ETV Bharat / bharat

ମନ୍ଦିର ଦର୍ଶନ ସାରି ଫେରୁଥିଲେ, ଟ୍ରକ ଧକ୍କାରେ ଚାଲିଗଲା 6 ଜୀବନ

author img

By ETV Bharat Odisha Team

Published : Mar 10, 2024, 1:02 PM IST

କାରକୁ ଧକ୍କା ଦେଲା ଟ୍ରକ
Accident in Uttar Pradesh

Accident in Uttar Pradesh: କାରକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାରକୁ ଟ୍ରକ ଧକ୍କା ଦେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଟି ଟର୍ଣ୍ଣିଂ ନେଉଥିବା ବେଳେ ପଛପଟୁ ଏକ ଟ୍ରକ ଦ୍ରୁତଗତିରେ ଆସି ଧକ୍କା ଦେଇଥିବା କୁହାଯାଉଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆଜି (ରବିବାର) ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

ଏହା ମଧ୍ୟ ପଢନ୍ତୁ-ବିବାହ ଭୋଜିରୁ ଫେରୁଥିବାବେଳେ ଜଗିଥିଲା ଯମ ! ଭ୍ୟାନ ଓଲଟି 5 ମୃତ, 15 ଗୁରୁତର

ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ କାର ପ୍ରୟାଗରାଜରୁ ସୀତାମାରି ଯାଉଥିଲା । କାରରେ ଥିବା ସମସ୍ତ ଯାତ୍ରୀ ମାତା ଶିତଲା ଦେବୀ ମନ୍ଦିର ଦର୍ଶନ ସାରି ଫେରୁଥିଲେ । ଜୌନପୁରରେ ପହଞ୍ଚି ପ୍ରସାଦ ତିରାହ ନିକଟରେ ଟର୍ଣ୍ଣିଂ ନେଉଥିବା ବେଳେ ହଠାତ ଏକ ଟ୍ରକ ଦ୍ରୁତ ବେଗରେ ଆସି କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । କାରରେ ଥିବା ତିନି ଜଣ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ବାରାଣାସୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତିନି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ମଝି ରାସ୍ତାରେ ବ୍ରେକ ଫେଲ ହେଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ତେବେ 6 ମୃତକଙ୍କ ଘର କେଉଁଠି ଓ ସେମାନଙ୍କ ପରିଚୟ ପାଇବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଏନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ଦୁର୍ଘଟଣା ସମୟରେ କାରରେ କେତେ ଜଣ ଯାତ୍ରୀ ଯାତ୍ରା କରୁଥିଲେ ତାହା ମଧ୍ୟ ଜଣାପଡିନାହିଁ । ଫେବୃଆରୀ 27 ତାରିଖରେ ବାଲିଆ ଜିଲ୍ଲାର ବାଇରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଥିଲା । ଦୁଇଟି କାରକୁ ପିକଅପ୍ ଭ୍ୟାନ ଧକ୍କା ଦେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.