ETV Bharat / sports

ରାଞ୍ଚି ଟେଷ୍ଟ: ଜୟସ୍ବାଲଙ୍କ ଓ୍ୱିକେଟ ପରେ ଭୁଶୁଡିଲା ବ୍ୟାଟିଂ ଲାଇନ୍‌, ଦ୍ବିତୀୟ ଦିନରେ ଭାରତ ୨୧୯/୭

author img

By ETV Bharat Odisha Team

Published : Feb 24, 2024, 5:08 PM IST

Updated : Feb 24, 2024, 5:58 PM IST

IND vs ENG 4th Test Day 2 Stumps
IND vs ENG 4th Test Day 2 Stumps

IND vs ENG 4th Test Day 2: ରାଞ୍ଚି ଟେଷ୍ଟରେ ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଆଜି ପ୍ରଥମେ ଇଂଲଣ୍ଡ ୩୫୩ ରନରେ ଏହାର ପ୍ରଥମ ପାଳି ଶେଷ କରିଥିଲା । ଏହାପରେ ବ୍ୟାଟିଂ କରି ଭାରତ ୭ ୱିକେଟ୍‌ ହରାଇ ୨୧୯ ରନ କରିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଠାରୁ ୧୩୪ ରନ ପଛରେ ରହିଛି ଘରୋଇ ଦଳ । ଅଧିକ ପଢ଼ନ୍ତୁ

ରାଞ୍ଚି: ଜୟସ୍ବାଲଙ୍କ ପରେ ଫିକା ପଡ଼ିଲେ ଭାରତୀୟ ଷ୍ଟାର ବ୍ୟାଟର । ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟର ପ୍ରଥମ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଚମକିଲେ ଇଂଲଣ୍ଡ ସ୍ପିନର ଶୋଏବ ବଶିର । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଆଜି ୨ୟ ଦିନର ଖେଳ ଶେଷ ହୋଇଛି । ପ୍ରଥମ ପାଳିରେ ଇଂଲଣ୍ଡ ୩୫୩ ରନର ବଡ଼ ସ୍କୋର କରିଥିବା ବେଳେ ଭାରତ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୧୯ ରନରେ ୭ ୱିକେଟ୍‌ ହରାଇ ସାରିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଠାରୁ ୧୩୪ ରନ ପଛରେ ରହିଛି ଭାରତ ।

ପ୍ରଥମ ଦିନ (ଇଂଲଣ୍ଡ ବ୍ୟାଟିଂ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର (ଫେବୃଆରୀ ୨୩) ଝାଡ଼ଖଣ୍ଡର ରାଞ୍ଚିସ୍ଥିତ JSCA ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ୪ର୍ଥ ଟେଷ୍ଟ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଦିନରେ ଯଦିଓ ଭାରତୀୟ ବୋଲରଙ୍କ ବିପକ୍ଷରେ କିଛିମାତ୍ରାରେ ଅଡ଼ୁଆରେ ପଡ଼ିଥିଲା, ହେଲେ ଅନୁଭବୀ ବ୍ୟାଟର ଜୋ ରୁଟ୍‌ ଦଳକୁ ଖରାପ ସ୍ଥିତିରୁ ମୁକୁଳାଇଥିଲା । ସେ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ଖେଳି ଦଳକୁ ୩୦୨ ରନର ବଡ଼ ସ୍କୋରରେ ପହଞ୍ଚାଇଥିଲେ । ସେପଟେ ପ୍ରଥମ ଦିନରେ ଭାରତ ପକ୍ଷରୁ ନବାଗତ ଆକାଶ ଦୀପ ୩ଟି ୱିକେଟ୍‌ ଅକ୍ତିଆର କରି ସବୁଠାରୁ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ ୨ଟି ୱିକେଟ୍‌ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ୍‌ ହରାଇ ୩୦୨ ରନ କରିଥିଲା ।

ଦ୍ବିତୀୟ ଦିନ (ଇଂଲଣ୍ଡ ବ୍ୟାଟିଂ): ଆଜି ସେହିଠାରୁ ଆରମ୍ଭ ହୋଇଥିଲା ଖେଳ । ତେବେ ଆଜି ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ପାଇଁ ଅଡ଼ୁଆ ସାଜିଥିଲେ ଅନୁଭବୀ ସ୍ପିନର ରବୀନ୍ଦ୍ର ଜାଡେଜା । ଗୋଟିଏ ପଟେ ଜୋ ରୁଟ୍‌ ଶତକୀୟ ପାଳି ଖେଳି ନଟ୍‌ ଆଉଟ୍‌ ଥିବାବେଳେ ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରିସାରିଥିବା ରବିନ୍‌ସନ୍‌ (୫୮)ଙ୍କୁ ଆଉଟ୍‌ କରିଥିଲେ ଜାଡେଜା । ଏହାପରେ ଶୋଏବ ବଶିର ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଥିଲେ । ରୁଟ୍‌ ନଟ୍‌ଆଉଟ୍‌ ଥିଲେ ମଧ୍ୟ ଇଂଲଣ୍ଡର ପାଳି ୩୫୩ ରନରେ ଶେଷ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟରେ ରୁଟଙ୍କ ଅପରାଜିତ ଶତକୀୟ ଇନିଂସ, ଇଂଲଣ୍ଡ ୩୫୩ରେ ଅଲ୍ଆଉଟ୍

୧ମ ଓ ୨ୟ ଦିନ (ଭାରତ ବୋଲିଂ): ଏହି ପାଳିରେ ଭାରତ ପକ୍ଷରୁ ଅନୁଭବୀ ସ୍ପିନର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବୁମ୍‌ରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆକାଶ ଦୀପ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମ ଦିନରେ ଇଂଲଣ୍ଡର ଟପ୍‌ ୩ ବ୍ୟାଟରଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଏହିଦିନ ଲଞ୍ଚ୍‌ ବ୍ରେକ୍‌ ପରେ ୨ଟି ୱିକେଟ୍‌ ହାସଲ କରି ଭାରତକୁ ବ୍ରେକ୍‌ ଥ୍ରୋ ଦେବାରେ ସଫଳ ହୋଇଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଅନ୍ୟପଟେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ଦ୍ବିତୀୟ ଦିନ (ଇଂଲଣ୍ଡ ବ୍ୟାଟିଂ): ୩୦୨ ରନରେ ଇଂଲଣ୍ଡକୁ ଅଲ୍‌ଆଉଟ୍‌ କରିବା ପରେ ପ୍ରଥମ ପାଳି ଖେଳିବାକୁ ଓହ୍ଲାଇଥିଲା ଭାରତ । ହେଲେ ଦଳୀୟ ସ୍କୋର ୪ ରନ ହୋଇଥିବାବେଳେ ଆରମ୍ଭରୁ ନିରାଶ କରି ପାଭିଲିୟନ ଫେରିଯାଇଥିଲେ ଅଧିନାୟକ ରୋହିତ ଶର୍ମା । ଗୋଟିଏ ପଟେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ବ୍ୟାଟର ମାନେ ନିଜ ନିଜର ୱିକେଟ୍‌ ହରାଇଚାଲିଥିଲେ । ଗିଲ୍‌ (୩୮), ପଟିଦାର (୧୭) ଓ ଜାଡେଜା (୧୨) ଆଉଟ୍‌ ହେବାପରେ ଭାରତ ପାଇଁ ସର୍ବାଧିକ ୭୩ ରନ କରିଥିବା ଜୟସ୍ବାଲ ମଧ୍ୟ ଆଉଟ୍‌ ହୋଇଥିଲେ । ଏହାପରେ ସର୍ଫରାଜ ଖାନ ୧୪ ରନ କରି ପାଭିଲିୟନ ଫେରିଥିଲେ । ଅଶ୍ବିନ କେବଳ ୧ ରନ ହିଁ କରିପାରିଥିଲେ । ତେବେ ଧ୍ରୁବ ଜୁରେଲ ୩୦ ଓ କୁଲଦୀପ ଯାଦବ ୧୭ ରନ କରି ପିଚ୍‌ରେ ମହଜୁଦ ରହିଛନ୍ତି । ଆଜିର ଖେଳ ଶେଷ ସୁଦ୍ଧା ଭାରତ ୨୧୯ ରନ କରି ୭ଟି ବହୁମୂଲ୍ୟ ୱିକେଟ୍‌ ହରାଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଭ୍ରମଣକାରୀ ଦଳଠାରୁ ୧୩୪ ରନ ପଛରେ ରହିଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ରୁଟ୍‌ଙ୍କ ଶତକରେ ଶକ୍ତିଶାଳୀ ଇଂଲଣ୍ଡ, ପ୍ରଥମ ଦିନରେ ୭ ୱିକେଟ୍‌ରେ ଦଳୀୟ ସ୍କୋର ୩୦୨

ଦ୍ବିତୀୟ ଦିନ (ଇଂଲଣ୍ଡ ବୋଲିଂ): ଆଜି ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ ଯୁବ ସ୍ପିନର ଶୋଏବ ବଶିର । ସେ ଏକାକୀ ୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଟମ୍‌ ହାର୍ଟଲେ ୨ଟି ଓ ଜେମ୍ସ ଆଣ୍ଡରସନ୍‌ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 24, 2024, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.