ETV Bharat / sports

ରାଞ୍ଚିରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ: ଇଂଲଣ୍ଡକୁ 5 ୱିକେଟରେ ହରାଇ ଟେଷ୍ଟ ସରିଜ୍ କବଜା

author img

By ETV Bharat Odisha Team

Published : Feb 26, 2024, 2:09 PM IST

Updated : Feb 26, 2024, 3:22 PM IST

IND vs Eng 4th Test
IND vs Eng 4th Test

INDIA ENGLAND 4th Test: ରାଞ୍ଚି ଟେଷ୍ଟରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ । ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ହରାଇ ଟେଷ୍ଟ ସିରିଜ ହାତେଇଲା ଭାରତ । ଅଧିକ ପଢନ୍ତୁ

ରାଞ୍ଚି: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆର ଦମଦାର ବିଜୟ । 5 ୱିକେଟରେ ଭ୍ରମଣକାରୀ ଦଳକୁ ହରାଇଲା ଭାରତୀୟ ଦଳ । ମାତ୍ର 5 ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କଲା ମେନ ଇନ ବ୍ଲୁ । ଚତୁର୍ଥ ଟେଷ୍ଟରେ ଦଳକୁ ବିଜୟୀ କରାଇଲେ ଯୁବ ବ୍ୟାଟର ଧ୍ରୁବ ଜୁରେଲ ଓ ଶୁଭମନ ଗିଲ୍‌ । ରୋହିତ ଶର୍ମା ଓ ଗିଲ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ସହ ଜୁରେଲଙ୍କ ୩୯ ରନର ଅପରାଜିତ ପାଳି ବଳରେ 192 ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି ଭାରତ । ଏହାସହ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 3-1ରେ ଆଗୁଆ ହୋଇ ସିରିଜ କବ୍‌ଜା କରିଛି । ବର୍ତ୍ତମାନ ସୁଦ୍ଧା 4ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ, ଭାରତ 3ଟିରେ ଓ ଇଂଲଣ୍ଡ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ ।

ନଜର ପକାନ୍ତୁ କେମିତି ଥିଲା ସମ୍ପୂର୍ଣ୍ଣ ମ୍ୟାଚ୍‌...

ଇଂଲଣ୍ଡ ପ୍ରଥମ ପାଳି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର (ଫେବୃଆରୀ ୨୩) ଝାଡ଼ଖଣ୍ଡର ରାଞ୍ଚିସ୍ଥିତ JSCA ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ୪ର୍ଥ ଟେଷ୍ଟ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଦିନରେ ଯଦିଓ ଭାରତୀୟ ବୋଲରଙ୍କ ବିପକ୍ଷରେ କିଛିମାତ୍ରାରେ ଅଡ଼ୁଆରେ ପଡ଼ିଥିଲା, ହେଲେ ଅନୁଭବୀ ବ୍ୟାଟର ଜୋ ରୁଟ୍‌ ଦଳକୁ ଖରାପ ସ୍ଥିତିରୁ ମୁକୁଳାଇଥିଲା । ସେ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ଖେଳି ଦଳକୁ ୩୦୨ ରନର ବଡ଼ ସ୍କୋରରେ ପହଞ୍ଚାଇଥିଲେ । ଦ୍ବିତୀୟ ଦିନରେ ସେହିଠାରୁ ଆରମ୍ଭ ହୋଇଥିଲା ଖେଳ । ତେବେ ଏହିଦିନ ଭ୍ରମଣକାରୀ ଦଳ ପାଇଁ ଅଡ଼ୁଆ ସାଜିଥିଲେ ଅନୁଭବୀ ସ୍ପିନର ରବୀନ୍ଦ୍ର ଜାଡେଜା । ଗୋଟିଏ ପଟେ ଜୋ ରୁଟ୍‌ ଶତକୀୟ ପାଳି ଖେଳି ନଟ୍‌ ଆଉଟ୍‌ ଥିବାବେଳେ ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରିସାରିଥିବା ରବିନ୍‌ସନ୍‌ (୫୮)ଙ୍କୁ ଆଉଟ୍‌ କରିଥିଲେ ଜାଡେଜା । ଏହାପରେ ଶୋଏବ ବଶିର ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଥିଲେ । ରୁଟ୍‌ ନଟ୍‌ଆଉଟ୍‌ ଥିଲେ ମଧ୍ୟ ଇଂଲଣ୍ଡର ପାଳି ୩୫୩ ରନରେ ଶେଷ ହୋଇଥିଲା ।

ଏହି ପାଳିରେ ଭାରତ ପକ୍ଷରୁ ଅନୁଭବୀ ସ୍ପିନର ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବୁମ୍‌ରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆକାଶ ଦୀପ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମ ଦିନରେ ଇଂଲଣ୍ଡର ଟପ୍‌ ୩ ବ୍ୟାଟରଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଏହିଦିନ ଲଞ୍ଚ୍‌ ବ୍ରେକ୍‌ ପରେ ୨ଟି ୱିକେଟ୍‌ ହାସଲ କରି ଭାରତକୁ ବ୍ରେକ୍‌ ଥ୍ରୋ ଦେବାରେ ସଫଳ ହୋଇଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଅନ୍ୟପଟେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟରେ ରୁଟଙ୍କ ଅପରାଜିତ ଶତକୀୟ ଇନିଂସ, ଇଂଲଣ୍ଡ ୩୫୩ରେ ଅଲ୍ଆଉଟ୍

ଭାରତ ପ୍ରଥମ ପାଳି: ୩୦୨ ରନରେ ଇଂଲଣ୍ଡକୁ ଅଲ୍‌ଆଉଟ୍‌ କରିବା ପରେ ପ୍ରଥମ ପାଳି ଖେଳିବାକୁ ଓହ୍ଲାଇଥିଲା ଭାରତ । ହେଲେ ଦଳୀୟ ସ୍କୋର ୪ ରନ ହୋଇଥିବାବେଳେ ଆରମ୍ଭରୁ ନିରାଶ କରି ପାଭିଲିୟନ ଫେରିଯାଇଥିଲେ ଅଧିନାୟକ ରୋହିତ ଶର୍ମା । ଗୋଟିଏ ପଟେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ବ୍ୟାଟର ମାନେ ନିଜ ନିଜର ୱିକେଟ୍‌ ହରାଇ ଚାଲିଥିଲେ । ଗିଲ୍‌ (୩୮), ପଟିଦାର (୧୭) ଓ ଜାଡେଜା (୧୨) ଆଉଟ୍‌ ହେବାପରେ ଭାରତ ପାଇଁ ସର୍ବାଧିକ ୭୩ ରନ କରିଥିବା ଜୟସ୍ବାଲ ମଧ୍ୟ ଆଉଟ୍‌ ହୋଇଥିଲେ । ଏହାପରେ ସର୍ଫରାଜ ଖାନ ୧୪ ରନ କରି ପାଭିଲିୟନ ଫେରିଥିଲେ । ଅଶ୍ବିନ କେବଳ ୧ ରନ ହିଁ କରିପାରିଥିଲେ । ତେବେ ଧ୍ରୁବ ଜୁରେଲ ୩୦ ଓ କୁଲଦୀପ ଯାଦବ ୧୭ ରନ କରି ତୃତୀୟ ଦିନ ପାଇଁ ପିଚ୍‌ରେ ମହଜୁଦ ରହିଥିଲେ । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧୯ ରନ କରି ୭ଟି ବହୁମୂଲ୍ୟ ୱିକେଟ୍‌ ହରାଇଥିଲା । ଆଜି ଏହିଠାରୁ ଖେଳ ଆରମ୍ଭ ହୋଇଥିବାବେଳେ କୁଲଦୀପ ଯାଦବ ୨୮ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଧ୍ରୁବ ଜୁରେଲଙ୍କ ୯୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଭାରତକୁ ୩୦୦ ରନ ପାର କରାଇବାରେ ସହାୟକ ହୋଇଥିଲା । ଫଳରେ ପ୍ରଥମ ପାଳି ୩୦୭ ରନରେ ଶେଷ କରିଥିଲା ଭାରତ ।

ଏହିପାଳିରେ ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ ଯୁବ ସ୍ପିନର ଶୋଏବ ବସିର । ସେ ଏକାକୀ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଟମ୍‌ ହାର୍ଟଲେ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ଅନୁଭବୀ ପେସର ଜେମ୍ସ ଆଣ୍ଡରସନ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ଭାରତୀୟ ସ୍ପିନ ଆଟାକ୍‌ରେ ଫସିଲେ ଇଂରେଜ, ଭାରତ ଆଗରେ ଲକ୍ଷ୍ୟ ୧୯୨

ଇଂଲଣ୍ଡ ଦ୍ବିତୀୟ ପାଳି: ଆଜି ତୃତୀୟ ଦିନରେ ଇଂଲଣ୍ଡ ୪୬ ରନ ଲିଡ୍‌ ନେଇ ୨ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଭାରତୀୟ ସ୍ପିନ୍‌ ବିଭାଗର ଘାତକ ବୋଲିଂକୁ ଭେଦ କରିବାରେ ଅସମର୍ଥ ରହିଥିଲେ ଇଂଲଣ୍ଡ ବ୍ୟାଟର । ବିଶେଷ କରି ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ବୋଲିଂରେ ଘାଇଲା ହୋଇଥିଲା ବିପକ୍ଷ ଦଳ । ଦଳ ପାଇଁ ଜ୍ୟାକ୍‌ କ୍ରାଓଲି ସର୍ବାଧିକ ୬୦ ରନର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ (୩୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସଫଳ ହୋଇନଥିଲେ । ଫଳରେ ୧୪୫ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ । ଏହି ପାଳି ଶେଷ ହେବା ବେଳକୁ ଭାରତ ଠାରୁ ୧୯୧ ରନ ଆଗକୁ ଚାଲିଯାଇଥିଲା ଇଂଲଣ୍ଡ ।

ଏହି ପାଳିରେ ଭାରତ ପକ୍ଷରୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ କୁଲଦୀପ ଯାଦବ ୪ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ହାସଲ କରିଥିଲେ । ପେସରମାନଙ୍କ ମଧ୍ୟରେ କେବଳ ମହମ୍ମଦ ସିରାଜ ୩ ଓଭର ବୋଲିଂ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ସିରିଜ ବିଜୟ ପଥରେ ଭାରତ, ଆଉ ଦରକାର ୧୫୨

ଭାରତ ୨ୟ ପାଳି: ଏହି ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଭାରତୀୟ ଦଳକୁ ୧୯୨ ରନର ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟ୍‌ ନେଇ ୩ୟ ଦିନରେ ହିଁ ମୈଦାନକୁ ଓହ୍ଲାଇବା ପରେ ଆକ୍ରାମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ । ୩ୟ ଦିନର ଖେଳ ଶେଷ ସୁଦ୍ଧା ରୋହିତ ୨୭ ବଲରେ ୨୪ ଓ ଜୟସ୍ବାଲ ୨୧ ବଲରେ ୧୬ ରନ ସଂଗ୍ରହ କରି ମହଜୁଦ ରହିଛନ୍ତି । ଫଳରେ ଭାରତ ଏହିଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍‌ ନହରାଇ ୪୦ ରନ ସଂଗ୍ରହ କରିଥିଲା । ମ୍ୟାଚ୍‌ ଜିତିବାକୁ ଆଉ ୧୫୨ ରନ ଆବଶ୍ୟକ ଥିଲା । ଆଜି ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଖେଳ । ଜୟସ୍ବାଲ କେବଳ ୩୭ ରନ କରି ଆଉଟ୍‌ ହେବାପରେ ରୋହିତ ଓ ଶୁଭମନ୍‌ ଗିଲ୍‌ ଦଳୀୟ ଖାତାକୁ ଆଗକୁ ବଢ଼ାଇଥିଲେ । ରୋହିତ ୫୫ ରନ କରି ଆଉଟ୍‌ ହେବାପରେ ଭାରତ ସାମାନ୍ୟ ସଂକଟରେ ପଡ଼ିଥିଲା । ରଜତ ପଟିଦାର ଓ ସର୍ଫରାଜ ଖାନ ଖାତା ଖୋଲିପାରିନଥିଲେ । ଜାଡେଜା ମଧ୍ୟ କେବଳ ୪ ରନ କରି ଆଉଟ୍‌ ହୋଇଥିଲେ । ଶେଷରେ ଗିଲ୍‌ (୫୫) ଓ ଧ୍ରୁବ ଜୁରେଲ (୩୯)ଙ୍କ ଅପରାଜିତ ପାଳି ଭାରତକୁ ବିଜୟୀ କରାଇଥିଲା ।

ଏହି ପାଳିରେ ଇଂଲଣ୍ଡ ପକ୍ଷରୁ ଶୋଏବ ବସିର ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଟମ୍‌ ହାର୍ଟଲେ ଓ ଜୋ ରୁଟ୍‌ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 26, 2024, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.