ETV Bharat / politics

ଆଚରଣ ବିଧି ଉଲ୍ଲଂଘନ ମାମଲା: ମୋଦି-ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ - MCC violations notice

author img

By ETV Bharat Odisha Team

Published : Apr 25, 2024, 1:28 PM IST

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ମୋଦି- ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ
ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ମୋଦି- ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ

ECI PM notice to Modi, Rahul Gandhi: ମୋଦି- ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ । ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ ବିଜେପି ଓ କଂଗ୍ରେସ । 29 ତାରିଖ 11ସୁଦ୍ଧା ରଖିବେ ଉତ୍ତର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ଉଭୟ ନେତା ଜାତି,ଧର୍ମ, ସମ୍ପ୍ରଦାୟ ଓ ଭାଷାକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଉଭୟ ଦଳ ପରସ୍ପର ବିରୋଧରେ ଏହି ଅଭିଯୋଗ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଉଭୟ ନେତାଙ୍କୁ ଆୟୋଗ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ଉଭୟ 29 ତାରିଖ ପୂର୍ବାହ୍ନ 11 ଟା ସୁଦ୍ଧା ଆୟୋଗଙ୍କ ନିକଟରେ ଉତ୍ତର ରଖିବାକୁ ଜାରି ନୋଟିସରେ ନିର୍ଦ୍ଦେଶ ରହିଛି ।

କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକାଧିକ ଥର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇସାରିଛି । ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବିଜେପି ନେତା ସମାଲୋଚନା କରିଥିଲେ । ଏହି ଇସ୍ତାହାର କେବଳ ମୁସଲିମ ଲିଗର ବିଚାରଧାରାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଏକ ନିର୍ବାଚନୀ ସଭାମଞ୍ଚରେ କହିଥିଲେ । ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦଙ୍କ ନେତୃତ୍ବରେ କଂଗ୍ରେସ ଟିମ୍‌ ନିର୍ବାଚନ ଆୟୋଗଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲା । ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଓ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମଧ୍ୟ କଂଗ୍ରେସ ସେତେବେଳେ ଅଭିଯୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନରେ 2ଥର ପରାଜୟ ପରେ ଏବେ ବିଧାୟକ ପ୍ରାର୍ଥୀ, ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା - Bhakta Das

ସମାନ ଢଙ୍ଗରେ ବିଜେପି ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲା ଯେ, ରାହୁଲ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ସମ୍ପର୍କରେ ଜନତାଙ୍କ ନିକଟରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି । ଦେଶରେ ବିଭାଜନ ମାନସିକତା ବଢିବା ପରି ଉତ୍ତର-ଦକ୍ଷିଣ ପ୍ରାନ୍ତିୟ ମନ୍ତବ୍ୟ ଦେଉଛନ୍ତି । ଏହା ନିର୍ବାଚନୀ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ତେଣୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଆଜି ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ପୂର୍ବରୁ ମଧ୍ୟ ଏହି ଦୁଇଦଳର ଅନେକ ନେତା ଏହି ବିବାଦୀୟ ମନ୍ତବ୍ୟ ମାମଲାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନର ପରିଧିକୁ ଆସି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.