ETV Bharat / sports

ରାଞ୍ଚି ଟେଷ୍ଟ: ଭାରତୀୟ ସ୍ପିନ ଆଟାକ୍‌ରେ ଫସିଲେ ଇଂରେଜ, ଭାରତ ଆଗରେ ଲକ୍ଷ୍ୟ ୧୯୨

author img

By ETV Bharat Odisha Team

Published : Feb 25, 2024, 4:33 PM IST

Updated : Feb 25, 2024, 5:33 PM IST

India vs England 4th Test
India vs England 4th Test

India vs England 4th Test: ସିରିଜ ବିଜୟ ଲକ୍ଷରେ ଭାରତ । ୪ର୍ଥ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଦ୍ବିତୀୟ ଇନିଂସ୍‌ ଆରମ୍ଭ କରି ୧୪୫ ରନରେ ଅଲ୍‌ଆଉଟ୍‌ ହୋଇଛି ଇଂଲଣ୍ଡ । ମ୍ୟାଚ୍‌ ଜିତିବାକୁ ଭାରତ ଆଗରେ ୧୯୨ ରନ ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଅଧିକ ପଢ଼ନ୍ତୁ

ରାଞ୍ଚି: ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣ । ସ୍ପିନ୍‌ ଜାଲରେ ଫସିଲେ ଇଂଲଣ୍ଡ ବ୍ୟାଟର । ସଫଳ ହେଲା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ଆଜି ଭାରତ ୩୦୭ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ଏହାପରେ ୪୬ ରନ ଲିଡ୍‌ ନେଇ ଦ୍ବିତୀୟ ଇନିଂସ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ହେଲେ ପ୍ରତିପକ୍ଷ ବ୍ୟାଟରଙ୍କ ବିପକ୍ଷରେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିସାରିଥିଲେ ଭାରତୀୟ ସେନାପତି । ଆରମ୍ଭରୁ ଲଗାଇଥିଲେ ସ୍ପିନ୍‌ ଆଟାକ୍‌ । ଆଉ ଏଥିରେ ବେଶ ସଫଳ ମଧ୍ୟ ହେଲା ଭାରତ । କେବଳ ୧୪୫ ରନରେ ଦ୍ବିତୀୟ ଇନିଂସ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ଫଳରେ ଭାରତ ଆଗରେ ଏହି ମ୍ୟାଚ୍‌ ଜିତିବାକୁ ୧୯୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଇଂଲଣ୍ଡ । ଭାରତୀୟ ବୋଲିଂ ଆଟାକ୍‌ରେ ଦଳର ବ୍ୟାଟର ନିଜର ୱିକେଟ୍‌ ହରାଇ ଚାଲିଥିବାବେଳେ ଜୋ ରୁଟ୍‌ ଏକାକୀ ଶତକ ହାସଲ କରି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲେ । ରୁଟ୍‌ଙ୍କ ୧୨୨ ଏବଂ ଓଲି ରବିନ୍‌ସନ୍‌ଙ୍କ ୫୮ ରନର ପାଳି ବଳରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୩୫୩ ରନ କରି ଦ୍ବିତୀୟ ଦିନ ପ୍ରାରମ୍ଭରେ ଅଲ୍‌ ଆଉଟ୍‌ ହୋଇଥିଲା । ଏହି ପାଳିରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ହାସଲ କରିଥିବାବେଳେ ଆକାଶ ଦୀପ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଅନୁଭବୀ ରବି ଅଶ୍ବିନଙ୍କୁ ମିଳିଥିଲା ଗୋଟିଏ ସଫଳତା ।

ଏହାପରେ ସେହିଦିନ (ଦ୍ବିତୀୟ ଦିନ) ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଅନ୍ୟ ଭାରତୀୟ ବ୍ୟାଟରମାନେ ଲମ୍ବା ପାଳି ଖେଳିବାରେ ଅସମର୍ଥ ହୋଇଥିଲେ । ଜୟସ୍ବାଲ ୭୩ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା କେବଳ ୨୧୯ ରନରେ ୭ ୱିକେଟ୍‌ ହରାଇଥିଲା ଭାରତ । ହେଲେ ପିଚ୍‌ରେ ମହଜୁଦ ଥିବା ନବାଗତ ଧ୍ରୁବ ଜୁରେଲ ଓ କୁଲଦୀପ ଯାଦବ କିଛିମାତ୍ରାରେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଆଜି ଜୁରେଲ୍‌ଙ୍କ ୯୦ ଓ କୁଲଦୀପଙ୍କ ୨୮ ରନର ପାଳି ବଳରେ ୩୦୭ ରନରେ ପ୍ରଥମ ପାଳି ଶେଷ କରିଥିଲା ଭାରତ । ଏହା ସହିତ ଇଂଲଣ୍ଡ ଠାରୁ ୪୬ ରନ ପଛରେ ପଡ଼ିଯାଇଥିଲା ଘରୋଇ ଦଳ । ଏହି ପାଳିରେ ଇଂଲଣ୍ଡ ପକ୍ଷରୁ ଶୋଏବ ବସିର ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିଥିବାବେଳେ ଟମ୍‌ ହାର୍ଟଲେ ୩ ଓ ଅନୁଭବୀ ପେସର ଜେମ୍ସ ଆଣ୍ଡରସନ୍‌ ୨ଟି ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ଜୟସ୍ବାଲଙ୍କ ଓ୍ୱିକେଟ ପରେ ଭୁଶୁଡିଲା ବ୍ୟାଟିଂ ଲାଇନ୍‌, ଦ୍ବିତୀୟ ଦିନରେ ଭାରତ ୨୧୯/୭

ତେବେ ଆଜି ତୃତୀୟ ଦିନରେ ଇଂଲଣ୍ଡ ୪୬ ରନ ଲିଡ୍‌ ନେଇ ୨ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଭାରତୀୟ ସ୍ପିନ୍‌ ବିଭାଗର ଘାତକ ବୋଲିଂକୁ ଭେଦ କରିବାରେ ଅସମର୍ଥ ରହିଥିଲେ ଇଂଲଣ୍ଡ ବ୍ୟାଟର । ବିଶେଷ କରି ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ବୋଲିଂରେ ଘାଇଲା ହୋଇଥିଲା ବିପକ୍ଷ ଦଳ । ଦଳ ପାଇଁ ଜ୍ୟାକ୍‌ କ୍ରାଓଲି ସର୍ବାଧିକ ୬୦ ରନର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ (୩୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସଫଳ ହୋଇନଥିଲେ । ଫଳରେ ୧୪୫ ରନରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ଭାରତ ପକ୍ଷରୁ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ କୁଲଦୀପ ଯାଦବ ୪ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ପେସରମାନଙ୍କ ମଧ୍ୟରେ କେବଳ ମହମ୍ମଦ ସିରାଜ ୩ ଓଭର ବୋଲିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 25, 2024, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.