ETV Bharat / sports

RCBକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ, ବଟଲରଙ୍କ ଶତକ ଆଗରେ କୋହଲି ଫିକା - IPL 2024

author img

By ETV Bharat Odisha Team

Published : Apr 7, 2024, 7:06 AM IST

IPL 2024
IPL 2024

IPL 2024: ଆଇପିଏଲର 19 ତମ ମୁକାବିଲାରେ ରାଜସ୍ଥାନର ବିଜୟ । 6 ଓ୍ବିକେଟରେ ପରାସ୍ତ ହେଲା ବେଙ୍ଗାଲୁରୁ । ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲା କୋହଲିଙ୍କ ଶତକ । ଅଧିକ ପଢନ୍ତୁ

ଜୟପୁର: ବଟଲରଙ୍କ ଶତକ ଆଗରେ ଫିକା ପଡିଲା କୋହଲିଙ୍କ ଶତକ । ଆଇପିଏଲର 19ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 6 ଓ୍ବିକେଟରେ ପରାସ୍ତ କଲା ରାଜସ୍ଥାନ । ଚଳିତ ସିଜିନରେ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ସଞ୍ଜୁ ସାମସନଙ୍କ ବାହିନୀ । ଚତୁର୍ଥ ଥର ମ୍ୟାଚ ହାରି ଫ୍ୟାନ୍ସଙ୍କୁ ପୁଣି ନିରାଶ କଲା ଆରସିବି । ଶତକୀୟ ପାଳି ଖେଳି ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ ହେଲେ ଜୋସ ବଟଲର । ଚଳିତ ଆଇପିଏଲରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହୋଲ଼୍ଡର ହେଲେ କୋହଲି ।

ଏହା ମଧ୍ୟ ପଢନ୍ତୁ-ଜୟପୁରରେ କୋହଲିଙ୍କ 'ୱାନ୍‌ ମ୍ୟାନ୍‌ ଶୋ', ୮ମ ଶତକ ସହ ପୂରଣ କଲେ ୭୫୦୦ ରନ - Virat Kohli hits 8th Ton

ଶନିବାର ସନ୍ଧ୍ୟା 7ଟା 30ରେ ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ସାୱାଇ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଆରସିବି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କୋହଲି ଓ ଡୁପ୍ଲେସି । 44 ରନ କରି ଡୁପ୍ଲେସିସ ଆଉଟ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ଅଟକାଇବା ବିପକ୍ଷ ଦଳର ବୋଲରଙ୍କ ନିକଟରେ ସହଜ ହୋଇନଥିଲା । ରାଜସ୍ଥାନରେ ବିରାଟଙ୍କ ବିରାଟ ସୋ ଦେଖିଥିଲେ ଦର୍ଶକ । 72 ବଲରେ କୋହଲି 113 ରନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । 20 ଓଭରରେ ଦଳ 3 ଓ୍ବିକେଟ ହରାଇ 183 ରନ କରିଥିଲା ।

ଏହାପରେ 184 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ଜୟସ୍ବାଲ । କିନ୍ତୁ ବଟଲର ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । 58 ବଲରେ ସେ 100 ରନ କରି ଅପରାଜିତ ରହିଥିଲେ । ତାଙ୍କର ଶତକ ଆଗରେ ବିରାଟଙ୍କ ଶତକ ଆଉ କାମ କରିନଥିଲା । ଶେଷରେ ଆରସିବିର ବିଜୟ ଆଶା ମଉଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମସନ 69, ହେତମାୟର ଅପରାଜିତ 11 ରନ କରିଥିଲେ । 5ଟି ବଲ ବାକି ଥାଇ 4 ଓ୍ବିକେଟ ହରାଇ 189 ରନ କରି ଚଳିତ ସିଜିନରେ ବିଜୟ ଧାରା ଜାରି ରଖିଥିଲା ଆରଆର । ଫଳରେ 6 ଓ୍ବିକେଟରେ ପରାସ୍ତ ହୋଇଥିଲା ଆରସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.