ETV Bharat / sports

ରାଞ୍ଚି ଟେଷ୍ଟରେ ରୁଟଙ୍କ ଅପରାଜିତ ଶତକୀୟ ଇନିଂସ, ଇଂଲଣ୍ଡ ୩୫୩ରେ ଅଲ୍ଆଉଟ୍

author img

By ETV Bharat Odisha Team

Published : Feb 24, 2024, 11:52 AM IST

Updated : Feb 24, 2024, 3:10 PM IST

4ର୍ଥ ଟେଷ୍ଟ
4ର୍ଥ ଟେଷ୍ଟ

India England Fourth Test: ରାଞ୍ଚିରେ ଚାଲିଛି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ । ଦ୍ବିତୀୟ ଦିନରେ ୩୫୩ ରନରେ ସରିଛି ଭ୍ରମଣକାରୀ ଦଳର ପ୍ରଥମ ଇନିଂସ । ଏଥିରେ ରହିଛି ଜୋ ରୁଟଙ୍କ ଶତକୀୟ ପାଳି । ଅଧିକ ପଢ଼ନ୍ତୁ

ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିସ୍ଥିତ JSCA କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ୪ର୍ଥ ଟେଷ୍ଟ ମ୍ୟାଚ୍‌ । ଦ୍ବିତୀୟ ଦିନ ଖେଳ ଆରମ୍ଭରୁ ୩୫୩ ରନରେ ଇଂଲଣ୍ଡକୁ ଅଟକାଇଛି ଭାରତ । ଅଲ୍‌ଆଉଟ ହୋଇଛି ଇଂଲଣ୍ଡ । ଜୋ ରୁଟ ୧୨୨ ରନ ସହ ନଟ୍‌ ଆଉଟ୍‌ ରହିଛନ୍ତି । ଇଂଲଣ୍ଡର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ ୱିକେଟ ନେଇଛନ୍ତି । ଇଂଲଣ୍ଡର ଅଲଆଉଟ୍ ହେବା ପରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଛି ।

ଗତକାଲି (ଶୁକ୍ରବାର)ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୭ ୱିକେଟ ହରାଇ ୩୦୨ ରନ କରିଥିଲା । ରୁଟ୍‌ ୧୦୬ ଏବଂ ଓଲି ରବିନ୍‌ସନ୍‌ ୩୧ ରନ କରି ଅପରାଜିତ ରହିଥିଲେ । ଆଜି ସେହିଠାରୁ ଆରମ୍ଭ ହୋଇଥିଲା ଖେଳ । ତେବେ ଆଜି ଖେଳ ଆରମ୍ଭରୁ ଭ୍ରମଣକାରୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଭେଟେରାନ ସ୍ପିନର ରବୀନ୍ଦ୍ର ଜାଡେଜା । ଗୋଟିଏ ପଟେ ଶତକୀୟ ପାଳି ଖେଳିଥିବା ଜୋ ରୁଟ୍‌ ପାଳିକୁ ସମ୍ଭାଳି ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଦଳର ବାକିଥିବା ସମସ୍ତ ୩ ୱିକେଟ୍‌ ଖସାଇ ଦେଇଥିଲେ ଜାଡେଜା । ଆଜି ଖେଳ ଆରମ୍ଭରୁ ଅର୍ଦ୍ଧଶତକ ହାସଲ କରିସାରିଥିବା ରବିନ୍‌ସନ୍‌ (୫୮)ଙ୍କୁ ଆଉଟ୍‌ କରିଥିଲେ ଜାଡେଜା । ଏହାପରେ ଶୋଏବ ବଶିର ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଥିଲେ । ରୁଟ୍‌ ନଟ୍‌ଆଉଟ୍‌ ଥିଲେ ମଧ୍ୟ ଇଂଲଣ୍ଡର ପାଳି ୩୫୩ ରନରେ ଶେଷ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ଭାରତ ବିପକ୍ଷରେ ରୁଟଙ୍କ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ଇତିହାସ ରଚିଲେ ଅଶ୍ବିନ

ସେପଟେ ଭାରତ ପକ୍ଷରୁ ଏହି ପାଳିରେ ଅନୁଭବୀ ସ୍ପିନର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବୁମ୍‌ରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆକାଶ ଦୀପ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମ ଦିନରେ ଇଂଲଣ୍ଡର ଟପ୍‌ ୩ ବ୍ୟାଟରଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଏହିଦିନ ଲଞ୍ଚ୍‌ ବ୍ରେକ୍‌ ପରେ ୨ଟି ୱିକେଟ୍‌ ହାସଲ କରି ଭାରତକୁ ବ୍ରେକ୍‌ ଥ୍ରୋ ଦେବାରେ ସଫଳ ହୋଇଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଅନ୍ୟପଟେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ରୁଟ୍‌ଙ୍କ ଶତକରେ ଶକ୍ତିଶାଳୀ ଇଂଲଣ୍ଡ, ପ୍ରଥମ ଦିନରେ ୭ ୱିକେଟ୍‌ରେ ଦଳୀୟ ସ୍କୋର ୩୦୨

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 24, 2024, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.