ETV Bharat / sports

ମ୍ୟାନେଜମେଣ୍ଟ ଦେଇଥିଲା ଚେତାବନୀ, ଚମତ୍କାର କମବ୍ୟାକ୍‌ କଲେ ଗିଲ୍‌

author img

By ETV Bharat Odisha Team

Published : Feb 4, 2024, 4:34 PM IST

ଚମତ୍କାର କମ୍‌ବ୍ୟାକ୍‌ କଲେ ଗିଲ୍‌
ଚମତ୍କାର କମ୍‌ବ୍ୟାକ୍‌ କଲେ ଗିଲ୍‌

Shubman Gill Back into Form: ପ୍ରାୟ ୧୧ ମାସ ପରେ ଗିଲ୍‌ ହାସଲ କଲେ ଟେଷ୍ଟ ଶତକ । ଦୀର୍ଘ ଦିନର ଅପେକ୍ଷା ଓ ସମାଲୋଚନା ପରେ ଫର୍ମକୁ ଫେରିଲେ ଟିମ୍‌ ଇଣ୍ଡିଆର ପ୍ରିନ୍ସ ଶୁଭମନ ଗିଲ୍‌ । ଅଧିକ ପଢ଼ନ୍ତୁ

ବିଶାଖାପାଟଣା: ବହୁ ଆଲୋଚନା ଓ ସମାଲୋଚନା ପରେ ଫର୍ମକୁ ଫେରିଲେ ଗିଲ୍‌ । ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୋଡ଼ିଲେ ଧୂଆଁଧାର ଶତକ । ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟରେ ଭାରତର ଦ୍ୱିତୀୟ ପାଳିରେ ବ୍ୟାଟରମାନେ ୱିକେଟ ରକ୍ଷା କରିବାରେ ଅସମର୍ଥ ହେଉଥିବାବେଳେ ଦମଦାର ଶତକୀୟ ପାଳି ଖେଳିଲେ ଶୁଭମନ ଗିଲ୍‌ । ଦୀର୍ଘ ଦିନରୁ ଆଉଟ୍‌ ଅଫ୍‌ ଫର୍ମରେ ଚାଲିଥିବା ଗିଲ୍‌ଙ୍କୁ ୩ୟ ସ୍ଥାନରେ ଖେଳିବାର ଏହା ଶେଷ ସୁଯୋଗ ବୋଲି ମଧ୍ୟ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଗିଲ୍‌ ଏହି ଶତକ ସହ ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

୩୩୨ ଦିନ ପରେ ଫର୍ମକୁ ଫେରିଲେ ଗିଲ୍‌: ବହୁ ଦିନରୁ ଆଉଟ୍‌ ଅଫ୍‌ ଫର୍ମ ଥିବା ଶୁଭମନ ଗିଲ୍‌ ଆଜି ଦଳକୁ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଆବଶ୍ୟକ ସମୟରେ ଦମଦାର ଶତକ ସହ ଫର୍ମକୁ ଫେରିଛନ୍ତି ଗିଲ୍‌ । ବିଶେଷ କରି ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ପ୍ରାୟ ୧୧ ମାସ ପରେ ସେ ଏକ ଟେଷ୍ଟ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଗୋଟିଏ ପଟେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟପଟେ ଗିଲ୍‌ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ୧୪୭ ବଲରୁ ୧୦୪ ରନର ଚମତ୍କାର ପାଳି ଖେଳିଥିଲେ । ଗିଲ୍‌ଙ୍କ ପାଳିରେ ୧୧ ଚୌକା ଓ ୨ ଛକା ସାମିଲ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଗିଲ୍‌ଙ୍କ କମ୍‌ବ୍ୟାକ୍‌ ସେଞ୍ଚୁରି; ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌

ସଚିନ୍‌-ବିରାଟଙ୍କ କ୍ଲବରେ ଗିଲ୍‌: ଏହି ରେକର୍ଡ ସହ ଦୁଇ ମହାନ ଭାରତୀୟ ବ୍ୟାଟରଙ୍କ କ୍ଲବରେ ଗିଲ୍‌ ନିଜକୁ ସାମିଲ କରିଛନ୍ତି । ୨୪ ବର୍ଷ ବୟସରେ ୧୦ ଅନ୍ତର୍ଜାତୀୟ ଶତକ ହାସଲ କରିବାର ରେକର୍ଡ ପୂର୍ବରୁ କେବଳ ସଚିନ ଓ ବିରାଟଙ୍କ ନାମରେ ରହିଥିଲା । ଇଂଲଣ୍ଡ ବିପକ୍ଷ ଏହି ଶତକ ଗିଲ୍‌ଙ୍କ ୧୦ମ ଅନ୍ତର୍ଜାତୀୟ ଶତକ ଥିଲା । ଏହା ସହିତ ୨୪ ବର୍ଷ ବୟସରେ ୧୦ ଅନ୍ତର୍ଜାତୀୟ ଶତକ ହାସଲ କରି ସେ କୋହଲି ଓ ତେନ୍ଦୁଲକରଙ୍କ ଭଳି ମହାନ କ୍ରିକେଟରଙ୍କ ସୂଚୀରେ ନିଜ ନାମ ଲେଖାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରନ ପାଇଁ ସଂଘର୍ଷ କରୁଛନ୍ତି ଗିଲ, ଆଉ କେତେ ମିଳିବ ସୁଯୋଗ ?

ମ୍ୟାନେଜମେଣ୍ଟ ଦେଇଥିଲା ଚେତାବନୀ: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଶୁଭମନ ଗିଲ୍‌ । ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ କେବଳ ୩୪ ରନ କରିବାରେ ସକ୍ଷମ ହୋଇଥିଲେ ଗିଲ୍‌ । ଏହା ପୂର୍ବରୁ ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ଦୁଇ ପାଳି ଉପରେ ନଜର ପକାଇଲେ ଗିଲ୍‌ ଯଥାକ୍ରମେ ୨୩ ଓ ୦ ରନ କରି ଆଉଟ୍‌ ହୋଇଥିଲେ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଗିଲ୍‌ କେବଳ ୪୭ ରନ ହିଁ ସଂଗ୍ରହ କରିପାରିଥିଲେ । ଏଭଳି କ୍ରମାଗତ ଖରାପ ପ୍ରଦର୍ଶନ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଥିଲା । ଏପରିକି କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଶାଖାପାଟଣାରେ ହେଉଥିବା ମ୍ୟାଚ୍‌ ପୂର୍ବରୁ ଗିଲ୍‌ଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଚେତାବନୀ ଦେଇଥିଲା । ୩ ନଂରେ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ତାଙ୍କୁ ଏହି ଟେଷ୍ଟରେ ଭଲ ପ୍ରଦର୍ଶନ ଦେବାକୁ ହେବ ବୋଲି ଦଳ ସିଧା ସିଧା ଶୁଣାଇ ଦେଇଥିଲା । ଆଉ ଆଜି ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ଗିଲ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.