ETV Bharat / state

ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଅରୁନ୍ଧତୀ ଆଉଟ ରୋମାଞ୍ଚ ଇନ୍ - Romanch Ranjan Biswal

author img

By ETV Bharat Odisha Team

Published : May 3, 2024, 12:42 PM IST

Deogarh Assembly Seat
Deogarh Assembly Seat(etv bharat odisha)

Deogarh Assembly Seat: ଦେବଗଡ଼ ବିଧାନସଭା ଆସନରୁ ଅରୁନ୍ଧତୀ ଦେବୀଙ୍କ କଟିଲା ଟିକଟ । ତାଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଅଧିକ ପଢନ୍ତୁ

Deogarh Assembly Seat (etv bharat odisha)

ଦେବଗଡ: ଆସନ୍ତା 25 ତାରିଖରେ ଦେବଗଡ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ତେବେ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ସମୟ ପାଖେଇ ଆସୁଥିବା ବେଳେ ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପୂର୍ବରୁ ବାମଣ୍ଡା ରାଜ ପରିବାର ସଦଶ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୁଣି ଥରେ ଟିକଟ ଫେରାଇ ନେଇଛି ଦଳ । ପ୍ରାର୍ଥୀ ପରିବର୍ତ୍ତନ କରି ଅରୁନ୍ଧତୀଙ୍କ ସ୍ଥାନରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହାକୁ ନେଇ ରାଜନୈତିକ ମହଲ ଅଧିକ ସରଗରମ ହୋଇ ଉଠିଛି ।

ଗତ 16 ତାରିଖରେ ମିଳିଥିଲା ଟିକଟ: ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ 16 ତାରିଖ ଦିନ ଦେବଗଡ଼ ବିଧାନସଭା କ୍ଷେତ୍ର ପାଇଁ ବାମଣ୍ଡା ରାଜ ପରିବାର ସଦଶ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ପ୍ରାର୍ଥୀ ଘୋଷଣା ପରେ ଅରୁନ୍ଧତୀ ଦେବୀ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ନିଜ ନିର୍ବାଚନ ପ୍ରଚାର କରି ଆସୁଥିଲେ । ମାତ୍ର ତାଙ୍କ ସ୍ବାମୀ ଗଙ୍ଗଦେଵ ବିଜେପିରେ ରହିଥିବା ବେଳେ ସେ ବିଜେଡି ପାଇଁ ପ୍ରଚାର କରିବାରୁ ତାଙ୍କୁ ଅନେକ ଅଞ୍ଚଳରେ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ।

ଏହି କାରଣ ପାଇଁ କଟିଲା ଟିକଟ: ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଦୁଇଟି ରାଜନୈତିକ ଦଳରେ ରହି ପରସ୍ପର ବିରୁଦ୍ଧରେ ପ୍ରଚାର କରିବା ଭୋଟରଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇଥିଲା । ଯାହାକି ତାଙ୍କର ବିଜୟ ସମ୍ଭାବନାକୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ଅପରପକ୍ଷେ, ନିଜ ଧର୍ମପତ୍ନୀଙ୍କୁ ସହଯୋଗ କରିବା ପାଇଁ ସ୍ବାମୀ ଗଙ୍ଗଦେବ ବିଜେପି ଛାଡି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ସମୟ ପାଖେଇ ଆସୁଥିଲେ ସୁଦ୍ଧା ସେ ବିଜେପି ଛାଡିବାର କୌଣସି ସଙ୍କେତ ଦେଖାଯାଇ ନଥିଲା ।

ତେଣୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇ ଅରୁନ୍ଧତୀଙ୍କ ସ୍ଥାନରେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରି ଦଳୀୟ ଟିକଟ ପ୍ରଦାନ କରିଥିବା ଜଣାପଡ଼ିଛି । ଏହି ଘୋଷଣା ପରେ ବିଜେଡିକର୍ମୀ ଓ ସମର୍ଥକଙ୍କ ମହଲରେ ନୂତନ ଉତ୍ସାହ ପରିଲକ୍ଷିତ ହୋଇଛି ।

ରୋମାଞ୍ଚ ରଞ୍ଜନ ବିଶ୍ୱାଳ କିଏ: ନୂତନ ଭାବେ ପ୍ରାର୍ଥୀ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏue ପୂର୍ବରୁ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ଜିଲ୍ଲାରେ ବିଜେଡି ସଂଗଠନକୁ ସଦୃଢ଼ କରିବାରେ ଓ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମେତ ବାରକୋଟ ରିଆମାଳ ଆଦି ଦୁଇଟି ବ୍ଲକ ଅଧ୍ୟକ୍ଷ ଗଠନ କରିବାରେ ତାଙ୍କର ବିଶେଷ ଭୂମିକା ରହିଛି । ଗତ 2019 ମସିହା ବିଧାନସଭା ନିର୍ବାଚନରେ ସେ ଦେବଗଡ଼ ବିଧାନସଭା ଆସନ ପାଇଁ ବିଜେଡି ଟିକଟ ପାଇ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ ମୋଟ 67, 249 ଖଣ୍ଡ ଭୋଟ ପାଇଁ ଅଳ୍ପ ଭୋଟ ବ୍ୟବଧାନରେ ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପରାଜୟ ବରଣ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ପକ୍ଷରୁ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜେଡି ପ୍ରାର୍ଥୀ ଭାବେ ପୁନର୍ବାର ଟିକଟ ପାଇଛନ୍ତି । ସେହି ଦୃଷ୍ଟିରୁ ଚଳିତ ନିର୍ବାଚନ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ଟକ୍କର ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.