ETV Bharat / state

ଶ୍ରମକାର୍ଡରେ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ଲୁଟ, ସନ୍ଦେହଘେରରେ କେନ୍ଦ୍ରାପଡା ଶ୍ରମ ବିଭାଗ - DEATH COMPENSATION LOOT

author img

By ETV Bharat Odisha Team

Published : Apr 30, 2024, 3:52 PM IST

Updated : Apr 30, 2024, 4:07 PM IST

ଶ୍ରମକାର୍ଡରେ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ଲୁଟ, ସନ୍ଦେହଘେରରେ କେନ୍ଦ୍ରାପଡା ଶ୍ରମ ବିଭାଗ
ଶ୍ରମକାର୍ଡରେ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ଲୁଟ, ସନ୍ଦେହଘେରରେ କେନ୍ଦ୍ରାପଡା ଶ୍ରମ ବିଭାଗ

Labour card scam in Kendrapara: କାର୍ଡରେ ଚଞ୍ଚକତା କରି ମୃତ୍ୟୁକାଳୀନ ସହାୟତା ରାଶି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଥାନାର ଦ୍ୱାରସ୍ଥ ଶ୍ରମ ବିଭାଗ । ହେଲେ ସନ୍ଦେହରେ ଶ୍ରମ ବିଭାଗ ଓ ଦଲାଲଙ୍କ ଭିତିରି ସମ୍ପର୍କ । ଅଧିକ ପଢନ୍ତୁ

Labour card scam in Kendrapara

କେନ୍ଦ୍ରାପଡା: ଜୀବିତ ବ୍ୟକ୍ତିଙ୍କ ନାଁରେ ମୃତ୍ୟୁଜନିତ ସହାୟତା ରାଶି ଲୁଟ । ଅନ୍ତ୍ୟେଷ୍ଟି କ୍ରିୟାଠାରୁ ଆରମ୍ଭ କରି ଶ୍ରମିକ ମୃତ୍ୟୁରେ ସହାୟତା ପର୍ଯ୍ୟନ୍ତ ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ଏ ଘଟଣା ଜଣାପଡିବା ପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ ଶ୍ରମ ବିଭାଗ କାର୍ଯ୍ୟଶୈଳୀ ଉପରେ ମଧ୍ୟ ଅନେକ ପ୍ରଶ୍ନ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସେହି ଯୋଜନାଗୁଡିକ କିଛି ଦଲାଲ ଏବଂ ସରକାରୀ କର୍ମଚାରୀମାନଙ୍କ ମଧୁଚନ୍ଦ୍ରିକାରେ ଲୁଟ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ନିର୍ମାଣ ଶ୍ରମିକମାନେ ବଞ୍ଚି ରହିଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ବି ଲୁଟ ହେଉଛି ଯାହା ଏହି ଦୁଇଟି ଘଟଣା ପ୍ରମାଣ କରୁଛି ।


ଘଟଣା ଅନୁସାରେ, ମାର୍ଶାଘାଇ ଅଞ୍ଚଳର ମନୋରଞ୍ଜନ ଦାସ ଜଣେ ନିର୍ମାଣ ଶ୍ରମିକ । ୨୦୧୪ ମସିହାରେ ପଞ୍ଜିକରଣ କରାଯାଇଥିବା ଶ୍ରମକାର୍ଡକୁ ନବୀକରଣ ପାଇଁ ନେବା ବେଳେ ୨ ବର୍ଷ ତଳୁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଥିଲା । ତାଙ୍କ ପତ୍ନୀ ଭାବେ ଅନ୍ୟ ଜଣେ ମହିଳା ତାଙ୍କ ମୃତ୍ୟୁକାଳୀନ ସହାୟତା ରାଶି ବାବାଦରେ ୨ ଲକ୍ଷ ଟଙ୍କା ହାତେଇଥିବା ଜାଣିବାକୁ ପାଇଥିଲେ । ସେହିପରି ଅନ୍ୟଜଣେ ନିର୍ମାଣ ଶ୍ରମିକ କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳର ମକର ପାଲ୍ ମଧ୍ୟ ଏଭଳି ଠକେଇର ସମ୍ମୁଖୀନ ହୋଇଛନ୍ତି । କେବଳ ଏହି ଦୁଇଜଣ ନୁହନ୍ତି ମାର୍ଶାଘାଇ ବ୍ଲକର ଗୀତାଞ୍ଜଳି ଦାସ, ଚିନ୍ମୟୀ ସାହୁ ଏବଂ କୁଞ୍ଜଲତା ସାହୁ ମଧ୍ୟ ଜୀବିତ ଥିଲେ ସୁଦ୍ଧା ଏହି ମୃତ୍ୟୁକାଳୀନ ସହାୟତା ପାଇଥିବା ପୋର୍ଟାଲରେ ଦର୍ଶାଉଛି । ଯାହା ଶ୍ରମ ବିଭାଗରେ ବ୍ୟାପକ ଚଞ୍ଚକତାକୁ ପଦାରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ :- ଗଞ୍ଜାମରେ ପହଞ୍ଚିଲେ ନବୀନ, ତାରାତାରିଣୀଙ୍କୁ ଦର୍ଶନ ପରେ ଭରିବେ ନାମାଙ୍କନ - Naveen to file nomination


ଏହି ଘଟଣାର ତଦନ୍ତ ପରେ ୫ଜଣ ନିର୍ମାଣ ଶ୍ରମିକ ଜୀବନ୍ତ ଥାଇ ସେମାନଙ୍କ ସଂସ୍କାର ପାଇଁ ୫,୦୦୦ ହଜାର ଟଙ୍କା ସରକାରୀ ସହାୟତା ଏବଂ ୨ ଲକ୍ଷ ଟଙ୍କା ମୃତ୍ଯୁକାଳୀନ ସହାୟତା ରାଶି ଲୁଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଶ୍ରମ ବିଭାଗର ଅଧିକାରୀମାନେ ଏଭଳି ଦୁର୍ନୀତିକୁ କିଭଳି ଜାଣିପାରିଲେ ନାହିଁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଶ୍ରମ ବିଭାଗ କିନ୍ତୁ ଦୁର୍ନୀତି କରିଥିବା ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ଚିଠି କରିଥିବା କହି ନିଜ କାନ୍ଧରୁ ଦାୟିତ୍ବ ଖସାଇଦେଇଛି । ରାଜ୍ୟ ଶ୍ରମ ମନ୍ତ୍ରଣାଳୟ ଏଥିପ୍ରତି ଦୃଷ୍ଟି ଦେଇ ଦୁର୍ନୀତି କରିଥିବା ଅଧିକାରୀ ଏବଂ ଦଲାଲ ଶ୍ରମିକ ନେତାଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବା ସହିତ ନିର୍ମାଣ ଶ୍ରମିକ ମାନଙ୍କ ନାମକୁ ପୁନଃପଞ୍ଜିକରଣ କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Apr 30, 2024, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.