ETV Bharat / state

ସାଧାରଣ ନିର୍ବାଚନ: ଇତିହାସ ସୃଷ୍ଟି କରିବ କହିଲେ ନବୀନ, ସରକାର ଗଢ଼ିବ କହିଲା କଂଗ୍ରେସ

author img

By ETV Bharat Odisha Team

Published : Mar 18, 2024, 1:32 PM IST

Reaction on Election 2024
Reaction on Election 2024

Reaction on Election 2024: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ କସରତ ଆରମ୍ଭ କରିଛନ୍ତି ଦଳ । ତେବେ ନିର୍ବାଚନ ଜିତିବା ନେଇ ଆଶାୟୀ ସମସ୍ତ ଦଳ । ଅଧିକ ପଢନ୍ତୁ

Reaction on Election 2024

ଭୁବନେଶ୍ବର: ବାଜିଛି ସାଧାରଣ ନିର୍ବାଚନ ବିଗୁଲ । ଚଳଚଞ୍ଚଳ ରାଜନୈତିକ ଦଳ, ସରଗରମ ପାଣିପାଗ । 2024 ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ସରିଛି । 4 ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ରଣନୀତିକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଜନମତକୁ ନିଜ ସପକ୍ଷରେ ନେବାକୁ ଲାଗିପଡିଛନ୍ତି ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ । ବିଜେଡି ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ମେଣ୍ଟକୁ ନେଇ ବିଜେଡି ଚୁପ ରହିଥିବା ବେଳେ ବିଜେପି ନିର୍ବାଚନ ଏକାକୀ ଲଢ଼ି ସରକାର ଗଢିବାକୁ ଆଶା ରଖିଛି । ଏହାରି ଭିତରେ ନବୀନ ପଟ୍ଟନାୟକଙ୍କ ବୟାନ ରାଜନୀତିରେ ଚର୍ଚ୍ଚାକୁ ଆହୁରି ଦ୍ବିଗୁଣିତ କରିଛି । 24 ନିର୍ବାଚନ ଦେଶରେ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନବୀନଙ୍କ ଏହି ବାର୍ତ୍ତା ବିରୋଧୀଙ୍କ ଚିନ୍ତାଙ୍କୁ ବଢାଇଛି । ବିଜେପି ସରକାର ଆମେ ଗଢିବୁ ବୋଲି କହିଥିବା ବେଳେ କଂଗ୍ରେସ ମଧ୍ୟ ସରକାର ଆମେ ହିଁ ଗଢିବୁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଢେ ଚାରି କୋଟି ଓଡ଼ିଆଙ୍କୁ ନବୀନଙ୍କ ଚିଠି, ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ୱାନ

ଏହାରି ଭିତରେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, "ଗତ 2019 ନିର୍ବାଚନ ଫଳାଫଳ ଘୋଷଣା ପରେ 2024 ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ବିଜେଡି ସେହି ସମୟରୁ ପ୍ରସ୍ତୁତ ହେଉଛି । ବିଜେଡି ଏକ ବୃହତ ଦଳ ତେଣୁ ବହୁତ ଆଶାୟୀ ରହିବେ । ଦଳ ନିର୍ବାଚନ ପରିଚାଳନା ସଠିକ ଭାବେ କରୁଛି । ଉଭୟ ବିଧାନସଭା ଏବଂ ଲୋକସଭା ପାଇଁ ବିଜେଡି ପ୍ରସ୍ତୁତି ସରିଛି । ପ୍ରାର୍ଥୀ ଘୋଷଣା ଦଳ କରିବ ।"

ଏହା ମଧ୍ୟ ପଢନ୍ତୁ: ନିର୍ବାଚନୀ ଇସ୍ତାହାର; ୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

ଅନ୍ୟପଟେ କଂଗ୍ରେସ ନିର୍ବାଚନ ପ୍ରଭାରୀ ଅଜୟ କୁମାର ବିଜେଡି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି । ଅଭିନବ ଉପାୟରେ ବିଜେଡି ବିଜେପି ଭିତିରୀ ସମ୍ପର୍କର ଖୁଲାସା କରିବାକୁ ଯାଇ ଉଭୟଙ୍କ ମଧ୍ୟରେ ପ୍ରତୀକାତ୍ମକ ବାହାଘର କରି ସମ୍ପର୍କକୁ ସାର୍ବଜନୀନ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛନ୍ତି । 9 ରୁ 90 ମିଶନ ନେଇ କଂଗ୍ରେସ ଘରକୁ ଘର ଯାଇ ଜନସାଧାରଣଙ୍କୁ ଅବଗତ କରାଉଛି । ଏଥର କଂଗ୍ରେସ ହିଁ ସରକାର ଗଢ଼ିବ, କାରଣ ବିଜେଡି ବିଜେପି ଉଭୟ ଫେଲ ମାରିଛନ୍ତି । ଜନସାଧାରଣଙ୍କ ବିଶ୍ୱାସ ହରାଇଛନ୍ତି । ଲୋକେ କଂଗ୍ରେସକୁ ଭରସା କରିବାକୁ ଆରମ୍ଭ କଲେଣି । କଂଗ୍ରେସ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଘରକୁ ଘର ଯାଇ ବୁଝାଉଛି କଂଗ୍ରେସ । ତେଣୁ 2024ରେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.