ETV Bharat / bharat

ସନ୍ଦେଶଖାଲି ବିବାଦ; ଘଟଣାସ୍ଥଳରେ ପହଞ୍ଚିଲେ NHRCର ୬ ଜଣିଆ ଟିମ

author img

By ETV Bharat Odisha Team

Published : Feb 23, 2024, 7:57 PM IST

Sandeshkhali
Sandeshkhali

NHRC at Sandeshkhali: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳା ବିରୋଧୀ ହିଂସା ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ଜାତୀୟ ମାନବ ଅଧିକାରୀ ଆୟୋଗଙ୍କ ୬ ଜଣିଆ ଟିମ । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ମହିଳା ବିରୋଧୀ ହିଂସା ଘଟଣା ତେଜିବାରେ ଲାଗିଛି । ଆଜି (ଶୁକ୍ରବାର) ପୁଣି ପୀଡ଼ିତ ମହିଳା ଅଭିଯୁକ୍ତ ଟିଏମସି ନେତା ଶାହାଜାହନ ଶେଖର ଗିରଫଦାରୀ ଦାବି କରି ରାଜରାସ୍ତାକୁ ଓହ୍ଲାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାପରେ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି ଜାତୀୟ ମାନବାଧିକାରୀ କମିଶନ (NHRC)ର ୬ ଜଣିଆ ଟିମ । ଏହି ଟିମ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛନ୍ତି ।

ଶାହାଜାହନ ଓ ତାଙ୍କର କିଛି ସହଯୋଗୀ ନିୟମିତ ମହିଳାଙ୍କୁ ନିର୍ଯାତନା ଅଭିଯୋଗ ବ୍ୟତୀତ ଏଠାରେ ମାନବାଧିକାରର ଉଲ୍ଲଙ୍ଘନ ହୋଇଥିବା ପୀଡ଼ିତ ମହିଳାମାନେ ଅଭିଯୋଗ କରିଛନ୍ତି । ଜାତୀୟ ମାନବ ଅଧିକାର ଆୟୋଗର ଏହି ସ୍ବତନ୍ତ୍ର ଟିମ ଶୁକ୍ରବାର ସନ୍ଦେଶଖାଲି ପହଞ୍ଚିବା ପରେ ବସିରହାଟ ପୋଲିସ ଏସପିଙ୍କ ସହିତ ଏକ ବୈଠକ କରିଥିଲା । ଏହି ବୈଠକରେ ପୋଲିସ ଘଟଣା ସମ୍ପର୍କରେ ଏହି ସ୍ବତନ୍ତ୍ର ଟିମକୁ ତଥ୍ୟ ଦେଇଥିଲା । ଏହାପରେ ଟିମ ସନ୍ଦେଶଖାଲିର ସରଦରପଡା ଗସ୍ତ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲା ।

ଏହା ବି ପଢନ୍ତୁ- ବଙ୍ଗ ରାସନ ବଣ୍ଟନ ହେରଫେର ମାମଲା; ଟିଏମସି ନେତା ଶାହାଜାହନଙ୍କୁ ଇଡିର ଚତୁର୍ଥ ସମନ

ଏହାପରେ କମିଶନ ଏହି ମାମଲା ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ନୋଟିସ ଜାରି କରିଛି । ସନ୍ଦେଶଖାଲିରୁ ଆସିଥିବା ହିଂସା ଓ ଯୌନ ନିର୍ଯାତନା ଅଭିଯୋଗ ସମ୍ବନ୍ଧରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି । ସେପଟେ ଆୟୋଗର ଏହି ସ୍ବତନ୍ତ୍ର ଟିମ ଏହି ଗସ୍ତ ପରେ ଏନଏଚଆରସି ଚେୟାରମ୍ୟାନଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କ ନେତୃତ୍ବାଧୀନ ମହିଳା ମୋର୍ଚ୍ଚା ସନ୍ଦେଶଖାଲି ଗସ୍ତ କରିଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ ହୋଇଛି । ଏହି ପ୍ରତିନିଧି ମଣ୍ଡଳୀକୁ ପୋଲିସ ପ୍ରଥମେ ସାଇନ୍ସ ସିଟି ନିକଟରେ ଅଟକ ରଖିଥିଲା । ଏହାପରେ ଭୋଜେରହାଟ ନିକଟରେ ଅଟକ ରଖାଯିବା ପରେ ସାଂସଦ ଲକେଟଙ୍କ ସମେତ ଅନ୍ୟ କିଛି ଦଳୀୟ କର୍ମୀଙ୍କୁ ପୋଲିସ ହେପାଜତକୁ ନେଇଥିବା ଜଣାପଡ଼ିଛି । ଏ ନେଇ ଲକେଟ ଚାଟାର୍ଜୀ କହିଛନ୍ତି, "ଆମେ ସନ୍ଦେଶଖାଲି ଗସ୍ତ କରି ଟିଏମସି ଗୁଣ୍ଡାଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ମହିଳାଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିଲୁ । ହେଲେ ପୋଲିସ ଆମକୁ ଅଟକ ରଖିଛି । ରାଜ୍ୟ ସରକାର ସତ ଲୁଚାଇବା ଲାଗି ପୋଲିସ ଫୋର୍ସର ବ୍ୟବହାର କରିଛନ୍ତି ।"

ଏହା ବି ପଢନ୍ତୁ- ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ

ସୂଚନା ଥାଉ କି ସନ୍ଦେଶଖାଲିର କିଛି ମହିଳା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଟଏମସି ନେତା ଶାହାଜାହନ ଶେଖ ଓ ତାଙ୍କର କିଛି ସହଯୋଗୀ ନିୟମିତ ମହିଳାଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର କର୍ମୀ ହୋଇଥିବା କାରଣରୁ ସେମାନଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ପୀଡିତା ମହିଳା ଶେଷରେ ସଂଘବଦ୍ଧ ଭାବେ ରାଜରାସ୍ତାକୁ ଓହ୍ଲାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.