ETV Bharat / state

ଧନୁଯାତ୍ରାର ନବମ ଦିନ; କୃଷ୍ଣ ବଳାରାମଙ୍କୁ ମଥୁରା ନେଇ ଆସିଲେ ଅକୃର, ଶୋକାକୁଳ ହେଲା ଗୋପପୁର

author img

By ETV Bharat Odisha Team

Published : Jan 23, 2024, 10:33 PM IST

ଧନୁଯାତ୍ରାର ନବମ ଦିନ
ଧନୁଯାତ୍ରାର ନବମ ଦିନ

The World Famous Dhanu Yatra: ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣ ଓ ବଳରାମ, ଦୁଇ ଭାଇଙ୍କୁ ମନ୍ତ୍ରୀ ଅକୃର ମଥୁରା ଅଭିମୁଖେ ଯାତ୍ରା । ଅଧିକ ପଢ଼ନ୍ତୁ

ଧନୁଯାତ୍ରାର ନବମ ଦିନ

ବରଗଡ଼: ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣ ଓ ବଳରାମ, ଦୁଇ ଭାଇଙ୍କୁ ମନ୍ତ୍ରୀ ଅକୃର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରରେ ଶୋକାକୂଳ ପରିବେଶ ଖେଳିଯାଇଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀ ଓ ରାଧା ବାଟ ଓଗାଳିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି । ସେପଟେ କଂସ ମହାରାଜ ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି ।

ଧନୁଯାତ୍ରାର ନବମ ଦିନରେ, ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଧନୁଯାତ୍ରା ଦେଖିବା ପାଇଁ, ନିମନ୍ତ୍ରଣ ଧରି ପହଂଚିଥିବା ମନ୍ତ୍ରୀ ଅକୃରଙ୍କ ସହ ବହାରି ପଡ଼ିଛନ୍ତି କୃଷ୍ଣ ଓ ବଳରାମ ଦୁଇ ଭାଇ । ହେଲେ ନନ୍ଦ ରାଜା ଓ ଯଶୋଦାକୁ ବୁଝାଇବ କିଏ ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା, କୃଷ୍ଣ ଓ ବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନାମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଛିତ ହୋଇପଡ଼ୁଛନ୍ତି । ଗୋପାଙ୍ଗନାଙ୍କ କ୍ରନ୍ଦନରେ ଗୋପଦାଣ୍ଡ ଫାଟି ଉଠୁଥିବା ବେଳେ ଧନୁଯାତ୍ରା ଦେଖି ଚାରିଦିନରେ ଫେରିଆସିବାକୁ କଥା ଦେଉଛନ୍ତି କୃଷ୍ଣ ।

ଏହାପରେ ଗୋପୀ ଗୋପାଙ୍ଗନାମାନେ ଶ୍ରୀକୃଷ୍ଣଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି । କୃଷ୍ଣବଳରାମଙ୍କ ବିଦାୟ ପରେ ସାରା ଗୋପପୁର ଖାଁ ଖାଁ ଲାଗୁଛି । ସମସ୍ତ ଗୋପୀ ଗୋପାଙ୍ଗନାମାନଙ୍କ ଆଖିରୁ ଅଜସ୍ର ଲୁହ ଝରି ପଡ଼ୁଥିବା ବେଳେ ଏହାକୁ ସ୍ବଚକ୍ଷୁରେ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି ଦର୍ଶକ । ତେବେ ଧନୁଯାତ୍ରା ସମୟରେ ଦୀର୍ଘ ଦିନ ଧରି ଗୋପପୁର ପାଲଟି ଆଧ୍ୟାତ୍ମିକ ପରିବେଶରେ ରହିଆସିଥିବା କଳିଯୁଗର ଏହି ଅମ୍ବାପାଳି ଗ୍ରାମବାସୀଙ୍କ ମନ ଭାଙ୍ଗି ପଡିଛି । କୃଷ୍ଣ, ବଳରାମ, ରାଧା, ଗୋପୀଗୋପାଙ୍ଗ ସମସ୍ତେ ଏହି ଅମ୍ବାପାଳି ଗ୍ରାମର ବାସିନ୍ଦା ଏବଂ ସମସ୍ତେ ନିଜ ନିଜ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଆଜି କୃଷ୍ଣ ବଳରାମ ଦୁଇଭାଇ ଗୋପପୁରରୁ ମଥୁରାକୁ ଯାଇଛନ୍ତି । ଏଥିପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରିଯାଉଛି ଏବଂ ସଂପୂର୍ଣ୍ଣ ଗ୍ରାମ ଶୋକାକୁଳ ହୋଇପଡିଛି ।

ଏହା ମଧ୍ୟ ପଢ଼ନ୍ତୁ....ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିନ, କାଳୀୟ ଦଳନ କଲେ ପ୍ରଭୁ ଶ୍ରୀକୃଷ୍ଣ

କୃଷ୍ଣ ଚାଲିଯିବା ପରେ ପୁରା ଗୋପପୁର ଖାଲି ଖାଲି ଲାଗୁଛି । ଭଜନ କୀର୍ତ୍ତନ, ରାଧା କୃଷ୍ଣଙ୍କ ପ୍ରେମ ଏବଂ ଗୋପୀ ଗୋପାଙ୍ଗମାନଙ୍କର ଖେଳକୁଦ ତଥା ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ଦେଖିବାକୁ ଦର୍ଶକଙ୍କ ସୁଅ ଛୁଟୁଥିବା ଏହି ଗୋପପୁର ଗ୍ରାମ ଏବେ ସୁନସାନ ହୋଇପଡିଛି । ସେହି ଭଗବାନଙ୍କୁ ପାଇବା ପାଇଁ ପୁଣି ଏକ ବର୍ଷର ଅପେକ୍ଷା କରିବାକୁ ପଡିବ । ଏକ ବର୍ଷ ପରେ ପୁଣି ହେବ ଧନୁଯାତ୍ରା ଏବଂ ପୁଣି ଗୋପପୁରବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଗହଣରେ ପାଇବେ, ସେହି ଆଶାରେ ନିଜ ମନଙ୍କୁ ସମ୍ଭାଳିନେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.