ETV Bharat / sports

ମହିଳା ପ୍ରିମିୟର ଲିଗ: ଟ୍ରଫି ହାତେଇଲା RCB, 8 ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ

author img

By ETV Bharat Odisha Team

Published : Mar 18, 2024, 7:12 AM IST

WPL 2024
WPL 2024

WPL 2024: ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣର ଟ୍ରଫି ହାତେଇଲା ବାଙ୍ଗାଲୋର । ଦ୍ବିତୀୟ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଚମ୍ପିଆନ ହେବାର ଆଶା ଧୂଳିଶାତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଯାହା କରିପାରିନାହାନ୍ତି ପୁରୁଷ ଟିମ, ତାହା କରି ଦେଖାଇଲେ ମହିଳା ଟିମ । ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣର ଚମ୍ପିଆନ ହୋଇଛି ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର । ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇବାର ସ୍ବପ୍ନ ପୂରଣ କରିଛି ଆରସିବି । 8 ଓ୍ବିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ବିଜୟ ହୋଇଛି ଦଳ । ଫଳରେ ଦ୍ବିତୀୟ ଥର ପାଇଁ ଟ୍ରଫି ହାତେଇବାର ଆଶା ଦିଲ୍ଲୀ କ୍ୟାପିଟାଲ୍ସର ଧୂଳିସାତ ହୋଇଛି । ଦୁଇ ଦୁଇ ଥର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଠାରୁ ଗୋଟିଏ ପାଦରେ ପଛରେ ରହିଯାଇଛି ଦଳ । ସୋଫିମୋଲିନକ୍ସ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ବେଳେ ଦୀପ୍ତି ଶର୍ମା ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ ଫାଇନାଲ ଫାଇଟ, ଟ୍ରଫି ହାତେଇବା ଲକ୍ଷ୍ୟରେ RCB-DC

ଗତକାଲି(ରବିବାର) ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆରସିବି ଓ ଡିସି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଏହାପରେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଅଧିନାୟିକା ମେଗ ଲ୍ୟାନିଂ ଓ ଶେଫାଳି ବର୍ମା । ଆରମ୍ଭରୁ ଉଭୟ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ 64ରେ ପହଞ୍ଚାଇଥିଲେ । ପରେ ଅଷ୍ଟମ ଓଭରରେ ସୋଫି ବୋଲିଂ କରିବାକୁ ଆସି ଘାତକ ସାବ୍ୟସ୍ତ ହୋଇଥିଲେ । ଶେଫାଳି ବର୍ମା 44 ରନରେ ଆଉଟ ହେବା ପରେ ପରେ ତୃତୀୟ ଓ ଚତୁର୍ଥ ବଲରେ ଜେମିମା ରୋଡ୍ରିଗ୍ସ ଓ ଆଲିସ କ୍ୟାପସୀଙ୍କୁ ଆଉଟ କରିଥିଲେ । ଖାତା ଖୋଲିବା ପୂର୍ବରୁ ଏହି ଦୁଇ ଖେଳାଳି ପାଭିଲିୟନକୁ ଫେରିଥିଲେ । ପରେ ଆରସିବି ବୋଲିର ଶ୍ରେୟଙ୍କା ଲ୍ୟାନିଂଙ୍କୁ ଆଉଟ କରିବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦଳୀୟ ସ୍କୋର 74 ହୋଇଥିବା ବେଳେ 4ଟି ଓ୍ବିକେଟ ପଡିଥିଲା । ଶ୍ରେୟଙ୍କାଙ୍କ ଘାତକ ବୋଲିଂକୁ ସମ୍ମୁଖୀନ କରିନପାରି ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ ହୋଇଥିଲେ । 20 ଓଭର ଶେଷ ହେବା ପୂର୍ବରୁ ଦଳ ସମସ୍ତ ଓ୍ବିକେଟ ହରାଇ 113 ରନ କରିପାରିଥିଲା । ଶ୍ରେୟଙ୍କା ସର୍ବାଧିକ 4ଟି ଓ୍ବିକେଟ ନେଇଥିବା ବେଳେ ମୋଲିନକ୍ସ 3ଟି ଓ ଆଶା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

ଏହାପରେ 114 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରସିବି । ଦଳ ପାଇଁ ବିଜୟ ରନ ହାସଲ କରିବା ସହଜ ହୋଇଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ସୋଫି ଓ ସ୍ମୃତି ମନ୍ଧାନା । ଉଭୟ 49 ରନର ଭାଗିଦାରୀ କରିଥିଲେ । ପରେ 32 ରନ କରି ପାଭିଲିୟନକୁ ଫେରିଥିଲେ ଡିଭାଇନ । ପରେ ବ୍ୟାଟିଂ କରିବାକୁ ଆସିଥିଲେ ଏଲିସା ପେରୀ । ସତର୍କତାର ସହ ମନ୍ଧାନା ଓ ପେରୀ ଖେଳିଥିଲେ । ଦଳୀୟ ରନ 82 ହୋଇଥିବା ବେଳେ ମନ୍ଧାନା ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ରିଚା ଓ ପେରୀ । ଦୁଇ ଜଣ ଜବରଦସ୍ତ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । 3ଟି ବଲ ବାକି ଥାଇ 115 ରନରେ ଦଳ ବିଜୟୀ ହୋଇଥିଲା । ଏଲିସା ପେରୀ ଅପରାଜିତ 35 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.