ETV Bharat / politics

ଆମେଠିରେ ପୁଣି ଥରେ ମୁହାଁମୁହିଁ ରାହୁଲ-ସ୍ମୃତି ! ରାଇବରେଲିରୁ ଲଢିପାରନ୍ତି ପ୍ରିୟଙ୍କା - Amethi Rae Bareli seat

author img

By ETV Bharat Odisha Team

Published : Apr 25, 2024, 4:12 PM IST

Updated : Apr 25, 2024, 4:59 PM IST

Smriti Vs Rahul Duel In Amethi !: କଂଗ୍ରେସ ଗଡ଼ ଭାବେ ଜଣାଶୁଣା ଉତ୍ତର ପ୍ରଦେଶର ରାଇବରେଲି ଓ ଆମେଠି ଆସନ । ଏଠାରୁ ଏଯାବତ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ଚର୍ଚ୍ଚା ଅନୁସାରେ ଆମେଠିରେ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ରାହୁଲ-ସ୍ମୃତି । ସେପଟେ ରାଇବରେଲିରୁ ଲଢିପାରନ୍ତି ପ୍ରିୟଙ୍କା । ଅଧିକ ପଢନ୍ତୁ

Smriti Vs Rahul Duel
Smriti Vs Rahul Duel

ହାଇଦ୍ରାବାଦ: ପୁଣି ଦେଖିବାକୁ ମିଳିବ କି ହାଇଭୋଲ୍ଟେଜ ଟକ୍କର । କଂଗ୍ରେସର ପାରମ୍ପରିକ ଆସନ କୁହାଯାଉଥିବା ଆମେଠିରୁ ପୁଣି ନିର୍ବାଚନ ଲଢିବେ କି ରାହୁଲ ଗାନ୍ଧୀ ? ଗତ ନିର୍ବାଚନରେ ରାହୁଲଙ୍କୁ ପରାସ୍ତ କରି ସାଂସଦ ହୋଇଥିବା ବିଜେପିର ସ୍ମୃତି ଇରାନୀ ଓ ରାହୁଲ ପୁଣି ମୁହାଁମୁହିଁ ହୋଇପାରନ୍ତି । କିଛି ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଆମେଠିରୁ ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ରାଇବରେଲି ଓ ଆମେଠିରୁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଏଠାରେ ଭାଇ ଭଉଣୀ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି । ଏହି 2 ଆସନରେ ଆସନ୍ତାକାଲି (ଏପ୍ରିଲ 26)ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

କଂଗ୍ରେସର ଗଡ଼ ଆମେଠି:- ଆମେଠିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । 1967 ମସିହାରେ ଅସ୍ତିତ୍ବକୁ ଆସିଥିବା ଆମେଠିରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏହା କଂଗ୍ରେସ ଖାତାକୁ ଯାଇଥିଲା । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଆସନରେ 13ଥର କଂଗ୍ରେସ ଓ 2ଥର ବିଜେପି ବିଜୟ ହାସଲ କରିଛି । 1980 ମସିହାରେ ସଞ୍ଜୟ ଗାନ୍ଧୀ ଏହି ଆସନରୁ ନିର୍ବାଚନ ଲଢି ଜିତିଥିଲେ । ଏହାପରେ 1984, 1989, 1991 ହୋଇଥିବା ଲୋକସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବିଜୟ ହାସଲ କରିଥିଲେ । 1999 ନିର୍ବାଚନ ସୋନିଆ ଗାନ୍ଧୀ ଜିତିଥିଲେ । ଏହାପରେ 2004, 2009 ଓ 2014 ନିର୍ବାଚନରେ ରାହୁଲ ଗାନ୍ଧୀ ବିଜୟ ହୋଇଥିଲେ । ମାତ୍ର ଗତ ନିର୍ବାଚନ 2019ରେ ରାହୁଲଙ୍କୁ ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀ ମାତ୍‌ ଦେଇଥିଲେ ।

2019ରେ ବିଜେପି ହାତେଇଥିଲା କଂଗ୍ରେସ ଗଡ଼:- 2019ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠି ଓ କେରଳ ୱାୟନାଡ ଆସନରୁ ନିର୍ବାଚନ ଲଢିଥିଲେ । ଆମେଠିରେ ହାଇଭୋଲ୍ଟେଜ ଫାଇଟ ଦେଖିବାକୁ ମିଳିଥିଲା । କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠି ବିଜେପି ଖାତାକୁ ଯାଇଥିଲା । ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀ ଏହି ଆସନରେ ରାହୁଲଙ୍କୁ ମାତ୍‌ ଦେଇଥିଲେ । ସପା ସହିତ ମେଣ୍ଟ ପରେ କଂଗ୍ରେସ ଉତ୍ତର ପ୍ରଦେଶର 17 ଆସନରୁ ନିର୍ବାଚନ ଲଢୁଛି ।

ପୁଣି ଥରେ ଆମେଠିରେ ହାଇଭୋଲ୍ଟେଜ ଫାଇଟ !:- ଚଳିତ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଆମେଠିରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ଆମେଠିରେ ରୋଚକ ହେବ ନିର୍ବାଚନ । ପୁଣି ପୁରୁଣା ପ୍ରତିଦ୍ବନ୍ଦ୍ବୀଙ୍କୁ ଭେଟିବେ ରାହୁଲ । ଏଥର ଆମେଠି ଜନତାଙ୍କ ଭୋଟ୍‌ କାହା ସପକ୍ଷରେ ଯାଉଛି ? ମତଦାତା ରାହୁଲ ନା ସ୍ମୃତି ଇରାନୀଙ୍କ ଉପରେ ସୁନା କଳସ ଢାଳୁଛନ୍ତି ତାହା ରାଜନୀତି ପାଣିପାଗକୁ ବେଶ ରୋଚକ କରିଛି ।

ରାଇବରେଲିରୁ ପ୍ରିୟଙ୍କା !:- ଗୋଟିଏ ପଟେ ଭାଇ ରାହୁଲ ଗାନ୍ଧୀ ଆମେଠି ସମ୍ଭାଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏପଟେ କଂଗ୍ରେସର ଅନ୍ୟତମ ଗଡ଼ କୁହାଯାଉଥିବା ରାଇବରେଲିରୁ ପ୍ରିୟଙ୍କା ନିର୍ବାଚନ ଲଢିପାରନ୍ତି । ଏ ନେଇ କଂଗ୍ରେସ ପକ୍ଷରୁ କୌଣସି ଘୋଷଣା ହୋଇନଥିବା ବେଳେ ପ୍ରିୟଙ୍କା ରାଇବରେଲିରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।

5ମ ପର୍ଯ୍ୟାୟରେ ରାଇବରେଲି-ଆମେଠିରେ ମତଦାନ:- ଆସନ୍ତାକାଲି (ଏପ୍ରିଲ 26) 2024 ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ରାଇବରେଲି ଓ ଆମେଠି ସଂସଦୀୟ କ୍ଷେତ୍ରରେ ପଞ୍ଚମ ପର୍ଯ୍ୟାୟରେ ପଡ଼ିବ ଭୋଟ । ଯାହାକି ମେ 20 ତାରିଖରେ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ- ନେହେରୁ-ଗାନ୍ଧୀ ପରିବାର; ଦିନେ ନିର୍ବାଚନୀ ମୈଦାନରେ କରୁଥିଲେ ରାଜ, ଆଜି ପାରମ୍ପରିକ ଆସନ ପାଇଁ ମିଳୁନି ଚେହେରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2024, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.