ETV Bharat / bharat

UPSC Result 2023: ଗୋଟିଏ କ୍ଲିକରେ ଜାଣନ୍ତୁ ପ୍ରଥମ 3 ଟପ୍ପରଙ୍କ ସମ୍ପର୍କରେ.. - UPSC Results 2023

author img

By ETV Bharat Odisha Team

Published : Apr 16, 2024, 8:16 PM IST

Updated : Apr 16, 2024, 9:21 PM IST

UPSC Result 2023: 2023 ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପ୍ରଥମ 3 ଟପ୍ପର କିଏ ଓ ସେମାନଙ୍କର ସଂଘର୍ଷ କିପରି ଥିଲା ଆସନ୍ତୁ ଜାଣିବା..

Etv Bharat
Etv Bharat

ହାଇଦ୍ରାବାଦ: ପ୍ରକାଶ ପାଇଛି ଦେଶର କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସସି-2023ର ପରୀକ୍ଷା ଫଳ । ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ ରାଙ୍କ 1ରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଦୋନୁରୁ ଅନନ୍ୟା ରେଡ୍ଡି । ଏହି ପ୍ରଥମ 3 କୃତୀ ଛାତ୍ରଛାତ୍ରୀଙ୍କ ସଂଘର୍ଷ କିପରି ଥିଲା ? ସେ କେଉଁଠୁ ଅଧ୍ୟୟନ କରିଛନ୍ତି ? ସେ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।

ରାଙ୍କ-1ଧାରୀ ଆଦିତ୍ୟ ଶ୍ରୀବାସ୍ତବ:- ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ବାସୀ ହେଉଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଶ୍ରୀବାସ୍ତବଙ୍କ ଏକାଡେମିକ ଯାତ୍ରା ବେଶ ପ୍ରେରଣାଦାୟୀ । ସେ ଲକ୍ଷ୍ନୌର ଆଲିଗଞ୍ଜ ଶାଖା ସିଏମଏସରୁ ସ୍କୁଲ ପାଠ୍ୟକ୍ରମ ଶେଷ କରିବା ପରେ ଦ୍ବାଦଶ ପରୀକ୍ଷାରେ 95 ପ୍ରତିଶତ ମାର୍କ ରଖିଥିଲେ । ଏପରି ପାଠପଢା ତାଙ୍କୁ ଆଇଆଇଟି କାନପୁରରେ ସ୍ଥାନ ଦେଇଥିଲା । ସେଠାରେ ସେ ବି.ଟେକ ଓ ଏମ.ଟେକ ଡିଗ୍ରୀ ହାସଲ କରିଥିଲେ । ଏହାସହିତ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ । ସେ ପାଠପଢା କ୍ଷେତ୍ରରେ ଭଲ ପ୍ରଦର୍ଶନ ଜାରି ରଖିଥିଲେ ସୁଦ୍ଧା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ତୃଣମୂଳ ସ୍ତରରେ କାମ କରି ଲୋକଙ୍କୁ ବିକାଶଧାରାରେ ସାମିଲ କରିବାକୁ ଇଚ୍ଛା ଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି । ଏଥିଲାଗି ସେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିବା ବେଳେ 2022 ୟୁପିଏସି CSEରେ 236 ରାଙ୍କ ଧାରଣ କରିଥିଲେ । ଏହାପରେ ସେ ଆଇପିଏସ ହୋଇଥିବା ବେଳେ ଏବେ ହାଇଦ୍ରାବାଦ ନ୍ୟାସନାଲ ପୋଲିସ ଏକାଡେମୀରେ ଟ୍ରେନିଂରେ ରହିଛନ୍ତି । ପରିବାର ଓ ନିଜର ଅଦ୍ୟମ ଇଚ୍ଛାଶକ୍ତି ବଳରେ ସେ ପୁଣି ଥରେ ପରୀକ୍ଷା ଦେଇ ଆଜି ଟପ୍ପର ହୋଇପାରିଛନ୍ତି ।

ଦ୍ବିତୀୟ ଟପ୍ପର ଓଡ଼ିଆ ପୁଅ ଅନିମେଶ:- ୟୁପିଏସସି ପରୀକ୍ଷାରେ ଦ୍ବିତୀୟ ସ୍ଥାନରେ ରହି ଦେଶରେ ଓଡ଼ିଶାର ନାଁକୁ ଉଚ୍ଚ କରିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ସେ ଆଜି ସାରା ଓଡ଼ିଶାର ପ୍ରତିଟି ଛାତ୍ରଛାତ୍ରୀଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅନିମେଶ ଏନଆଇଟି ରାଉରକେଲାରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ କରିଥିଲେ । ଅନିମେଶ ଅନୁଗୋଳ ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ସବୁଠୁ ଖାସ କଥା ହେଉଛି ଅନିମେଶ ପ୍ରଥମ ଚେଷ୍ଟାରେ ହିଁ ୟୁପିଏସସି କ୍ରାକ୍‌ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ ହେବା ପାଇଁ ଅନିମେଶ ଅହରହ ପରିଶ୍ରମ କରୁଥିବା ବେଳେ ତାଙ୍କ ଉପରେ ଦୁଃଖର ବାଦଲ ଛାଇଯାଇଥିଲା । କ୍ୟାନ୍ସର ରୋଗରେ ପୀଡ଼ିତ ମା’ ଗତ ମାସରେ ମୃତ୍ୟୁବରଣ କରିଥିଲେ । ପୁଅକୁ ଆଇଏଏସ ଭାବେ ଦେଖିବା ପାଇଁ ମା’ ପ୍ରାର୍ଥନା କରି ଶେଷରେ ପରପାରିକୁ ଚାଲିଯାଇଥିଲେ । କିଛି ବର୍ଷ ଆଗରୁ ବାପାଙ୍କ ବିୟୋଗ ଘଟିଥିବା ବେଳେ ଗତମାସରେ ତାଙ୍କ ମା'ଙ୍କ ମୃତ୍ୟୁ ଘଟିଥିଲା । ଆଜି ଆଇଏଏସ ହେବା ପରେ ମା' ପାଖରେ ନଥିବାରୁ ଅନିମେଶ ବେଶ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- UPSC ରେଜଲ୍ଟରେ ଚମକିଲେ ଓଡ଼ିଆ ପୁଅ: ଅନିମେଶ ପ୍ରଧାନ ସେକେଣ୍ଡ ଟପ୍ପର

ତୃତୀୟରେ ଦୋନୁରୁ ଅନନ୍ୟା ରେଡ୍ଡି:- ତେଲେଙ୍ଗାନା ମେହବୁବନଗରର ଝିଅ ଦୋନୁରୁ ଅନନ୍ୟା ରେଡ୍ଡି । ଯିଏକି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ତୃତୀୟ ସ୍ଥାନରେ ରହିଛନ୍ତି । ଅନନ୍ୟା ଦିନକୁ 12ରୁ 14 ଘଣ୍ଟା ପରିଶ୍ରମ କରୁଥିଲେ । ଅନନ୍ୟା ଅପସନାଲ ସବଜେକ୍ଟରେ ଆନ୍ଥ୍ରୋପୋଲୋଜି ନେଇଥିଲେ । ସେ ନିଜ ଅପସନାଲ ସବଜେକ୍ଟ ଲାଗି ନିଜେ ପଢୁଥିଲେ । କୌଣସି କୋଚିଂ ନେଉନଥିଲେ । ସେ ଛୋଟ ବେଳୁ ସମାଜ ସେବା କରିବା ଲାଗି ବେଶ ଆଗ୍ରହୀ ଥିଲେ । ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଭୂଗୋଳ ଅନର୍ସ ନେଇ ବି.ଏ ଡିଗ୍ରୀ ହାସଲ କରିଥିଲେ ।

2023 ୟୁପିଏସି CSEରେ ମୋଟ 1016 ଜଣ (664 ଛାତ୍ର ଓ 352 ଛାତ୍ରୀ ) କୃତକାର୍ଯ୍ୟ ହୋଇଛନ୍ତି । ଟପ୍‌-5 ଜଣଙ୍କ ମଧ୍ୟରେ 3 ଜଣ ପୁଅ ଓ 2ଜଣ ଝିଅ ରହିଛନ୍ତି । ସିଦ୍ଧାର୍ଥ ରାମକୁମାର ଓ ରୁହାଣି ଯଥାକ୍ରମରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଗତ ସେପ୍ଟେମ୍ବର 2023ରେ ମେନ୍‌ ପରୀକ୍ଷା ଦେଇଥିଲେ 14 ହଜାର 624 ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ବ୍ୟକ୍ତିଗତ ସାକ୍ଷାତକାର ଲାଗି 2855 ଜଣଙ୍କୁ ଚୟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 16, 2024, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.