ETV Bharat / politics

BJPରେ ମିଶିଲେ ଅନୁଭବ ମହାନ୍ତି, ନିକଟରେ BJDରୁ ଦେଇଥିଲେ ଇସ୍ତଫା - Anubhav Mohanty join BJP

author img

By ETV Bharat Odisha Team

Published : Apr 1, 2024, 3:27 PM IST

Updated : Apr 1, 2024, 5:18 PM IST

BJPରେ ମିଶିଲେ ଅନୁଭବ ମହାନ୍ତି, ନିକଟରେ ଦେଇଥିଲେ ଇସ୍ତଫା
BJPରେ ମିଶିଲେ ଅନୁଭବ ମହାନ୍ତି, ନିକଟରେ ଦେଇଥିଲେ ଇସ୍ତଫା

Kendrapara Lok Sabha MP Anubhav Mohanty: ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ନିକଟରେ ବିଜେଡିରୁ ଦେଇଥିଲେ ଇସ୍ତଫା । ହୋଇପାରନ୍ତି ବିଜେପିର ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟାଳୟରେ ସେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଦୁଇଦିନ ତଳେ ସେ ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଓଡିଆ ସିନେ ଜଗତର ଏହି ଜଣାଶୁଣା ତାରକା ପୂର୍ବରୁ ବିଜେଡି ଟିକେଟରେ ଥରେ ରାଜ୍ୟସଭା ଯାଇଥିବା ବେଳେ 2019 ସାଧାରଣ ନିର୍ବାଚନରେ ଚର୍ଚ୍ଚିତ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।

2019ରେ ବିଜେପିର ହେଭିଓ୍ବେଟ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିଥିଲେ ଅନୁଭବ । ପରବର୍ତ୍ତୀ ସମୟରେ ଦାମ୍ପତ୍ଯ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ ଦଳରେ ସେତେଟା ଗୁରୁତ୍ବ ମିଳିନଥିଲା । ଏଥର ତାଙ୍କ ସ୍ଥାନରେ ଦଳ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଦୁଇଦିନ ପୂର୍ବେ ବିଜେଡିରୁ ଇସ୍ତଫା ଦେଇଥିବା ଅନୁଭବ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକେଟରେ ନଜର ଆସିପାରନ୍ତି । କାରଣ ବିଜେପି ରାଜ୍ୟର ସମସ୍ତ 21 ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି ।

ଏହା ମଧ୍ଯ ପଢ଼ନ୍ତୁ...ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି - Anubhav Mohanty Quits BJD

ଅନୁଭବଙ୍କ ରାଜନୈତିକ କ୍ୟାରିୟର

ଓଡିଆ ସିନେ ଜଗତରେ ପ୍ରାୟ ଦୁଇଦଶନ୍ଧି ଧରି ଅଭିନୟ କରି ବେଶ ଲୋକପ୍ରିୟତା ପାଇଥିବା ଅନୁଭବ 2013ରେ ଶାସକ ଦଳ ବିଜେଡିରେ ଯୋଗଦାନ କରିଥିଲେ । 2014ରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା । ପରେ 2019 ସାଧାରଣ ନିର୍ବାଚନରେ ବିଜେଡି ପାଇଁ ସମ୍ମାନଜନକ ଆସନ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ରାଜନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ପ୍ରାୟ ଦେଢଲକ୍ଷ ଭୋଟ ବ୍ୟବଧାନରେ ଅନୁଭବ ବୈଜୟନ୍ତଙ୍କୁ ପରାସ୍ତ କରିଥିଲେ । ହେଲେ ପତ୍ନୀ ବର୍ଷାଙ୍କ ସହ ଦାମ୍ପତ୍ୟ କଳହ ଅନୁଭବଙ୍କ ରାଜନୈତିକ କ୍ୟାରିୟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସାଂସଦ ଥାଇ ମଧ୍ୟ ତାଙ୍କୁ ଦଳର ବହୁ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିବା ଚର୍ଚ୍ଚା ହେଉଥିଲା । ଏପରିକି ଚଳିତ ନିର୍ବାଚନରେ ତାଙ୍କୁ ଆଉ ବିଜେଡି ଟିକେଟ ଦେଇନପାରେ ବୋଲି ମଧ୍ୟ ପୂର୍ବରୁ ଚର୍ଚ୍ଚା ଜାରି ରହିଥିଲା । ଆଜି ଏହି ତାରକା-ସାଂସଦ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- RBIର 90ତମ ପ୍ରତିଷ୍ଠା ଦିବସ, 90 ଟଙ୍କିଆ କଏନ୍ ଜାରି କଲେ ପ୍ରଧାନମନ୍ତ୍ରୀ - RBI 90 Years Completed

ଏହା ମଧ୍ଯ ପଢନ୍ତୁ....ବିଜେଡି ଛାଡିଛନ୍ତି ଏହି ଚର୍ଚ୍ଚିତ ଅଭିନେତା, ଦେଖନ୍ତୁ ଫଟୋ - Ollywood Actors Left Bjd

ବିଜେପିରେ ସିନେ ତାରକା

ନିକଟରେ ଅଭିନୟ ଜଗତରୁ ବିଜେଡି ଟିକେଟରେ ରାଜନୀତିରେ ପ୍ରବେଶ କରିଥିବା ନିର୍ବାଚିତ ଜନପ୍ରତିନିଧି ହୋଇଥିବା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାଏକ ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କୌଣସି ନିର୍ବାଚନ ଲଢିନଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ବିଜେଡି ଷ୍ଟାର-ପ୍ରଚାରକ ଥିବା ଅନ୍ୟତମ ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଛନ୍ତି । ଏହି ସମସ୍ତ ଅଭିନେତା ଏବେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନୀ ମୈଦାନରେ ନଜର ଆସିବା ମଧ୍ୟ ପ୍ରାୟ ସ୍ପଷ୍ଟ । ବିଜେପି ରାଜ୍ୟରେ ସମସ୍ତ 21 ସଂସଦୀୟ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲେ ସୁଦ୍ଧା ବିଧାନସଭା ପ୍ରାର୍ଥୀ ଖାତା ଖୋଲିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 1, 2024, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.