ETV Bharat / state

ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆନ୍ଦୋଳନକୁ 2 ମାସ, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Feb 5, 2024, 8:03 PM IST

Public Hearing of Boudh Collector
Public Hearing of Boudh Collector

Public Hearing of Boudh Collector: ବୌଦ୍ଧ ସଦର ବ୍ଲକ କାର୍ଯ୍ୟାଳୟଠାରେ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣୀ ଅନୁଷ୍ଠିତ । ଦୁଇ ମାସରୁ ଧାରଣାରେ ବସିଥିବା ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆନ୍ଦୋଳନକୁ 2 ମାସ, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବୌଦ୍ଧ: ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ବ୍ଲକ କାର୍ଯ୍ୟାଳୟଠାରେ ପ୍ରଥମ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଗୋଟିଏ ପଟେ ବ୍ଲକ କାର୍ଯ୍ୟାଳୟ ଭିତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଶତାଧିକ ହିତାଧିକାରୀଙ୍କ ଅହୋରାତ୍ର ଗଣଧାରଣା ଜାରି ରହିଥିଲା । ତେବେ ହିତାଧିକାରୀମାନେ ନବନିଯୁକ୍ତ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଜଣାଇଛନ୍ତି ।

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟବଣା ହୋଇଛି ବିଭିନ୍ନ ସରକାରୀ ଯୋଜନା । ବିଶେଷକରି ସଦର ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ବିଭିନ୍ନ ସମୟରେ ହେଉଛି । ଏନେଇ ବିଭିନ୍ନ ବାଦ ବିବାଦ ସହିତ ବଞ୍ଚିତ ହିତାଧିକାରୀମାନେ ଦୁଇ ମାସ ହେବ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଏହାରି ମଧ୍ୟରେ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ଜେ ସୋନାଲଙ୍କର ଆଜି ପ୍ରଥମ ଜନଶୁଣାଣି କାର୍ଯ୍ୟକ୍ରମ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ତେବେ ସାମାଜିକ ସୁରକ୍ଷାଠାରୁ ନେଇ ଆବାସ ଯୋଜନା, ରାସନ କାର୍ଡ, ପାନୀୟ ଜଳ ସମସ୍ୟା, ଗମନାଗମନ ଭଳି ଅନେକ ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ବୌଦ୍ଧ ଜିଲ୍ଲାର ସଦର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜନଶୁଣାଣି ସମୟରେ ବିଭିନ୍ନ ପଞ୍ଚାୟତରେ ଅବ୍ୟବସ୍ଥା ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିଥିବା ବେଳେ ଏଭଳି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ପଞ୍ଚାୟତ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ

ସେପଟେ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜିକୁ 2 ମାସ ପୁରିଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏଭଳି ଜନକଲ୍ୟାଣକାରୀ ଯୋଜନାରୁ ବାଦ ଦିଆଯାଇଥିବା ବେଳେ ଅନେକ ଗରିବ ହିତାଧିକାରୀଙ୍କ ଆବାସ ଗୃହ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି ରଖିଥିବା ହିତାଧିକାରୀମାନେ ଜିଲ୍ଲାପାଳ ଜେ ସୋନାଲଙ୍କୁ ରାସ୍ତାରେ ଅଟକାଇ ଏ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ମଧ୍ୟ ଏନେଇ ଆଲୋଚନା ପରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ଆଶ୍ଵାସନା ପ୍ରଦାନ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.