ETV Bharat / politics

ନିର୍ବାଚନୀ ଇସ୍ତାହାର; ୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

author img

By ETV Bharat Odisha Team

Published : Mar 15, 2024, 4:37 PM IST

Congress Manifesto with 9 guarantees: 2024 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପତ୍ର ପ୍ରକାଶ କଲା ଓଡ଼ିଶା କଂଗ୍ରେସ । 9 ଗ୍ୟାରେଣ୍ଟି ସହ 90 ସଂକଳ୍ପ ନେଇ ଲଢ଼ିବ ନିର୍ବାଚନ । ଅଧିକ ପଢ଼ନ୍ତୁ

୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ
୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ 2024 । ଏନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ 2024 ନିର୍ବାଚନ ପାଇଁ 9 ସୂତ୍ରୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ଦଳ ଓଡ଼ିଶାବାସୀଙ୍କ ପାଇଁ କଣ ସବୁ ଯୋଜନା କରିବ, ସେନେଇ 9ଟି ଗ୍ୟାରେଣ୍ଟି ଘୋଷଣା ହୋଇଛି । ଦେଖନ୍ତୁ କଂଗ୍ରେସର ଏହି 9 ସୂତ୍ରୀ ଇସ୍ତାହାରରେ କଣ ରହିଛି..

2024 ନିର୍ବାଚନରେ ସରକାରକୁ ଆସିଲେ...

1. ଚାଷୀଙ୍କୁ ବୋନସ୍‌ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି 3000 ଟଙ୍କା କରିବ କଂଗ୍ରେସ । କୃଷିଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କଲା ଦଳ ।

2. ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ 200 ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼ ।

3. 5 ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥା । ପ୍ରତି ମାସରେ ବେକାରୀ ଭତ୍ତା 3000 ହଜାର ଟଙ୍କା ଦିଆଯିବ । 3 ବର୍ଷ ପର୍ଯନ୍ତ ପ୍ରତି ମାସରେ ଏହି ଭତ୍ତା ଯୁବକମାନଙ୍କୁ ଦିଆଯିବ ।

4. ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ।

5. ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ 2000 ଟଙ୍କା ଭତ୍ତା । ପ୍ରତେକ ମାସରେ ଏହି ଭତ୍ତା ଦିଆଯିବ ।

6. ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ।

7. ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।

8. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ।

9. କୃଷକଙ୍କ ପାଇଁ ମାସିକ ପେନ୍‌ସନ୍‌ 2000 ଟଙ୍କା ।

ଏହା ବ୍ୟତୀତ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତ୍ତିକ ସାମାଜିକ ଓ ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ ହଳଦୀ ମଧ୍ୟ ଦେବାକୁ ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ଓଡ଼ିଶାର ଚିଟଫଣ୍ଡ ଅର୍ଥକୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍ ନୁହେଁ, କମା ଦିଆଯାଇଛି: ରାଜନୈତିକ ସମୀକ୍ଷକ

ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ବିଭିନ୍ନ ବର୍ଗଙ୍କୁ ଖୁସି କରିବାକୁ ରାଜ୍ୟ ସରକାର ଘୋଷଣା ପରେ ଘୋଷଣା କରିବାରେ ଲାଗିଛନ୍ତି । କେତେବେଳେ କେଉଁ ବର୍ଗଙ୍କ ଦରମା ବୃଦ୍ଧି ତ କେତେବେଳେ କେଉଁ ବର୍ଗଙ୍କ ପାଇଁ ଅତିରିକ୍ତ ଛୁଟି ଘୋଷଣା ହେଉଛି । ଏହାରି ଭିତରେ କେନ୍ଦ୍ର ସରକାର ଗ୍ୟାସ ଉପରେ ରିହାତି ଘୋଷଣା କରିବା ପରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ କମ କରିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କଂଗ୍ରେସ ଏଥିରୁ ଫାଇଦା ନେବା ପାଇଁ ପ୍ରୟାସ ଚଳାଇଛି । ଏହାରି ଭିତରେ ନିର୍ବାଚନୀ ଇସ୍ତାହାରରେ 9 ଗ୍ୟାରେଣ୍ଟି ସହ 90 ସଂକଳ୍ପ ଘୋଷଣା କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.