ETV Bharat / state

ଜାତୀୟ ମତଦାତା ଦିବସରେ ପଦଯାତ୍ରା, ଯୁବ ଭୋଟରଙ୍କୁ ସଚେତନ କଲେ ମୁଖ୍ୟ ନିର୍ବାଚନ କମିଶନର

author img

By ETV Bharat Odisha Team

Published : Jan 25, 2024, 6:43 PM IST

14th national voters day
ଜାତୀୟ ମତଦାତା ଦିବସ

National Voters Day: ଆଜି ହେଉଛି ଜାତୀୟ ମତଦାତା ଦିବସ । ନୂଆ ଓ ଯୁବ ଭୋଟରଙ୍କୁ ସଚେତନତା କରାଇବା ପାଇଁ ଭୁବନେଶ୍ବରରେ ଏକ ପଦଯାତ୍ରା କରାଯାଇଛି । ଅଧିକ ପଢନ୍ତୁ

ଜାତୀୟ ମତଦାତା ଦିବସ

ଭୁବନେଶ୍ବର: ଆଜି ହେଉଛି ୧୪ ତମ ଜାତୀୟ ମତଦାତା ଦିବସ । ବିଭିନ୍ନ ସ୍ଥାନରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାତୀୟସ୍ତରୀୟ ସମାରୋହ କରାଯାଉଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏନେଇ ଏକ ପଦଯାତ୍ରା କରାଯାଇଛି । ଯାହାର ଉଦଘାଟନ କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ନିକୁଞ୍ଜ ଧଳ। ନୂଆ ଓ ଯୁବ ଭୋଟରଙ୍କୁ ସଚେତନତା କରାଇବା ପାଇଁ ଏହି ପଦଯାତ୍ରା କରାଯାଇଥିବାବେଳେ ଓୟୁଏଟି କଲେଜ ଛକରୁ ପଦଯାତ୍ରା ବାହାରି ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା ।

ଏହି ସଚେତନତା ପଦଯାତ୍ରାରେ ଅନେକ ଯୁବ ଭୋଟର ଓ ନୂଆ ଭୋଟରମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ମୁକ୍ତ, ଅବାଧ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନର ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ୨୫ତାରିଖରେ ଜାତୀୟ ମତଦାତା ଦିବସ ପାଳନ କରାଯାଇଥାଏ। ତେଣୁ ଯୁବ ଭୋଟରଙ୍କୁ ଭୋଟ ଚୟନ ପ୍ରକ୍ରିୟାରେ ଭାଗୀଦାରିତା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।

ଏହି ଦିବସ ଅବସରରେ ନିକୁଞ୍ଜ ଧଳ କହିଛନ୍ତି, "ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। EVMର ବି ପ୍ରସ୍ତୁତି କରାଯିବ । ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜାତୀୟ ନିର୍ବାଚନ କମିଶନ ସ୍ଥିର କରିବେ କେବେ ଓଡ଼ିଶା ଗସ୍ତରେ ଆସିବେ। ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ରହିଛୁ। ପ୍ରଥମେ EVM ଫାଷ୍ଟ ଲେଭେଲ ଚେକିଂ ସରିଛି। ତା'ପରେ ଭୋଟର ତାଲିକା ପ୍ରସ୍ତୁତ କରାଗଲା। ଏବେ EVM ରେ କିଭଳି ଭୋଟିଂ ଦିଆଯିବ ସେନେଇ ବୁଥ୍ ସ୍ତରରେ ସଚେତନତା କରାଯାଉଛି। ଏହାକୁ ନେଇ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ ହୋଇଯାଇଛି।"

ଏହା ମଧ୍ୟ ପଢନ୍ତୁ...ମତଦାତା ଦିବସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ଏହାର ଇତିହାସ ଓ ଥିମ୍


ଏହା ମଧ୍ୟ ପଢନ୍ତୁ...ଜାତୀୟ ମତଦାତା ଦିବସ, ଆଜି ନୂଆ ଭୋଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

୧୯୫୦ ମସିହା ଜାନୁଆରୀ ମାସ ୨୫ ତାରିଖରେ ନିର୍ବାଚନ ଆୟୋଗର ସ୍ଥାପନା କରାଯାଇଥିଲା । ଯେଉଁଥିପାଇଁ ପ୍ରତି ବର୍ଷ ଜାନୁଆରୀ ମାସ ୨୫ ତାରିଖକୁ 'ଜାତୀୟ ମତଦାତା ଦିବସ' ଭାବେ ପାଳନ କରାଯାଇଆସୁଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଯୁବବର୍ଗଙ୍କୁ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇବା । ଚଳିତ ବର୍ଷର ଥିମ୍ ରହିଛି, 'ନଥିଙ୍ଗ ଲାଇକ୍ ଭୋଟିଂ' । ତେବେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.