ETV Bharat / sports

ୱାଙ୍ଖଡେରେ ବୁମରାଙ୍କ ଘାତକ ବୋଲିଂ, ଆରସିବି ବିପକ୍ଷରେ ମୁମ୍ବାଇର ସହଜ ବିଜୟ - IPL 2024

author img

By ETV Bharat Odisha Team

Published : Apr 12, 2024, 7:12 AM IST

IPL 2024
IPL 2024

IPL 2024: ଆଇପିଏଲର 25 ତମ ମ୍ୟାଚରେ 7 ଓ୍ବିକେଟରେ ଆରସିବିକୁ ହରାଇଲା ମୁମ୍ବାଇ । ଦୁଇ ଦଳର 5 ଖେଳାଳିଙ୍କ ଅର୍ଦ୍ଧଶତକ । 5 ଓ୍ବିକେଟ ନେଲେ ଯଶପ୍ରୀତ ବୁମରା । ଅଧିକ ପଢନ୍ତୁ

ମୁମ୍ବାଇ: ଚଳିତ ଆଇପିଏଲର 25 ତମ ମ୍ୟାଚରେ ଛକା ଚୌକାର ବର୍ଷା । ଷ୍ଟାଡିୟମ ଆକାଶରେ ଉଡିଲା ବଲ । ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କଲେ ଆରସିବି ଓ ଏମଆଇ ଦଳର 5 ଖେଳାଳି । ଓ୍ବାଙ୍ଖଡେରେ ଯାଦୁ ଦେଖାଇଲେ ବୁମ ବୁମ ବୁମରା । 17 ବଲରେ ଅର୍ଦ୍ଧଶତକ ହାସଲ କଲେ ସୂର୍ଯ୍ୟକୁମାର । ଘାତକ ବୋଲିଂ କରି 5ଟି ଓ୍ବିକେଟ ନେଲେ । ଶେଷରେ ଆରସିବି ବିପକ୍ଷ ମ୍ୟାଚରେ ସହଜ ବିଜୟ ହାସଲ କରିଛି ମୁମ୍ବାଇ । ପଞ୍ଚମ ମ୍ୟାଚରେ 7 ଓ୍ବିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ଦ୍ବିତୀୟ ବିଜୟ ହାସଲ କରିଥିଲା ମୁମ୍ବାଇ । ସେପଟେ କ୍ରମାଗତ 5ମ ପରାଜୟ ବରଣ କରି ଦର୍ଶକଙ୍କୁ ପୁଣି ନିରାଶ କରିଛି ଆରସିବି । ଯଶପ୍ରୀତ ବୁମରା ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ।

ଗୁରୁବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏମଆଇ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଆରସିବି । କୋହଲି ସହଳ ଆଉଟ ହୋଇଥିଲେ ମଧ୍ୟ ପଛ ଘୁଞ୍ଚା ଦେଇନଥିଲେ ଅନ୍ୟ ଆରସିବି ବ୍ୟାଟର । ଲଢୁଆ ବ୍ୟାଟିଂ କରି ଫାଫ ଡୁ ପ୍ଲେସି 61, ରଜତ ପଟିଦାର 50 ଓ ଦିନେଶ କାର୍ତ୍ତିକ ଅପରାଜିତ 53 ରନ କରିଥିଲେ । ଦଳ 20 ଓଭରରେ 8 ଓ୍ବିକେଟ ହରାଇ 196 ରନ କରିଥିଲା ।

ଏହା ମଧ୍ଯ ପଢନ୍ତୁ-ଠକିଥିଲେ 4 କୋଟି, ବନ୍ଧା ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ - Pandya Step Brother Arrested

ଓ୍ବାଙ୍ଖଡେରେ ବୁମରାଙ୍କ ସୋ: ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ବୁମରାଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଥିଲା । ଏକୁଟିଆ ଓ୍ବାଙ୍ଖଡେରେ ଆତଙ୍କ ଖେଳାଇଥିଲେ ବୁମରା । ସେ ଘାତକ ବୋଲିଂ କରି ବିପକ୍ଷ ଦଳକୁ ଅଣାୟତ୍ତ କରିଦେଇଥିଲେ । ଯାହା ଫଳରେ ଆରସିବି ବ୍ୟାଟର ଓ ବୁମରାଙ୍କ ମଧ୍ୟରେ ଲଢେଇ ହୋଇଥିବା ଦେଖିବାକୁ ମିଳିଥିଲା । ସେ 5ଟି ଓ୍ବିକେଟ ନେଇଥିଲେ । ପ୍ରଥମେ କୋହଲି, ପରେ ଆକାଶଙ୍କ ଓ୍ବିକେଟ ନେଇଥିଲେ । ପରେ ପରେ ମହିପାଲ, ଡୁପ୍ଲେସି ଓ ସୌରଭଙ୍କ ଓ୍ବିକେଟ ନେଇଥିଲେ ।

ଇଶାନ-ସୂର୍ଯ୍ୟଙ୍କ ଅର୍ଦ୍ଧଶତକ: 197 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରାଇଥିଲା । ମାତ୍ର 15 ଓଭର 3 ବଲରେ 3 ଓ୍ବିକେଟ ହରାଇ ମୁମ୍ବାଇ 199 ରନ କରି ବିଜୟୀ ହୋଇଥିଲା । ଇଶାନ କିଷାନ 69 ଓ ସୂର୍ଯ୍ୟ କୁମାର 52 ରନ କରିଥିଲେ । ମାତ୍ର 17 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟ । 19 ବଲରୁ 5 ଚୌକା ଓ 4ଟି ଛକା ମାରି 52 ରନ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୋହିତ 38, ପାଣ୍ଡ୍ୟା ଅପରାଜିତ 21 ଓ ତିଳକ ବର୍ମା ଅପରାଜିତ 16 ରନ କରିଥିଲେ । ଗତକାଲିର ମ୍ୟାଚରେ ମୋଟ 26ଟି ଛକା ବର୍ଷା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.