ETV Bharat / bharat

କାଲିଠୁ ବଜେଟ ଅଧିବେଶନ: ଗୃହକୁ ଫେରିବେ 146 ନିଲମ୍ବିତ ସାଂସଦ

author img

By ETV Bharat Odisha Team

Published : Jan 30, 2024, 4:59 PM IST

Suspension of opposition MPs to be revoked: ନିଲମ୍ବିତ ସାଂସଦମାନଙ୍କ ଉପରୁ ହଟିବ ନିଲମ୍ବନ । ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ହୋଇଥିଲେ ନିଲମ୍ବିତ । ଅଧିକ ପଢନ୍ତୁ

କାଲି ବଜେଟ ଅଧିବେଶନ ଆରମ୍ଭ: ସାଂସଦଙ୍କ ଉପରୁ ହଟିବ ନିଲମ୍ବନ
କାଲି ବଜେଟ ଅଧିବେଶନ ଆରମ୍ଭ: ସାଂସଦଙ୍କ ଉପରୁ ହଟିବ ନିଲମ୍ବନ

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଗତ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର 146 ସାଂସଦକୁ ନିଲମ୍ବିତ କରାଯାଇଥିଲା । ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଉଭୟ ଗୃହର ପ୍ରୋସିଡିଂ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି । ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।

ଆଜି ଅପରାହ୍ନରେ ସଂସଦ ଲାଇବ୍ରୋରୀ ଭବନରେ ବସିଥିବା ସର୍ବଦଳୀୟ ବୈଠକରେ ମୋଟ 30 ରାଜନୈତିକ ଦଳର 45ରୁ ଅଧିକ ନେତା ଅଂଶଗ୍ରହଣ କରିଥିଲେ । ବୈଠକ ଶେଷ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଯୋଶୀ କହିଛନ୍ତି, ସମସ୍ତ ସାଂସଦ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବ । ଏ ସମ୍ପର୍କରେ ସେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛନ୍ତି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ ସେ ସରକାରଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି । ଏହା ଉଭୟଙ୍କ କ୍ଷମତାସୀନ ବ୍ୟାପାର । ନିଲମ୍ବିତ ସଦସ୍ୟଙ୍କୁ ପୁଣି ଥରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବା ସୁଯୋଗ ଦେବା ସମ୍ପର୍କରେ ଉଭୟ ଉପରାଷ୍ଟ୍ରପତି ଓ ବାଚସ୍ପତି ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏଥିପାଇଁ ପ୍ରୋସିଡିଂ ମଧ୍ୟ ଆରମ୍ଭ କରିବାକୁ ଉଭୟ ଗୃହର ଅଧିକାରୀଙ୍କୁ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ :- କାଲିଠୁ ସଂସଦର ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ସୁରୁଖୁରୁ ଗୃହକାର୍ଯ୍ୟ ଉପରେ ଚର୍ଚ୍ଚା

ଶୀତ ଅଧିବେଶନରେ ଲୋକସଭା ଓ ସଂସଦ ବାହାରେ ଦେଖାଯାଇଥିବା ସୁରକ୍ଷା ବିଭ୍ରାଟ ଘଟଣାରେ ବିରୋଧୀ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସେମାନେ ଗୃହକାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ଉଭୟ ଗୃହରୁ ମୋଟ 146 ବିରୋଧୀ ଦଳର ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏହି ଗଣନିଲମ୍ବନ ଭାରତୀୟ ଗଣତାନ୍ତ୍ରିତ ଇତିହାସରେ ସର୍ବକାଳୀନ ରେକର୍ଡ ଥିଲା । ଏହାକୁ ବିରୋଧୀମାନେ ସଂଖ୍ୟାବହୁମତର ଏକଛତ୍ରବାଦ ଓ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ଏପରିକି କିଛି ନିଲମ୍ବିତ ସାଂସଦ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କ ନକଲ କରି ଚର୍ଚ୍ଚା ଓ ବିବାଦ ଘେରକୁ ଆସିଥିଲେ । ଏବେ ପୁଣି ବଜେଟ ଅଧିବେଶନରେ ଶୃଙ୍ଖଳିତ ଗୃହକାର୍ଯ୍ୟ ନା ହଟ୍ଟଗୋଳ ଦେଖିବାକୁ ମିଳୁଛି, ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.