ETV Bharat / sports

ରନ ପାଇଁ ସଂଘର୍ଷ କରୁଛନ୍ତି ଗିଲ, ଆଉ କେତେ ମିଳିବ ସୁଯୋଗ ?

author img

By ETV Bharat Odisha Team

Published : Jan 27, 2024, 10:46 PM IST

Shubman Gill poor form continues: ଟେଷ୍ଟ କ୍ରିକେଟରେ ଭାରତୀୟ ଯୁବ ବ୍ୟାଟର ଶୁଭମନ ଗିଲ୍‌ଙ୍କ ଖରାପ ଫର୍ମ ଜାରି ରହିଛି । ବାରମ୍ବାର ସୁଯୋଗ ମିଳିଥିଲେ ବି ନିଜକୁ ପ୍ରମାଣିତ କରିବାରେ ଫେଲ ମାରୁଛନ୍ତି ଗିଲ୍‌ । ଅଧିକ ପଢ଼ନ୍ତୁ

ରନ କରିବାକୁ ସଙ୍ଘର୍ଷ କରୁଛନ୍ତି ଗିଲ
ରନ କରିବାକୁ ସଙ୍ଘର୍ଷ କରୁଛନ୍ତି ଗିଲ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ଏବେ ପ୍ରଥମ ମ୍ୟାଚ୍‌ ଖେଳାଯାଉଛି । ଶନିବାର ୩ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ଘରୋଇ ଦଳଠାରୁ ୧୨୬ ରନ ଆଗରେ ରହିଛି । ରବିବାର ପୁଣି ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ । ହେଲେ ଏହାରି ମଧ୍ୟରେ ଚୟନକର୍ତ୍ତାଙ୍କ ଚିନ୍ତା ବଢ଼ାଇଛନ୍ତି ଶୁଭମନ ଗିଲ୍‌ । ବାରମ୍ବାର ସୁଯୋଗ ମିଳୁଥିଲେ ବି ଟେଷ୍ଟ କ୍ରିକେଟରେ ନିଜକୁ ପ୍ରମାଣିତ କରିବାରେ ଫେଲ ମାରୁଛନ୍ତି ଗିଲ୍‌ । ବିରାଟଙ୍କ ଅନୁପସ୍ଥିତିରେ ୩ ନମ୍ବରରେ ବ୍ୟାଟିଂ କରିଥିବା ଗିଲ୍‌ ପ୍ରଥମ ପାଳିରେ କେବଳ ୨୩ ରନ କରିଥିଲେ ।

କ୍ରିକେଟ୍‌ରେ କିଙ୍ଗ୍‌ ବୋଲି କୁହାଯାଉଥିବା ବିରାଟ କୋହଲିଙ୍କ ପରେ ଶୁଭମନ ଗିଲ୍‌ଙ୍କୁ କିଛି କ୍ରିକେଟ ପଣ୍ଡିତ ପ୍ରିନ୍ସ ବୋଲି ବିବେଚନା କରୁଛନ୍ତି । ହେଲେ ଏହାକୁ ସେ କେତେଦୂର ପ୍ରମାଣିତ କରିପାରିବେ, ତାହା ଏବେ ଆସୋଚନାର ବିଷୟ । କାରଣ ଅନେକ ଦିନ ଧରି ସେ ଆଉଟ୍‌ ଅଫ ଫର୍ମରେ ରହିଛନ୍ତି । ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପରଠାରୁ କ୍ବଚିତ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି ଗିଲ୍‌ । ବିଶେଷ କରି କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟ ଟେଷ୍ଟରେ ସେ ଏକ ପ୍ରକାର ବିଫଳ ରହିଛନ୍ତି । ଏପରିକି ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ମଧ୍ୟ ଗିଲଙ୍କ ବ୍ୟାଟ ଶାନ୍ତ ରହିଥିଲା । ଏଥିରେ ଗିଲ୍‌ କେବଳ ୪୭ ରନ କରିବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପନ୍ତଙ୍କ ପ୍ରଶଂସାରେ ଶତମୁଖ ଗାଙ୍ଗୁଲି, କହିଲେ କୋହଲିଙ୍କ ପରେ ସର୍ବଶ୍ରେଷ୍ଠ ବ୍ୟାଟର

ଭାରତୀୟ ଦଳର ଏହି ଯୁବ ତାରକା ବ୍ୟାଟର ଟେଷ୍ଟ କ୍ରିକେଟରେ ନିଜର ଶେଷ ଶତକ ମାର୍ଚ୍ଚ ୯, ୨୦୨୩ରେ ହାସଲ କରିଥିଲେ । ଅହମ୍ମଦାବାଦରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏହି ଶତକ ହାସଲ କରିଥିଲେ । ଏହା ପରଠାରୁ ସେ ଅର୍ଦ୍ଧଶତକ ଟିଏ ମଧ୍ୟ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି ଗିଲ । ଟେଷ୍ଟ କ୍ରିକେଟ୍‌ରେ ଗିଲଙ୍କ ହାରାହାରି ପ୍ରାୟ ୩୦ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଗିଲ୍‌ କେବଳ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହିତ ୧୦୬୩ ଟେଷ୍ଟ ରନ ସଂଗ୍ରହ କରିଛନ୍ତି । ଓପନିଂରେ ସେ ଚାପ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥାଇପାରନ୍ତି । ଏଥିପାଇଁ ଅଭିଜ୍ଞ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଡ୍ରପ କରି ଗିଲ୍‌ଙ୍କୁ ଲଗାତାର ଭାବେ ୩ୟ ସ୍ଥାନରେ ଖେଳିବାକୁ ସୁଯୋଗ ଦିଆଯାଉଛି । ହେଲେ ତଥାପି ସେ ଫେଲ୍‌ । ଏଭଳି ସ୍ଥିତିରେ ରବିବାର ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ପାଳି ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.