ETV Bharat / state

ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଘୋଷଣା ଦାବି

author img

By ETV Bharat Odisha Team

Published : Jan 27, 2024, 5:02 PM IST

Updated : Jan 27, 2024, 6:50 PM IST

Maoist affected district demand
Maoist affected district demand

Maoist affected district demand: ବୌଦ୍ଧ ଜିଲ୍ଲାରେ ସକ୍ରିୟ ଲାଲ ବାହିନୀ । ଗତ ୨ ମାସ ମଧ୍ୟରେ ୫ଥର ମାଓ ଓ ଯବାନ ମୁହାଁମୁହିଁ ହେବା ପରେ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଘୋଷଣା ଦାବି

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଲାଲ ବାହିନୀର ଆତଙ୍କ । ନିଜ ସଂଗଠନକୁ ଅଧିକ ଶକ୍ତିଶାଳୀ ପାଇଁ ଉଦ୍ୟମ କରୁଛି ଲାଲ ବାହିନୀ । ଗତ ୨ ମାସ ମଧ୍ୟରେ ପ୍ରାୟ ୫ଥର ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସକ୍ରିୟ ହୋଇ ଉଠିଥିବା ବେଳେ ବର୍ତ୍ତମାନ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଭାବରେ ଘୋଷଣା କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଗତ କିଛି ଦିନ ମଧ୍ୟରେ ଲାଲ ବାହିନୀ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିବା ବେଳେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଛନ୍ତି । ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଆହ୍ବାନ ଦିଆଯାଇଛି । ଜିଲ୍ଲାରେ ନିଜ ସଂଗଠନକୁ ଅଧିକ ଶକ୍ତିଶାଳୀ ପାଇଁ ଉଦ୍ୟମ କରୁଛି ଲାଲ ବାହିନୀ । ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ତଥା କନ୍ଧମାଳ ସୀମାନ୍ତ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସକ୍ରିୟ ହୋଇ ଉଠିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଗତ ପ୍ରାୟ ଦୁଇ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଞ୍ଚ ଥର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ଏକାଧିକ ମାଓ କ୍ୟାମ୍ପ ଧ୍ବଂସ କରାଯାଇଛି । ଉକ୍ତ ସ୍ଥାନରୁ ସୁରକ୍ଷା ବାହିନୀ ବିପୁଳ ପରିମାଣରେ ମାଓ ସାମଗ୍ରୀ, ପୋଷାକ, ମାଓ ପୁସ୍ତିକା, ବିସ୍ଫୋରକ ସାମଗ୍ରୀ ଜବତ କରିପାରିଛି । ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଏଥିପାଇଁ ସଚେତନ କରାଯାଉଛି । ବୌଦ୍ଧ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଥିବା ବେଳେ ବୌଦ୍ଧ ଏସପି ମାଓବାଦୀମାନେ ହିଂସାତ୍ମକ ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ- ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଏପରିକି ସାଧାରଣତନ୍ତ୍ର ଦିବସରେ ମଧ୍ୟ ଜିଲ୍ଲାର ଉପାନ୍ତ ଶଗଡ଼ା ଫାଣ୍ଡି ଅଞ୍ଚଳରେ ଜିଲ୍ଲା ପୋଲିସ ପକ୍ଷରୁ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବାକୁ ସାଧାରଣ ନାଗରିକଙ୍କୁ ଆହ୍ବାନ ଦିଆଯାଇଛି । ତେବେ ବର୍ତ୍ତମାନ ସମୟରେ ବଉଦ ଜିଲ୍ଲାରେ ମାଓ ଗତିବିଧି ସକ୍ରିୟ ଥିବା ହେତୁ ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଭାବରେ ଘୋଷଣା କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Jan 27, 2024, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.