ETV Bharat / politics

ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ: ପ୍ରଣବ - Pranab criticizes Dharmendra

author img

By ETV Bharat Odisha Team

Published : May 4, 2024, 8:54 AM IST

Updated : May 4, 2024, 1:12 PM IST

Pranab criticizes Dharmendra: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବଦଳିକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ । କହିଲେ, ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat Odisha)

ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ: ପ୍ରଣବ (Etv Bharat Odisha)

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ରୋଚକ ହେବାରେ ଲାଗିଛି । ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ବ୍ୟକ୍ତିଗତ ଆକ୍ଷେପ ମଧ୍ୟ ଦେଖିବାକୁ ମିଳିଲାଣି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବଦଳିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ ବୋଲି ପ୍ରଣବ କହିଛନ୍ତି ।

ସମ୍ବଲପୁର ଲୋକସଭା ଆସନ ଉଭୟ ବିଜେଡି ଓ ବିଜେପିର ସମ୍ମାନର ପ୍ରଶ୍ନ ହୋଇଛି । ରଣାଙ୍ଗନରେ ଅଛନ୍ତି ଉଭୟ ଦଳର ହେଭିୱେଟ ନେତା । ବିଜେପିର ସଂସଦୀୟ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ସେନାପତି ହୋଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ଏବେ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ସୋସିଆଲ ମିଡ଼ିଆ ବଢିବାରେ ଲାଗିଛି ।

ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ଏହାର ଜବାବ ସୋସିଆଲ ମିଡ଼ିଆରେ ରଖିଛନ୍ତି ପ୍ରଣବ । ଧର୍ମେନ୍ଦ୍ରଙ୍କୁ ମହିଳା ବିରୋଧୀ ବୋଲି ପ୍ରଣବ ଅକ୍ଷେପ କରିଛନ୍ତି । ପ୍ରଣବ କହିଛନ୍ତି ଯେ, ଯେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କଲେ ମିଶନ ଶକ୍ତି ମା'ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ । ଆଉ ଯେବେ ସେ ନାମାଙ୍କନ ଦାଖଲ କଲେ ମିଶନ ଶକ୍ତି ସଚିବ ତଥା କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି, ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି ସେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ । ଏ ଅସମ୍ମାନର ଜବାବ ଓଡ଼ିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମା' ଏଥର ନିଶ୍ଚୟ ଦେବେ ।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କର ନାହିଁ ମଣିଷ ପଣିଆ: ବିଜେଡି - Lenin Mohanty Targets Dharmendra

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମେନ୍ଦ୍ର ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ । କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି । ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ରଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ରୁ ତଳକୁ ଖସିଆସିବ । ତାଙ୍କ ଦଳ ଏ କଥା ଜାଣିଛି । ଧର୍ମେନ୍ଦ୍ର ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ୧୦ ବର୍ଷ ଧରି ଯଥାସମ୍ଭବ ଉଦ୍ୟମ କଲେ । ହେଲେ ସେଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ, ନିଜ ପଞ୍ଚାୟତ, ବ୍ଲକ ଆଉ ଜିଲ୍ଲା ପରିଷଦରେ ହାରିଲେ । ସେଥିରୁ ସେ ଜାଣିପାରିଲେ ଢେଙ୍କାନାଳରୁ ଲଢିଲେ ଜିତିବା ଅସମ୍ଭବ । ଖାସ୍ ଏଥିପାଇଁ ସେ ସମ୍ବଲପୁର ଆସିଲେ ।

ଭାରତବର୍ଷର ଧର୍ମେନ୍ଦ୍ର ହେଉଛନ୍ତି ଏକମାତ୍ର ରାଜନେତା, ଯିଏ ନିର୍ବାଚନରେ ନ ଜିତି ମଧ୍ୟ ତାଙ୍କ ବିରୋଧରେ ଜନମତ ରହିଛି । ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ'ଣ ସମ୍ବଲପୁରବାସୀ ଭରସା କରିବେ ? ସମ୍ବଲପୁରବାସୀ ସତର୍କ ହେବେ । ନିଜର ବହୁମୂଲ୍ୟ ମତ ଉଚିତ ଜାଗାରେ ବ୍ୟକ୍ତ କରିବେ ବୋଲି କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ।

ପ୍ରଣବଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲିକ କହିଛନ୍ତି, ''ବିଜୁ ଜନତା ଦଳର ନେତା ପ୍ରଣବ ପ୍ରକାଶ ଦାସ ଯେତେବେଳେ ରାଜନୀତିରେ ନାବାଳକ ଥିଲେ, ସେହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏହାକୁ ଅଧିକ ଗତିଶୀଳ କରାଯାଉଛି l ବିଜେଡି ନେତା ଯେଉଁ ଆଳରେ ଏପରି କହୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଜଣେ ମହିଳା ଅଧିକାରୀ ବିଜେଡିର ନିର୍ବାଚନ ପ୍ରଚାର ପାଇଁ କାର୍ଯ୍ୟ କରୁଥିଲେ l ଯଦି ECI ତାଙ୍କୁ ବଦଳି କରିଛନ୍ତି ତାହେଲେ ଏଥିରେ ବିଜୁ ଜନତା ଦଳ ଭୟଭୀତ କ'ଣ ପାଇଁ ? ବିଜେଡି ସତ୍ୟକୁ ସାମ୍ନା କରୁ ।''

ଇଟିଭି ଭାରତ, ଭୁବନେଶ୍ୱର

Last Updated : May 4, 2024, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.