lack Of Basic Facilities In Naxal Hits Area: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ସୁବିଧାରୁ ବଞ୍ଚିତ ଲୋକେ । ଅଧିକ ପଢନ୍ତୁ

Lack Of Basic Facilities

ଭବାନୀପାଟଣା: ମାଓ ଇଲାକାରେ ଅପହଞ୍ଚ ସରକାରୀ ଯୋଜନା । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମାଓଗଡ଼ ଭାବରେ ପରିଚିତ ଯୁଗସାଇପାଟଣା ପଞ୍ଚାୟତ । ଏହି ପଞ୍ଚାୟତରେ ୩୬ଟି ଗାଁ ରହିଥିବାବେଳେ ପଞ୍ଚାୟତ ମୁଖ୍ୟାଳୟ ଠାରୁ ପ୍ରତ୍ୟେକ ଗାଁର ଦୂରତା ୧୦ କିଲୋମିଟର । ଘଞ୍ଚ ଜଙ୍ଗଲ ମଧ୍ୟରେ ଖାଲଖମା ରାସ୍ତା ଦେଇ ଯିବାକୁ ପଡୁଥିବାବେଳେ ପ୍ରଶାସନିକ ଅଧିକାରୀ କି ରାଜନେତା ଲାଲବାହିନୀ ଭୟରେ ପାଦ ପକେଇ ପାରିନଥିବା କୁହାଯାଏ ।

ସେହିପରି ଖାଲଖମାରେ ଭର୍ତ୍ତି ରାସ୍ତା ଦେଇ ୮ କିଲୋମିଟର ଗଲେ ପଡ଼ିବ ମିଆଙ୍ଗ ପଦର ଗାଁ । ଏଠାରେ ବସବାସ କରନ୍ତି ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଲୋକେ । ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଯିବାକୁ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରି ନାହିଁ । ଫଳରେ ଗାଁକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ବାଇକରେ ଯିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ଶିକ୍ଷା, ସ୍ଵାସ୍ଥ୍ୟ ଓ ପିଡ଼ିଏସ ସାମଗ୍ରୀ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଜନସାଧାରଣ । କେବଳ ଯେ, ଏହି ଗୋଟିଏ ଗାଁ ତାହା ନୁହେଁ । ପଞ୍ଚାୟତର କାଦୋପଦର, ନିଶାନଗୁଡ଼ା, ଉପର ପଞ୍ଚକୁଲ, ତଳ ପଞ୍ଚକୁଲ, ହର୍ଡାଗୁଡ଼ା, ଉପରପାଖି, ଗୁରପାଙ୍ଗ ଭଳି ଗାଁର ପ୍ରାୟ ୨୫ ଶହରୁ ଊର୍ଦ୍ଧ୍ବ ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ରହିଥିବାବେଳେ ଗାଁକୁ ରାସ୍ତା ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଗାଁକୁ ନାହିଁ ପକ୍କା ରାସ୍ତା, ମୌଳିକ ସୁବିଧାରୁ ବଞ୍ଚିତ ସାତକାଳିଆ ଗ୍ରାମବାସୀ

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗାଁକୁ ରାସ୍ତା ନିର୍ମାଣ ହୋଇପାରୁନି କି ନାଳରେ ପୋଲ ହେଉନାହିଁ । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ରାସ୍ତା କିମ୍ବା ପୋଲ ସମସ୍ୟା ତାହା ନୁହେଁ । ଆଜି ବି ଗାଁରେ ବିଜୁଳି ଆଲୁଅ ଲୋକଙ୍କ ପାଇଁ ସାତ ସପନ । ଗତ ୨୦୧୫ ମସିହାରେ ଯୁଗସାଇ ପାଟଣା ପଞ୍ଚାୟତର ପ୍ରାୟ ୨୦ଟି ଗାଁକୁ ବିଜୁଳି ସଂଯୋଗୀକରଣ ପାଇଁ ଖୁଣ୍ଟ ପୋତା ଯାଇ ପ୍ରତ୍ୟେକ ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇଛି । ହେଲେ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ବିଜୁଳି ସଂଯୋଗୀକରଣ ହୋଇପାରି ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । କିରାସିନ ଜାଳି ଜୀବନ ଅତିବାହିତ କରୁଥିବା ସେମାନେ କହିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ରାଜନେତା ଏନେଇ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଗମନାଗମନ ପାଇଁ ବିଜୁ ସେତୁ ନିର୍ମାଣ ହୋଇଛି । ବିଦ୍ୟୁତ ସଂଯୋଗୀକରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସମସ୍ତ ସମସ୍ୟା ଖୁବଶୀଘ୍ର ଦୂର ହେବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.