ETV Bharat / state

ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାବେଳେ କଳାକାରଙ୍କ ମୃତ୍ୟୁ, 10 ଲକ୍ଷ କ୍ଷତିପୂରଣ ଦାବି କଲା ବିଜେପି

author img

By ETV Bharat Odisha Team

Published : Feb 13, 2024, 2:16 PM IST

BJP Protest: 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମକୁ ଯିବା ସମୟରେ ଜଣେ କଳାକାରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବିଜେପିର ଦାବି । ଦାବି ପୂରଣ ନହେଲେ ବାଲିକୁଦା ବ୍ଲକ ଅଫିସ ଘେରାଉ ଚେତାବନୀ । ଅଧିକ ପଢନ୍ତୁ

BJP Protest
ଜଗତସିଂହପୁର ବିଜେପି

ଜଗତସିଂହପୁର: ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମକୁ ଯିବା ସମୟରେ ଜଣେ କଳାକାରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମୃତକ କଳାକାରଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେପି । ଯଦି 7 ଦିନ ମଧ୍ୟରେ ଏହି ଦାବି ପୂରଣ କରାନଯାଏ ତେବେ ବାଲିକୁଦା ବ୍ଲକ ଅଫିସ ଘେରାଉ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଦଶବାଟିଆ-ବଗେଇପୁର ରାସ୍ତାରେ ଦୁର୍ଘଟଣା ଘଟି ଗତ 8 ତାରିଖ ଦିନ ଜଣେ କଳାକାରଙ୍କ ମୃତ୍ୟୁ ଘଟିଥିଲା । 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ମୃତ କଳାକାରଙ୍କ ପରିବାରକୁ 10 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ହୋଇଛି । ଏନେଇ ବାଲିକୁଦା ବିଜେପି ପକ୍ଷରୁ ସୋମବାର ବାଲିକୁଦା ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି 7 ଦିନ ମଧ୍ୟରେ ଏହି ଦାବି ପୂରଣ କରାନଯାଏ ତେବେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପୂର୍ବରୁ ହୋମୱାର୍କ କରୁଛି ରାଜ୍ୟ ବିଜେପି

ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ କଳାକାରମାନଙ୍କୁ ନିଜ ପ୍ରଚାର ପ୍ରସାରରେ ନିଯୁକ୍ତ କରୁଛନ୍ତି । ସେମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି । ଗୋରୁ ବୋହିବା ଭଳି ସେମାନଙ୍କୁ ଡାଲା ଅଟୋରେ ନିଆଯାଉଛି । ଗତ 8 ତାରିଖ ଦିନ ଯେଉଁଭଳି ଭାବେ ଡାଲା ଅଟୋ ଓଲଟି ଜଣେ ଅନୁସୂଚିତ ଜାତିର 70 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହେଲା ତାହା ଅତି ସମ୍ବେଦନଶୀଳ ଘଟଣା । ହେଲେ ଏହି ଘଟଣା ଘଟିବା ପରେ ବି ବ୍ଲକ ପ୍ରଶାସନ ହେଉ ବା ଜିଲ୍ଲା ପ୍ରଶାସନ, କୌଣସି କର୍ମଚାରୀ ସେମାନଙ୍କୁ ସମବେଦନା ଜଣାଇବାକୁ ଯାଇନାହାନ୍ତି ।

ଏହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ବିରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛି । ସରକାରୀ କାର୍ଯ୍ୟରେ ନିୟୋଜିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଗରିବ ପରିବାରକୁ ତୁରନ୍ତ 10 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି ହୋଇଛି । ଆଉ ମଧ୍ୟ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଦଳ ଦାବି କରିଛି । ଏହି ଘଟଣାକୁ ନେଇ ବାଲିକୁଦା ରାଜନୀତି ସରଗରମ ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.