ETV Bharat / bharat

ଆଜିଠୁ ସଂସଦ ବଜେଟ ଅଧିବେଶନ, କାଲି ଆସିବ କାମଚଳା ବଜେଟ

author img

By ETV Bharat Odisha Team

Published : Jan 31, 2024, 6:52 AM IST

Parliament Budget Session: ଆଜିଠୁ ସଂସଦ ବଜେଟ ଅଧିବେଶନ । ଆସନ୍ତାକାଲି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ଅଧିକ ପଢନ୍ତୁ

Parliament Budget Session
ସଂସଦ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଆସନ୍ତାକାଲି(ଗୁରୁବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ । ଏହା ମୋଦିଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ହେବ । ତେବେ ଆସନ୍ତା ଏପ୍ରିଲରୁ ମେ' ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ଆଜି ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ । ଦିନ ସାଢେ ୧୧ଟା ବେଳେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ବସିଥିଲା । ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ନେତାଙ୍କ ସହଯୋଗୀ ଲୋଡିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନେତାମାନଙ୍କୁ ଜଣାଇଥିଲେ ଯେ, ଅର୍ଥମନ୍ତ୍ରୀ ସୀତାରମଣ ଜମ୍ମୁ-କାଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ, ଯେଉଁଠିକି ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।

ଏହା ମଧ୍ୟ ପଢନ୍ତୁ: ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍


ସଂସଦ ପରମ୍ପରା ଅନୁସାରେ ଯେକୌଣସି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଏ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡାଯାଏ । ତେବେ ଦୁଇରୁ ତିନି ମାସ ଭିତରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ତେଣୁ ଆସନ୍ତାକାଲି ଆସିବାକୁ ଥିବା ଅନ୍ତରୀଣ ବଜେଟରେ କୌଣସି ବଡ଼ ଘୋଷଣା ହୋଇନପାରେ । ତେବେ ଏଥିରେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରାଧାନ୍ୟ ଦିଆଯାଇପାରେ । କେନ୍ଦ୍ରରେ ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଅଣାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସାଧାରଣ ବଜେଟ ଫେବୃଆରୀ ମାସ ଶେଷରେ ଉପସ୍ଥାପନ ହେଉଥିବା ବେଳେ ୨୦୧୭ ଠାରୁ ଏହାକୁ ଫେବୃଆରୀ ୧ରେ ଉପସ୍ଥାପନ କରାଯାଉଛି । ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ମୋବାଇଲରେ ବଜେଟ ଆପ୍ଲିକେସନ ଉପଲବ୍ଧ ହେବ । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବଜେଟ ସମ୍ପର୍କିକ ତଥ୍ୟ ଉପଲବ୍ଧ କରାଯିବ । ସ୍ମାର୍ଟଫୋନରେ ଆପ୍ଲିକେସନକୁ ଡାଉନଲୋଡ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.