ETV Bharat / state

ବିଜେଡିରେ କମୁଛି ଅଭିନେତାଙ୍କ ଚମକ; ଅରିନ୍ଦମ, ସିଦ୍ଧାନ୍ତ ପରେ ଦଳ ଛାଡିଲେ ଅନୁଭବ, ଆକାଶ - Cine Stars quit BJD

author img

By ETV Bharat Odisha Team

Published : Mar 30, 2024, 5:56 PM IST

Updated : Mar 31, 2024, 6:39 AM IST

Cine Stars quit BJD
Cine Stars quit BJD

Cine Stars quit BJD: ବିଜେଡି ଛାଡୁଛନ୍ତି ଜଣେ ପରେ ଜଣେ ଅଭିନେତା । କମୁଛି ଦଳର ଚମକ । ଅଧିକ ପଢନ୍ତୁ

ବିଜେଡିରେ କମୁଛି ଅଭିନେତାଙ୍କ ଚମକ

ଭୁବନେଶ୍ବର: ବିଜେଡି ଛାଡୁଛନ୍ତି ଜଣକ ପରେ ଜଣେ ସିନେ ତାରକା । ପୂର୍ବରୁ ଅରିନ୍ଦମ ରାୟ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡିଥିବା ବେଳେ ଆଜି (ଶନିବାର) ଆଉ ଦୁଇ ସୁପରଷ୍ଟାର ଦଳକୁ ବାଏ ବାଏ କରିଛନ୍ତି, କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ଼ ମେଗାଷ୍ଟାର ଅନୁଭବ ମହାନ୍ତି ଓ ଆକାଶ ଦାସନାୟକ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେବା ସହ ଇସ୍ତଫା ପତ୍ର ବିଜେଡି ସଭାପତିଙ୍କୁ ପଠାଇ ଦେଇଛନ୍ତି ।

ଓଲିଉଡ ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି । ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରଥମେ ବିଜେଡି ଛାଡ଼ିଥିଲେ ଅରିନ୍ଦମ ରାୟ । ଅରିନ୍ଦମ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇଥିବାବେଳେ ତାଙ୍କର ଦଳ ଛାଡିବା ଅଧିକ ଚର୍ଚ୍ଚା ସୃଷ୍ଟି କରିଥିଲା । ବିଜେଡି ତାଙ୍କୁ ବିଭିନ୍ନ ନିର୍ବାଚନରେ ଷ୍ଟାର ପ୍ରଚାରକ ଓ ନିର୍ବାଚନ ପରିଚାଳନାରେ ନିୟୋଜିତ କରିଥିଲା । ଏଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବାର ସମ୍ଭାବନା କ୍ଷୀଣ ଥିବା ଅନୁମାନ କରି ସେ ବିଜେଡି ଛାଡିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ଅରିନ୍ଦମଙ୍କ ପରେ କିଛିଦିନ ତଳେ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡିଥିଲେ । ବିଜେଡିର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ବ୍ରହ୍ମପୁରରୁ ଦୁଇ ଥର ସାଂସଦ କରିଥିଲା । 2019 ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ବଦଳରେ କଂଗ୍ରେସରୁ ଆସିଥିବା ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଚଳିତ ଥର ମଧ୍ୟ ସିଦ୍ଧାନ୍ତଙ୍କୁ ଟିକେଟ ଦେବା ସମ୍ଭାବନା କମ ଥିଲା । ତେଣୁ ସେ ବିଜେପି ମୁହାଁ ହୋଇଥିଲେ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ତାଙ୍କୁ ଦଳକୁ ସ୍ବାଗତ କରାଯାଇଛି । ଦଳ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ସେହିପରି ଆଜି ପୂର୍ବାହ୍ନରେ ଦଳ ଛାଡିଥିଲେ ଓଲିଉଡର ଆଉ ଜଣେ ଅଭିନେତା ଆକାଶ ଦାସ ନାୟକ । ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗତ ଥର ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏହାପରେ ତାଙ୍କୁ ଦଳ ମୋ କଲେଜ ଅଧ୍ୟକ୍ଷ ଭାବେ ନିୟୋଜିତ କରିଥିଲା । ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିବାର ସମ୍ଭାବନା କମ ଥିଲା । ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ନିର୍ବାଚନ ଲଢ଼ିବାକୁ ଦଳର ସୁପ୍ରିମୋଙ୍କୁ ଜଣାଇବା ପରେ ବି ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ନିଜର ଆତ୍ମସମ୍ମାନ ଓ କେ‌ାରେଇବ‌ାସୀଙ୍କ ସ୍ବାଭିମାନ ଲାଗି ବିଜେଡି ଛାଡ଼ିଛି ବୋଲି ସେ କହିଛନ୍ତି ।

ରାଜ୍ୟର ତାତି ବଢିବା ସହ ରାଜନୀତିର ତାତି ବଢିଥିଲା ଯେତେବେଳେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଇସ୍ତଫା ପତ୍ର ସର୍ବସାଧାରଣ ହୋଇଥିଲା । କେନ୍ଦ୍ରାପଡ଼ା ସାଂସଦ ନିଜର ଇସ୍ତଫା ପତ୍ର ଦଳ ସଭାପତିଙ୍କୁ ପଠାଇଛନ୍ତି । ଦଳ ତାଙ୍କୁ ପ୍ରଥମେ ରାଜ୍ୟସଭାର ସାଂସଦ କରିଥିଲା । ରାଜ୍ୟସଭାର ସେ ସର୍ବ କନିଷ୍ଠ ସଦସ୍ୟ ହୋଇଥିଲେ । 2019 ନିର୍ବାଚନରେ ବିଜେଡି ତାଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ଲଢେଇ ଥିଲା । ବଡ଼ ବ୍ୟବଧାନରେ ବିଜୟ ହୋଇଥିଲେ । କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ଦଳ ତାଙ୍କୁ ଦୂରେଇ ଦେଇଥିଲା । କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା । ତେଣୁ ଆଜି ସେ ବିଜେଡି ଛାଡିଛନ୍ତି ।

ଏହା ବି ପଢନ୍ତୁ- BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ

ରାଜନୈତିକ ସମୀକ୍ଷକ କେ ରବି କହିଛନ୍ତି ଯେ, ଅନୁଭବ ବହୁତ ଦିନ ହେଲା ଦଳରେ ଅଣଦେଖା ହୋଇଥିଲେ । ସିଦ୍ଧାର୍ଥ ମହାପାତ୍ର ମଧ୍ୟ ଏକଘରିଆ ହୋଇଥିଲେ । ସେହିପରି ଭାବେ ଆକାଶଙ୍କ ଅବସ୍ଥା । ତେଣୁ ସେମାନେ ନିଜର ପଦକ୍ଷେପ ନେଇଛନ୍ତି । ଦଳ ଟିକେଟ ଦେବନାହିଁ ତେଣୁ ନିର୍ବାଚନ ଲଢ଼ିବାକୁ ହେଲେ ଅନ୍ୟ ଦଳକୁ ଯିବାକୁ ପଡ଼ିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖି ଅନେକ ଦଳ ଛାଡିବାକୁ ଚାହୁଁନଥିଲେ । ଏବେ ସେ ଅବସ୍ଥା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 31, 2024, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.