ETV Bharat / state

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ

author img

By ETV Bharat Odisha Team

Published : Jan 24, 2024, 7:38 AM IST

Bhabapur Villagers gherao excise team
Bhabapur Villagers gherao excise team

Bhabapur Villagers gherao excise team: ବୌଦ୍ଧ ଜିଲ୍ଲାର ଗାଁ ଗାଁରେ ମଦଭାଟି ଖୋଲିଥିବା ବେଳେ ଅବକାରୀ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ସମୟରେ ଟିମକୁ ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବୌଦ୍ଧ: ନିଶା କବଳରେ ସାରା ଜିଲ୍ଲା । ଜିଲ୍ଲାର ଅଧିକାଂଶ ଜଙ୍ଗଲ ମାଫିଆଙ୍କ କବଜାରେ ରହି ସେଠାରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ବେଳେ ଅନେକ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନ ମଦଭାଟି ଛତୁ ଫୁଟିଲା ଭଳି ଖୋଲିଛି । ତେବେ ଗତକାଲି(ମଙ୍ଗଳବାର) ଜିଲ୍ଲା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ମହାଲିକପଡା ପଞ୍ଚାୟତ ଭାବପୁର ଗ୍ରାମରେ ଚଢାଉ କରିବା ସମୟରେ ତାଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ଏହାପରେ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ ଟିମକୁ ଉଦ୍ଧାର କରିଛି ।

ଗତକାଲି ଜିଲ୍ଲା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ମହାଲିକପଡା ପଞ୍ଚାୟତ ଭାବପୁର ଗ୍ରାମରେ ଚଢାଉ କରି ରନ୍ଧା ମଦ ଧରିବା ସମୟରେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ରାସ୍ତାରେ କାଠ ଗଣ୍ଡି ପକାଇ ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନ ଓ ତାଙ୍କ ସହଯୋଗୀ କର୍ମଚାରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମବାସୀମାନେ ଅଟକ ରଖିଥିଲେ । ଶେଷରେ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ ଟିମକୁ ଉଦ୍ଧାର କରିବା ସହିତ ଗ୍ରାମର ୬ ଜଣଙ୍କର ନାମରେ ଏତଲା ଦାୟର କରାଯାଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ମନମୁଣ୍ଡାରେ ମାଓ ପୋଷ୍ଟର, ଗଞ୍ଜେଇ ଚାଷ ବନ୍ଦ କରିବାକୁ ଚେତାବନୀ

ସେହିପରି ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଚାରିଛକ ପୁରୁଣା କଟକ ରାସ୍ତାରେ ଏସଟିଏଫ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଯୁବକଙ୍କ ଠାରୁ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ତେବେ ଏନେଇ ହରଭଙ୍ଗା ଅବକାରୀ ବିଭାଗ ନିକଟରେ କୌଣସି ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାରେ ଗଞ୍ଜେଇ କଟା ପ୍ରକ୍ରିୟାରେ ନିଜ ଅସହାୟତାକୁ ଅବକାରୀ ଅଧୀକ୍ଷକ ସ୍ବୀକାର କରିଛନ୍ତି । ଜିଲ୍ଲାର ଅଧିକାଂଶ ଜଙ୍ଗଲ ମାଫିଆଙ୍କ କବଜାରେ ରହିଥିବା ବେଳେ ସେଠାରେ ବେଆଇନ ଗଞ୍ଜେଇ ଚାଷ ହେଉଛି । ଏଣୁ ବିଭିନ୍ନ ଗାଁରେ ମଦଭାଟି ଛତୁ ଫୁଟିଲା ଭଳି ଖୋଲିଛି ।

ଏହା ବି ପଢନ୍ତୁ- ଗଞ୍ଜେଇ ଚାଷ ବନ୍ଦ କରିବାକୁ ମାଓବାଦୀଙ୍କ ଚେତାବନୀ, ପୋଷ୍ଟର ମାରିଲା ଲାଲ ବାହିନୀ

ସେପଟେ ବେଆଇନ ଗଞ୍ଜେଇ ଚାଷକୁ ମାଓ ସଂଗଠନ ବିରୋଧ କରୁଥିବା ବେଳେ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା ହେତୁ ଚଳିତ ବର୍ଷ ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ଗଞ୍ଜେଇ କଟା ଅଭିଯାନ ଆଦୌ କରାଯାଇ ନଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ବେଳେ ଚଳିତ ବର୍ଷ ଅବକାରୀ ବିଭାଗ ଆଦୌ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରିନାହିଁ । ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଭୟ ଥିବ ହେତୁ ପୋଲିସ ପକ୍ଷରୁ ଅବକାରୀ ବିଭାଗକୁ ସହାୟତା ଯୋଗାଇ ଦିଆଯାଇନାହିଁ । ତେବେ ମାଓ ସଂଗଠନ ପକ୍ଷରୁ ଏଭଳି ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି । ଚଳିତ ବର୍ଷ ଜିଲ୍ଲା ଅବକାରୀ ବିଭାଗ କେବଳ କୁଚିଆ ମଦ ଓ ରନ୍ଧା ମଦ ଧରିବାରେ ସୀମିତ ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.