ETV Bharat / state

ରୋଜଗାର ରାହା ପାଲଟିଛି 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Feb 13, 2024, 9:10 PM IST

NABIN Odisha Program become a source of income: ଅଫ୍‌ ସିଜିନରେ ହାତ ବାନ୍ଧି ବସିଥିବା ହଜାର ହଜାର ଲୋକଙ୍କୁ ରୋଜଗାର ଦେଉଛି 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ । ଟେଣ୍ଟ ହାଉସ୍‌ ମାଲିକଙ୍କ ଠାରୁ ରୋଷେୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛନ୍ତି ଧନ୍ୟବାଦ । ଅଧିକ ପଢ଼ନ୍ତୁ

ରୋଜଗାର ଦେଉଛି ନବୀନ ଓଡ଼ିଶା
ରୋଜଗାର ଦେଉଛି ନବୀନ ଓଡ଼ିଶା

ରୋଜଗାର ଦେଉଛି ନବୀନ ଓଡ଼ିଶା

କେନ୍ଦ୍ରାପଡ଼ା: ରୋଜଗାର ଦେଉଛି 'ଆମ ଓଡ଼ିଶା ନବୀନ ଓଡ଼ିଶା' । ତୃଣମୂଳସ୍ତରରେ ହେଉଛି ଯୋଜନାକୁ ପ୍ରଶଂସା । 'ଆମ ଓଡ଼ିଶା ନବୀନ ଓଡ଼ିଶା' ମାଧ୍ୟମରେ ହଜାର ହଜାର ଲୋକେ କାର୍ଯ୍ୟ ପାଉଛନ୍ତି । ଅଫ୍‌ ସିଜିନରେ ଗ୍ରାମାଞ୍ଚଳରେ କୌଣସି କାର୍ଯ୍ୟ ନଥିବାରୁ 'ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା' ଯୋଗୁଁ ହଜାର ହଜାର ଲୋକ ଭଲ ଟଙ୍କା ରୋଜଗାର କରୁଥିବା କହିଛନ୍ତି । ହାତ ବାନ୍ଧି କାର୍ଯ୍ୟ ପାଇଁ ସମୟକୁ ଅପେକ୍ଷା କରିଥିବା ବେଳେ 'ଆମ ଓଡ଼ିଶା ନବୀନ ଓଡିଶା' ସଚେତନତା ଯୋଜନାରେ କାର୍ଯ୍ୟ କରି ଶ୍ରମିକଙ୍କଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ପଞ୍ଚାୟତ ଓ ବ୍ଲକସ୍ତରରେ ପ୍ରଶଂସା ପାଇଛନ୍ତି ।

ଏନେଇ ଯୁବ ବିଜେଡି ରାଜ୍ୟ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ କହିଛନ୍ତି, "ଏହି ଯୋଜନା ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭୂତପୂର୍ବ ସଫଳତା ହାସଲ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଳାର ୨୪୯ଟି ପଞ୍ଚାୟତ ଓ ଦୁଇଟି ପୌରାଞ୍ଚଳରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟ ହେଉଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, କୃଷି, ଶିଳ୍ପ ସମସ୍ତ କ୍ଷେତ୍ରରେ ଲୁକାୟିତ ବ୍ୟକ୍ତିଙ୍କ କଳାକୁ ପ୍ରସ୍ଫୁଟିତ କରାଯାଉଛି । ପ୍ରତି ପଞ୍ଚାୟତ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଛି ।" ଯାହା ଫଳରେ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଡ଼ାଯାଇ ପାରିଛି ବୋଲି ସେ କହିଛନ୍ତି ।

ସାଧାରଣ ଲୋକଙ୍କ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବିକଶିତ କରୁଛି । ସ୍ଥାନୀୟ ଅଞ୍ଚଳ ଲୋକଙ୍କ ବିକାଶ ହେଲେ ରାଜ୍ୟ ସମୃଦ୍ଧ ହେବ ଆଉ ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ ବୋଲି ଆଶା ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି, ଯାହାର 'ଆମ ଓଡ଼ିଶା ନବୀନ ଓଡ଼ିଶା' ଏକ ବଳିଷ୍ଠ ଉଦାହରଣ ପାଲଟିଛି । ଲୋକଙ୍କ ମଙ୍ଗଳ ପାଇଁ ମନ୍ଦିରରୁ ନେଇ ମଶାଣୀ, ବିଦ୍ୟାଳୟ, ଡାକ୍ତରଖାନା, ଖେଳ ପଡିଆ, ପୋଖରୀ ସବୁର ଉନ୍ନତି କରାଯିବା ପରେ ଲୋକଙ୍କ ସଚେତନ ପାଇଁ ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଗ୍ରାମାଞ୍ଚଳର ବିଭିନ୍ନ ଲୋକକଳା ମାଧ୍ୟମରେ ବିକାଶର ପ୍ରତିଛବିକୁ ମନୋରଞ୍ଜନ ଉପାୟରେ ପ୍ରତିଫଳନ କରାଯାଇଛି । ଲୋକକଳା ପ୍ରତି ଆଗ୍ରହ କମୁଥିବା ସମୟରେ ଓଡ଼ିଶା ସରକାର ଏହାକୁ ନୂଆ ଜୀବନ ଦେବାକୁ ଚେଷ୍ଟା କରିଛନ୍ତି । ଲୁପ୍ତ ଲୋକକଳା ଦଳମାନଙ୍କୁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଉଛି । ମାଘ ମାସ ଅଫ ସିଜିନ ହୋଇଥିବାରୁ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଟେଣ୍ଟ ହାଉସ ମାଲିକଙ୍କ ନିକଟରେ କାମ ନଥିଲା । ହେଲେ ଏହି ସଚେତନତା କାର୍ଯ୍ୟକ୍ରମରେ ଟେଣ୍ଟ ଜରିଆରେ ପ୍ରତି ପଞ୍ଚାୟତରେ ୧୦ରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାବେଳେ କଳାକାରଙ୍କ ମୃତ୍ୟୁ, 10 ଲକ୍ଷ କ୍ଷତିପୂରଣ ଦାବି କଲା ବିଜେପି

ଟେଣ୍ଟ ପାଇଁ ପଞ୍ଚାୟତରୁ ୫୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ଭିଡିଓ କ୍ୟାମେରା ପାଇଁ ୫ ହଜାର, ଏଲ୍‌ଇଡି ଟିଭି ପାଇଁ ୨୫ ହଜାର, ଘୋଡ଼ା ନାଚ, ପାଲା, ଓଡିଶୀ ନୃତ୍ୟ ପ୍ରଦର୍ଶନୀ, ଗ୍ରାମାଞ୍ଚଳ କଣ୍ଠଶିଳ୍ପୀମାନଙ୍କ ପାଇଁ ୨୦ ହଜାର, ଝୋଟି ଚିତା କରି ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ସଦସ୍ୟାମାନଙ୍କ ପାଇଁ ୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି ପ୍ରତି ପଞ୍ଚାୟତରୁ ୨ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଛି । ଏଥିପାଇଁ ରୋଷେୟାଠାରୁ ଆରମ୍ଭ କରି ଯୋଗଡିଆ ପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହେବା ସହ ପ୍ରାୟ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଏହିସବୁ ଉପାୟରେ ଖର୍ଚ୍ଚ ହୋଇଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪୯ ପଞ୍ଚାୟତ ଆଉ ଦୁଇଟି ପୌରାଞ୍ଚଳରେ ହଜାର ହଜାର ଲୋକ ସରକାରଙ୍କ ପାଇଁ ଅଫ୍‌ ସିଜିନରେ କାର୍ଯ୍ୟ ପାଇ ଟଙ୍କା ରୋଜଗାର କରିପାରିଥିବାରୁ ପ୍ରଶଂସା କରିଛନ୍ତି । ଏହା ରାଜ୍ୟର ବିକାଶ ପାଇଁ ନୂଆ ନକ୍ସା ତିଆରି କରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.