ETV Bharat / state

ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି - Anubhav Mohanty Quits BJD

author img

By ETV Bharat Odisha Team

Published : Mar 30, 2024, 12:43 PM IST

Updated : Mar 30, 2024, 2:05 PM IST

KENDRAPARA MP ANUBHAV MOHANTY QUITS BJD
KENDRAPARA MP ANUBHAV MOHANTY QUITS BJD

Anubhav Mohanty Quits BJD: ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଆଜି ଶଙ୍ଖ ଚିହ୍ନକୁ ବାଏ ବାଏ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ଆଜି(ଶନିବାର) ଇସ୍ତଫା ପତ୍ର ପଠାଇଛନ୍ତି । 2019 ଲୋକସଭା ନିର୍ବାଚନରେ ବିଜେଡି ଟିକେଟରେ ସେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇଥିଲେ । ବିଜେଡି ଛାଡିବା ପରେ ଅନୁଭବ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡି ଛାଡ଼ିଲେ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ - Akash Das Nayak quits BJD

କିଛି ମାସ ହେବ ଅନୁଭବ ବିଜେଡି ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ସେ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇ ଦେଇଛନ୍ତି । 2014ରେ ବିଜେଡି ଟିକେଟରେ ଅନୁଭବ ରାଜ୍ୟସଭା ଯାଇଥିଲେ । ଅନଙ୍ଗ ଉଦୟ ସିଂଦେଓଙ୍କ ବଦଳରେ ତାଙ୍କୁ ରାଜ୍ୟସଭା ପଠାଇଥିଲା ଦଳ । ପରବର୍ତ୍ତୀ ସମୟରେ 2019 ନିର୍ବାଚନରେ ଦଳ ତାଙ୍କୁ କେନ୍ଦ୍ରାପଡା ଆସନରୁ ଲଢେ଼ଇଥିଲା । ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ବ୍ୟବଧାନରେ ଅନୁଭବ ହରାଇ ଲୋକସଭା ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ । ବୈବାହିକ ମାମଲାରେ ବିବାଦୀୟ ହେବା ପରେ ଦଳ ତାଙ୍କୁ କୋଣଠେସା କରିଥିଲା । ଦୀର୍ଘ ବର୍ଷ ହେଲା ଦଳର କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉନଥିଲା । ଦଳରେ ସେ ଏକପ୍ରକାର କୋଣଠେସା ହୋଇ ରହିଥିଲେ । ନିକଟରେ ଦଳ କେନ୍ଦ୍ରାପଡା ଆସନ ଲାଗି ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ଏହା ପରେ ଆଜି ଅନୁଭବ ବିଜେଡି ଛାଡିଛନ୍ତି । ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

Anubhav Mohanty quits BJD
Anubhav Mohanty quits BJD

ଏହା ମଧ୍ୟ ପଢନ୍ତୁ-ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ, ଫୁଙ୍କି ପାରନ୍ତି ଶଙ୍ଖ - Chiranjib Biswal Quits Congress

2019 ସସିହାରେ ବିଜେଡି କେନ୍ଦ୍ରାପଡା ଆସନରୁ ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କୁ ବୈଜୟନ୍ତଙ୍କ ବିରୋଧରେ ଛିଡ଼ା କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ରାପଡାକୁ ଘନଘନ ଗସ୍ତ କରିବା ସହ ଅନୁଭବଙ୍କ ସପକ୍ଷରେ ନିଜେ ମୈଦାନକୁ ଓହ୍ଲାଇଥିଲେ । ଫଳରେ ୫୦.୮୭ ପ୍ରତିଶତ ଭୋଟ୍ ପାଇ ବୈଜୟନ୍ତ ପଣ୍ଡାଙ୍କୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ ଅନୁଭବ । କିନ୍ତୁ ବିଜୟୀ ହେବା ପରେ ନିର୍ବାଚନ ମଣ୍ଡଳୀ କଥା କମ ପାରିବାରିକ ବିବାଦରେ ଛନ୍ଦି ହେଲେ ଅନୁଭବ । ଲୋକଙ୍କ ସୁଖଦୁଃଖ ବୁଝିବା ପରିବର୍ତ୍ତେ ନିଜେ ସାମାଜିକ ଗଣମାଧ୍ୟମରେ ନିଜର ଦୁଃଖ ବଖାଣିବା କେନ୍ଦ୍ରାପଡାର ଭୋଟରଙ୍କୁ ଆଘାତ ଦେଇଥିଲା । ବିକାଶ ମୂଳକ କାମ ଏକପ୍ରକାର ଠପ ହୋଇଯାଇଥିଲା । ବିଜେଡିର କୌଣସି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା । 2019 ଲୋକସଭା ନିର୍ବାଚନରେ ଅନୁଭବ ମହାନ୍ତି 6,28,939 ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ 4,47,456 ଭୋଟ ମିଳିଥିଲା ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ 1,13,841 ଭୋଟ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 30, 2024, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.