ETV Bharat / politics

ଦଳୀୟ ଅନ୍ତକନ୍ଦଳ ଜୟ ନାରାୟଣଙ୍କ ପାଇଁ ହେବକି ବାଧକ ! - Sambalpur Assembly Constituency

author img

By ETV Bharat Odisha Team

Published : Apr 3, 2024, 10:28 PM IST

Internal Conflict In Sambalpur BJP: ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପି ଜୟ ନାରାୟଣ ମିଶ୍ରଙ୍କୁ ଟିକେଟ ଦେଇଛି । ମାତ୍ର ବିଜେପିର ଟିକେଟ ଆଶାୟୀ ଅସନ୍ତୁଷ୍ଟ ନେତା ଜୟନାରାୟଣଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଦ୍ଭା ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ଦଳୀୟ ଅନ୍ତରକନ୍ଦଳ ଜୟ ନାରାୟଣଙ୍କ ପାଇଁ ହେବକି ବାଧକ!
ଦଳୀୟ ଅନ୍ତରକନ୍ଦଳ ଜୟ ନାରାୟଣଙ୍କ ପାଇଁ ହେବକି ବାଧକ!

ଦଳୀୟ ଅନ୍ତରକନ୍ଦଳ ଜୟ ନାରାୟଣଙ୍କ ପାଇଁ ହେବକି ବାଧକ!

ସମ୍ବଲପୁର: ଗତ ମଙ୍ଗଳବାର ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା ହେବା ସହ ସମ୍ବଲପୁର ଜିଲ୍ଲାର 4 ଟି ଯାକ ବିଧାନସଭା ଆସନର ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ମର୍ଯ୍ୟାଦାସମ୍ପନ୍ନ ସମ୍ବଲପୁର ଆସନ ପାଇଁ ଦଳ ପୁଣି ଥରେ ଜୟ ନାରାୟଣ ମିଶ୍ରଙ୍କୁ ଟିକେଟ ଦେଇଛି । ତେବେ ଜୟଙ୍କୁ ଟିକେଟ ମିଳିବା ପରେ ଦଳ ଭିତରେ ଥିବା ଅନ୍ୟ ଆଶାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଗତକାଲି ରାତିରେ ଜୟ ନାରାୟଣଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରି ଦଳୀୟ କର୍ମୀ ଉତ୍ସବ ମନାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଏଥିରେ ଅନୁପସ୍ଥିତ ରହିଥିଲେ । ଫଳରେ ଦଳୀୟ ଅନ୍ତରକନ୍ଦଳ ପଦାରେ ପଡି ଯାଇଥିବା ଚର୍ଚ୍ଚା ହେଉଛି ।

ଗତ 2019 ନିର୍ବାଚନ ଜିତିବା ପରେ ଅସୁସ୍ଥତା ଯୋଗୁଁ ଜୟ ନାରାୟଣ ଚିକିତ୍ସା ପାଇଁ ସମ୍ବଲପୁର ବାହାରେ ରହି ଆସୁଥିଲେ । ମୁଖ୍ୟତଃ ବିଗତ ଗୋଟିଏ ବର୍ଷ ହେଲା ଜୟ ନାରାୟଣ ସମ୍ବଲପୁରକୁ ମୋଟାମୋଟି ଆସୁନଥିଲେ । ତେଣୁ ତାଙ୍କ ସମ୍ବଲପୁର ଲୋକଙ୍କ ସହ ତାଙ୍କ ସମ୍ପର୍କ ରହିଲା ନାହିଁ । ଏହି ପରିସ୍ଥିତି ରେ ଜୟଙ୍କ ଅନୁପସ୍ଥିତିରେ ବହୁ ବିଧାୟକ ଆଶାୟୀ ପ୍ରାର୍ଥୀ ସୃଷ୍ଟି ହୋଇଥିଲେ । ସେମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ମଧ୍ୟ ଅନ୍ୟତମ ଥିଲେ ବୋଲି ଚର୍ଚ୍ଚା ଉଠୁଥିଲା ।

ଏହା ମଧ୍ୟ ପଢନ୍ତୁ... ବିଜେଡିକୁ ବିଜେପିର ଟାର୍ଗେଟ୍, କହିଲା ସେମାନେ ଖୋଜୁଛନ୍ତି ଆମଦାନୀ କେଉଁଠୁ କରିବେ - BJP Targets BJD

ତେଣୁ ଗତକାଲି ଦଳୀୟ କାର୍ଯ୍ୟାଳୟରେ ଜୟଙ୍କୁ ଟିକେଟ ମିଳିବା ଖୁସିରେ ଉତ୍ସବ ପାଳନ କରାଯାଉଥିବା ବେଳେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଓ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ ଅନୁପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗିରିଶ, ଅନ୍ନପୂର୍ଣ୍ଣା ଓ ଅଶ୍ବିନୀ ଗୋଟିଏ ଗୋଷ୍ଠୀର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇ ଆସୁଛି । ଅନ୍ୟପଟେ ଗତ କିଛି ଦିନ ତଳେ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଘନେଇ ଥିଲା । ଯାହାକୁ ନେଇ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଜିଲ୍ଲା ସଭାପତି ଗ୍ରହଣ କରି ନଥିଲେ । ସେହିଦିନ ଠାରୁ ଦଳରେ ଅନ୍ତର୍ଦ୍ବନ୍ଦ ଥିବା ଚର୍ଚ୍ଚା ହୋଇ ଆସୁଛି ।

ତେଣୁ ଚଳିତ ନିର୍ବାଚନରେ ଦଳକୁ ସଂଗଠିତ ନ କଲେ ଜୟ ନାରାୟଣଙ୍କ ନିର୍ବାଚନୀ ଯାତ୍ରା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସମ୍ବଲପୁର ଲୋକସଭା ସିଟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ଥିବା ବେଳେ ସେ ଯଦି ଜିଲ୍ଲା ସ୍ତର ରେ ବିଜେପିକୁ ସଂଗଠିତ ନ କରୁଛନ୍ତି ତାହେଲେ ଏହା ଲୋକସଭା ନିର୍ବାଚନର ଫଳାଫଳକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଜିଲ୍ଲା ବିଜେପି ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ ଦଳ ଏକଜୁଟ ହୋଇକି ଅଛି । ଏହା ଏକ ଜାତୀୟ ଦଳ ଓ ଏହାର ବହୁ ନେତା କାର୍ଯ୍ୟକର୍ତା ଅଛନ୍ତି । ତେଣୁ ମତଭେଦ ରହିପାରେ, କିନ୍ତୁ ନିର୍ବାଚନରେ ସମସ୍ତେ ଏକାଠି ହୋଇ ଲଢ଼ିବେ ବୋଲି ଜିଲ୍ଲା ଗଣମାଧ୍ୟମ ସଂଯୋଜକ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.